ମାତୃଭାଷାରେ ହେବ ଜେଇଇ-ମେନ୍‌ ପରୀକ୍ଷା

ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ନାମଲେଖା ପ୍ରବେଶିକା ପରୀକ୍ଷା ଜେଇଇ-ମେନ୍‌ ଏଣିକି ଅଧିକ ଭାରତୀୟ ଆଞ୍ଚଳିକ ଭାଷାରେ ଆୟୋଜନ କରାଯିବ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୱାଲ। ବିଦେଶରେ ‘ପିସା’ ପରୀକ୍ଷା ଏକାଧିକ ମାତୃଭାଷାରେ ଆୟୋଜନ ହେଉଥିବାବେଳେ ଏଥିରୁ ସଫଳତା ହାର ଅଧିକ ଥିବାରୁ ସେହି ଶୈଳୀରେ ଜେଇଇ-ମେନ୍‌ ପରୀକ୍ଷା ଏକାଧିକ ମାତୃଭାଷାରେ ଅନୁଷ୍ଠିତ ହେବ ବୋଲି ପୋଖରିୱାଲ କହିଛନ୍ତି। ଏହି ପ୍ରବେଶିକା ପରୀକ୍ଷା ତଦାରଖ କରୁଥିବା ‘ଜେଇଇ’ ଅଧୀନ ଯୁଗ୍ମ ନାମଲେଖା ବୋର୍ଡ ବା ଜେଏବି ବୈଠକରେ ଏ ସଂକ୍ରାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବିଶେଷ କରି ନୂଆ ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ଢାଞ୍ଚାରେ ମାତୃଭାଷାରେ ଜେଇଇ-ମେନ୍‌ ପରୀକ୍ଷା ପରିଚାଳନା କରାଯିବ। ଏହା ଦ୍ବାରା ପରୀକ୍ଷାର୍ଥୀ ଉତ୍ତମ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ବୋଲି ପୋଖରିୱାଲ କହିଛନ୍ତି। ସରକାର ୨୨ଟି ଭାରତୀୟ ଭାଷାକୁ ବଳିଷ୍ଠ କରିବା ଓ ଛାତ୍ରଛାତ୍ରୀ ଯେମିତି ଅଧିକ ସଫଳତା ପାଇବେ ସେ ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ପୋଖରିୱାଲ।

Comments are closed.