୪ ରାଜ୍ୟରେ ଏକାକୀ ବିଧାନସଭା ନିର୍ବାଚନ ଲଢିବ ଜେଡିୟୁ

ପାଟନା : ନୀତୀଶ କୁମାରଙ୍କ ପାର୍ଟି ସଂଯୁକ୍ତ ଜନତା ଦଳ (ଜେଡିୟୁ) ବିହାର ବାହାରେ ବିଜେପି ନେତୃତ୍ୱାଧୀନ ଏନଡିଏର ଅଂଶ ରହିବ ନାହିଁ। ଆସନ୍ତା ଦିନରେ ୪ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଜେଡିୟୁ ଏକାକୀ ଲଢିବ। ରବିବାର ଜେଡିୟୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି।
ଜେଡିୟୁ ଦିଲ୍ଲୀ, ହରିୟାଣା, ଜାମ୍ମୁ କାଶ୍ମୀର ଏବଂ ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏକାକୀ ଲଢିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହି ବୈଠକରେ ପାର୍ଟିର ସମ୍ପ୍ରସାରଣ ଏବଂ ସଂଗଠନକୁ ଅଧିକ ମଜଭୁତ କରିବା ପାଇଁ ଆଲୋଚନା ହୋଇଥିଲା। ଏହାସହ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଜେଡିୟୁକୁ ଅନ୍ତର୍ଭୁକ୍ତ କରାନଯିବା ପ୍ରସଙ୍ଗରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।
ପ୍ରକାଶ ଯେ ମୋଦୀଙ୍କ ଦ୍ୱିତୀୟ ପାଳିରେ ଜେଡିୟୁକୁ ଗୋଟିଏ ମନ୍ତ୍ରୀ ପଦ ଦେବାକୁ ବିଜେପି ପ୍ରସ୍ତାବ ଦେଇଥିଲା। ମାତ୍ର ଜେଡିୟୁ ଦୁଇଟି ମନ୍ତ୍ରିପଦ ଦାବିରେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା। ଫଳରେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଜେଡିୟୁ କୋଟାରୁ ମନ୍ତ୍ରୀ ଭାବେ କେହି ଶପଥ ନେଇନଥିଲେ।
ତେବେ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଜେଡିୟୁ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର କାମ କରିବା ପ୍ରସଙ୍ଗ ନେଇ କୌଣସି ଚର୍ଚ୍ଚା ହୋଇନାହିଁ ବୋଲି ଜେଡିୟୁ ସାଧାରଣ ସମ୍ପାଦକ କେସି ତ୍ୟାଗୀ କହିଛନ୍ତି। ଏହି ପ୍ରସଙ୍ଗ ନେଇ ଶନିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଥିଲେ ଯେ ପ୍ରଶାନ୍ତ କିଶୋନର ନିଜସ୍ୱ ଏକ କମ୍ପାନୀ ରହିଛି ଓ ଏହି କମ୍ପାନୀ ରାଜନୈତିକ ଦଳ ପାଇଁ ପ୍ରଚାର କାର୍ଯ୍ୟ କରେ। ଏହି କମ୍ପାନୀ ସହ ଜେଡିୟୁର କୌଣସି ନେଣଦେଣ ନାହିଁ।

Comments are closed.