ଜେଇଇ ଆଡଭାନ୍ସ ଫଳ ପ୍ରକାଶ ଶୀର୍ଷରେ ପୁଣେର ଚିରାଗ

ନୂଆଦିଲ୍ଲୀ/ଭୁବନେଶ୍ବର : ଆଇଆଇଟିରେ ନାମ ଲେଖାଇବା ପାଇଁ ଅନୁଷ୍ଠିତ ଜେଇଇ ଆଡଭାନ୍ସ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଆଇଆଇଟି-ଦିଲ୍ଲୀ ଦ୍ୱାରା ଘୋଷିତ ଏହି ଫଳାଫଳର କମନ୍ ରାଙ୍କ୍ ଲିଷ୍ଟ (ସିଆରଏଲ)ରେ ମହାରାଷ୍ଟ୍ର, ପୁଣେର ଚିରାଗ ଫାଲୋର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଓଡ଼ିଶା ଏବଂ ଛତିଶଗଡ ଟପ୍ପର ବଲାଙ୍ଗିର ଜିଲା କଣ୍ଟାବାଞ୍ଜିର ରୋନାକ ଡାଲମିଆ ହୋଇଛନ୍ତି। ସର୍ବଭାରତୀୟସ୍ତରରେ ୫୨ତମ ରାଙ୍କ ପାଇ ଥିବାବେଳେ ଆଇଆଇଟି ଖଡଗପୁର ଜୋନରେ ୪ତମ ସ୍ଥାନ ହାଲସ କରିଛନ୍ତି। ରାଜ୍ୟର ଦ୍ୱିତୀୟ ଟପ୍ପର କେନ୍ଦ୍ରାପଡା ଜିଲାର ଶିବାଶିଷ ରାଉତ ହୋଇଛନ୍ତି। ସେ ସର୍ବଭାରତୀୟ ରାଙ୍କ ୭୩ତମ ସ୍ଥାନରେ ଅଛନ୍ତି। ସେହିଭଳି ରାଜ୍ୟ ଟପ୍ପର ତାଲିକାର ତୃତୀୟ ସ୍ଥାନରେ ରୋନାକଙ୍କ ଭାଇ ମାନଥାନ ଡାଲମିଆ ଥିବାବେଳେ ସର୍ବଭାରତୀୟ ରାଙ୍କ ୧୦୦ ତମ ସ୍ଥାନରେ ଅଛନ୍ତି।
କଣ୍ଟାବାଞ୍ଜିର ଦୁଇ ଭାଇ ଶ୍ରେଷ୍ଠ ୧୦୦ ମଧ୍ୟରେ ସ୍ଥାନ ପାଇଛନ୍ତି। ଲକ୍‍ଡାଉନ୍‍ ସମୟରେ ଉଭୟ ଘରେ ଥିଲେ। ରୋନାକ କହିଛନ୍ତି, ଅନ୍ୟମାନଙ୍କ ବିନା ସାହାଯ୍ୟରେ ଜେଇଇ ଆଡଭାନ୍ସ ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ଆଇଆଇଟି ମୁମ୍ବାଇରୁ କମ୍ପ୍ୟୁଟର ସାଇନ୍ସିରେ ପଢିବାକୁ ଇଚ୍ଛା ରଖିଛନ୍ତି। ତେବେ ଛତିଶଗଡ଼ ରାୟପୁରରେ ଉଭୟ ପରୀକ୍ଷା ଦେଇଥିଲେ। ଦ୍ବିତୀୟ ହୋଇଥିବା ଶିବାଶିଷ ଦଶମ ଏବଂ ଦ୍ୱାଦଶ ଶ୍ରେଣୀରେ ୯୭ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବାବେଳେ କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା (କେଭିପିୱାଇ)ରେ ସର୍ବଭାରତୀୟ ରାଙ୍କ ୭୬ତମ ସ୍ଥାନରେ ରହିଥିଲେ। ମୋଟ ୨୯୬ ମାର୍କରୁ ୨୮୭ ରଖି ୭୩ତମ ସ୍ଥାନ ହାସଲ କରିଛନ୍ତି। ଏ ସଂକ୍ରାନ୍ତରେ ଶିବାଶିଷ କହିଛନ୍ତି, ଆଇଆଇଟି ଦିଲ୍ଳୀରେ କଂପ୍ୟୁଟର ସାଇନ୍ସରେ ପଡ଼ିବାକୁ ଲକ୍ଷ୍ୟ ରଖିଛି। ଗଣିତ ଏବଂ ପ୍ରୋଗ୍ରାମିଂ କରିବାକୁ ଭଲ ପାଏ। କମ୍ପ୍ୟୁଟର ସାଇନ୍ସରେ ଅଧିକ ପ୍ରୋଗ୍ରାମିଂ ଏବଂ ଗଣିତ ପାଠ ଥିବାରୁ କଂପ୍ୟୁଟର ସାଇନ୍ସକୁ କ୍ୟାରିୟର ଭାବେ ଚୟନ କରିଛି। ଆଗାମୀ ଦିନରେ ଆଇଆଇଟି ଦିଲ୍ଲୀରୁ କମ୍ପ୍ୟୁଟର ସାଇନ୍ସ ସାରିବା ପରେ ଉଚ୍ଚଶିକ୍ଷା ନିମନ୍ତେ ଆଇଟି ସେକ୍ଟରରେ ଏମ୍‍.ଟେକ କରିବାକୁ ଲକ୍ଷ୍ୟ ରଖିଛି।
ଉକ୍ତ ପରୀକ୍ଷା ପାଇଁ ରାଜ୍ୟରୁ ଜେଇଇ ମେନ୍‍ ମାଧ୍ୟମରେ ୩୨୦୨ ପରୀକ୍ଷାର୍ଥୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୩୦୦୦ ବିଦ୍ୟାର୍ଥୀ ପରୀକ୍ଷା ଦେବା ପାଇଁ ନାମ ପଞ୍ଜିକରଣ କରିଥିଲେ। ୨୭୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜଣାପଡ଼ିଛି।

