କନିଷ୍ଠ ଯନ୍ତ୍ରୀଙ୍କ ପ୍ରତି ଦୁର୍ବ୍ୟବହାର ଓ ଧମକ ଘଟଣା : ଦୃଢ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ଚେତାବନୀ

ଲୋଇସିଂହା : ପାଟଣାଗଡ଼ ନବ ନିର୍ବାଚିତ ଶାସକ ଦଳର ବିଧାୟକ ସରୋଜ ମେହେର ଜଣେ କର୍ତ୍ତବ୍ୟରତ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ରାସ୍ତା ମଝିରେ ଦୁର୍ବ୍ୟବହାର ପ୍ରଦର୍ଶନ ସହ ଉଠବସ କରାଇବା ଏବଂ ନିର୍ଦ୍ଦେଶ ନମାନିଲେ ସାଧାରଣ ଲୋକଙ୍କ ଦ୍ୱାରା ମାଡ଼ ମରାଇବା ପାଇଁ ଧମକ ଚମକ ଦେବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆଦିବାସୀ କଲ୍ୟାଣ ସଂଘ ଲୋଇସିଂହା ଓ ଆଗଲପୁର ବ୍ଳକ ଶାଖା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବଲାଙ୍ଗିର ଜିଲା ଆଦିବାସୀ କଲ୍ୟାଣ ସଂଘର ଉପସଭାପତି ଶ୍ୟାମ ସୁନ୍ଦର ଭୋଇ, ବ୍ଳକ ସଭାପତି କାହ୍ନୁ ପ୍ରଧାନ,ସମ୍ପାଦକ ମୋହନ ପୁଟ୍ଟା, ଆଗଲପୁର ବ୍ଳକ ସଭାପତି ବଳଦେବ ଭୋଇ, ସହ ସମ୍ପାଦକ ନାରାୟଣ ମିର୍ଦ୍ଧା, ଶୁଭଙ୍କର ସାହାଣୀ, ଭାଗିରଥୀ ଭୋଇ, ଦେବରାଜ ମିର୍ଦ୍ଧା, ବାଞ୍ଚାନିଧି ଭୋଇଙ୍କ ସମେତ ସଂଘର ବହୁ କର୍ମକର୍ତ୍ତା ଓ ସଭ୍ୟ/ସଭ୍ୟା ନବ ନିର୍ବାଚିତ ପାଟଣାଗଡ଼ ବିଧାୟକଙ୍କ ଦ୍ୱାରା କନିଷ୍ଠ ଯନ୍ତ୍ରୀ ଶ୍ରୀ ଶବରଙ୍କ ପ୍ରତି ଅଶୋଭନୀୟ ଆଚରଣ ସହ ଧମକ ଦେବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଏହାର ଉପଯୁକ୍ତ ତଦନ୍ତ କରି ବିଧାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ  ସହ କନିଷ୍ଠ ଯନ୍ତ୍ରୀ ଶ୍ରୀ ଶବର ଓ ତାଙ୍କ ପରିବାରର  ସୁରକ୍ଷା ଦାବି କରିଛନ୍ତି । ଏହା କେବଳ କନିଷ୍ଠ ଯନ୍ତ୍ରୀ ଶବରଙ୍କ ପ୍ରତି ନୁହେଁ ବରଂ ସମଗ୍ର ଆଦିବାସୀ ସମାଜ ପ୍ରତି ଅପମାନ ବୋଲି ଆଗଲପୁର ବ୍ଲକ ସଭାପତି ଶ୍ରୀ ଭୋଇ ଉଲ୍ଲେଖକରି ଯଦି ସରକାର ନିଜ ଦଳର ବିଧାୟକ ବୋଲି ବିଧାୟକ ଶ୍ରୀ ମେହେରଙ୍କ ବିରୁଦ୍ଧର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି କୋହଳ ମନୋଭାବ ପୋଷଣ କରନ୍ତି ତେବେ ଆଦିବାସୀ କଲ୍ୟାଣ ସଂଘ ଜୋରଦାର ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଳାଇବ ବୋଲି ଉଭୟ ଶାଖା ପକ୍ଷରୁ ଚେତାବନୀ ଦିଆଯାଇଛି।

Comments are closed.