ବାକି ବିଜୁଳି ବିଲ୍‌ ମାଗି ମାଡ଼ଖାଇଲେ ଯନ୍ତ୍ରୀ

ହାଟଡ଼ିହି : ବକେୟା ବିଦ୍ୟୁତ ବିଲ ମାଗିବାରୁ ଏହି ବ୍ଲକର ଜଣେ ଉପଭୋକ୍ତା ନିର୍ବାହୀ ଯନ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ କାଠ ଫାଳିଆରେ ମାଡ଼ ମାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ନନ୍ଦିପଦା ଥାନା ଅନ୍ତର୍ଗତ ଅଣା ଛକ କେନାଲ ନିକଟରେ ବିଦ୍ୟୁତ ଉପଭୋକ୍ତା ଘନଶ୍ୟାମ ମହାପାତ୍ର ଓ ତାଙ୍କ ସ୍ତ୍ରୀ ବାସନ୍ତୀ ମହାପାତ୍ର ରହନ୍ତି। ତାଙ୍କ ଉପରେ ବିଦ୍ୟୁତ ବିଲ ବାବଦରେ ୭୨ ହଜାର ଟଙ୍କା ବକେୟା ହୋଇଛି। ବହୁବାର ବିଦ୍ୟୁତ ଯନ୍ତ୍ରୀ ଓ ଲାଇନମ୍ୟାନ ବକେୟା ବିଲ ମାଗିବା ପରେ ମଧ୍ୟ ସେ ଦେଉ ନଥିଲେ। ବିଭିନ୍ନ ଆଳ ଦେଖାଇ ମନା କରୁଥିଲେ। ଏଭଳି ସ୍ଥିତିରେ ବକେୟା ବିଲ ଆଦାୟ ପାଇଁ ମଙ୍ଗଳବାର ଆନନ୍ଦପୁର ନିର୍ବାହୀ ଯନ୍ତ୍ରୀ ଚିତ୍ତରଞ୍ଜନ ମିସ୍ତ୍ରୀ, ଯନ୍ତ୍ରୀ ମାନସ ମହାନ୍ତି, ଲାଇନମ୍ୟାନ ଚିତ୍ତ ରାଉତ ପ୍ରମୁଖ ତାଙ୍କ ଘରେ ପହଞ୍ଚି ବିଦ୍ୟୁତ ବିଲ ମାଗିଥିଲେ। ଏହାକୁ ନେଇ ପରିବାର ଲୋକ କୋଭିଡ଼ ଯୋଗୁଁ ଏତେ ପରିମାଣର ଅର୍ଥ ସେମାନଙ୍କ ପାଖରେ ନଥିବା କହିଥିଲେ। ଏଥିପାଇଁ ବହୁତ ସମୟ କଥାବାର୍ତ୍ତା ପରେ ବିଲର ଅଧା ଦିଅ ଅବଶିଷ୍ଟ ଆଉ କିଛିଦିନ ପରେ ଦେବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଉପଭୋକ୍ତା କିଛି ବି ଦେଇ ପାରିବେ ନାହିଁ ବୋଲି କହିବା ପରେ ତାଙ୍କର ଲାଇନ କାଟି
ଦେବାକୁ କୁହାଯାଇଥିଲା। ତାଙ୍କ ପୁଅ ଅନିଲ ମହାପାତ୍ର ରାଗିଯାଇ ଏକ କାଠ ଫାଳିଆରେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ। ଯେତେ ବିରୋଧ କରିଥିଲେ ମଧ୍ୟ ସେ ତାଙ୍କ ମୁଣ୍ଡକୁ ମାରିବା ସହିତ ତଳେ ପକାଇଦେଇଥିଲେ। ତଳେ ପଡ଼ି ତାଙ୍କୁ ହାତ ଯୋଡ଼ିଥିଲେ ମଧ୍ୟ ତାଙ୍କୁ ମାଡ଼ ମାରିଥିଲେ। ଏହାକୁ ନେଇ ସେ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ହାଟଡିହି ପରେ ଆନନ୍ଦପୁର ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ନନ୍ଦିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା କୁହାଯାଉଛି।

Comments are closed.