ଆଇଆଇଟି ବମ୍ବେ ଜୋନରୁ ପରୀକ୍ଷା ଦେଇଥିବା ଚିରାଗ ମୋଟ ୩୯୬ ନମ୍ବରରୁ ୩୫୨ନମ୍ବର ହାସଲ କରିଛନ୍ତି। ‘ବାଲ୍‌ ପୁରସ୍କାର’ ବିଜୟୀ ଚିରାଗ ଆମେରିକାର ମାସାଚୁସେଟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକ୍‌ନୋଲଜି (ଏମ୍‌ଆଇଟି)ରେ ଅଧ୍ୟୟନ କରିବେ ବୋଲି କହିଛନ୍ତି। ଆଇଆଇଟି ରୁର୍କି ଜୋନ୍‌ର କନିଷ୍କା ମିତ୍ତଲ ୧୭ତମ ସ୍ଥାନରେ ରହି ଛାତ୍ରୀଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ସେ ୩୯୬ ନମ୍ବର ମଧ୍ୟରୁ ୩୧୫ ନମ୍ବର ହାସଲ କରିଛନ୍ତି। ଚଳିତ ବର୍ଷ କୌଣସି ଛାତ୍ରୀ ତାଲିକାର ଶୀର୍ଷ ୧୦ରେ ସ୍ଥାନ ମଧ୍ୟରେ ସ୍ଥାନ ପାଇବାରେ ସଫଳ ହୋଇ ନାହାନ୍ତି। ଜେଇଇ ଆଡଭାନ୍ସ ୨୦୨୦ ପରୀକ୍ଷାରେ ଦେଶର ପ୍ରାୟ ଏକ ଲକ୍ଷ ୬୦ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଉତ୍ତୀର୍ଣ୍ଣ ୪୩,୨୦୪ ଛାତ୍ରଛାତ୍ରୀ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା କାଉନସେଲିଂ ପାଇଁ ପଞ୍ଜୀକରଣ କରିବେ।

Comments are closed.