ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଆଦର୍ଶରେ ଆଜିର ଯୁବପିଢ଼ି ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ

ଭୁବନେଶ୍ୱର : ନୂଆଦିଲ୍ଲୀ ଲୋକନାୟକ ଜୟପ୍ରକାଶ ଆର୍ନ୍ତଜାତୀୟ ଶିକ୍ଷା ବିକାଶ କେନ୍ଦ୍ର ଓଡ଼ିଶା ଶାଖା ତରଫରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ ନେତୃତ୍ୱରେ ମାଷ୍ଟରକ୍ୟାଣ୍ଟିନ୍ ଛକସ୍ଥିତ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ସମାଜସେବୀ ବଂଶୀଧର ପରିଡ଼ା, ମନୋଜ ଜେନା, ଅଶ୍ୱିନୀ ମହାପାତ୍ର, ଯୁବ ଇଂଜିନିୟର ଶାରଦା ପ୍ରସନ୍ନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ କହିଥିଲେ ଯେ ଜୟପ୍ରକାଶଙ୍କ ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ ଏବେ ବି ଆବଶ୍ୟକତା ରହିଛି ବୋଲି ଅନୁଭବ କରାଯାଉଛି। ଏବେ ମଧ୍ୟ ଲାଗୁଛି ସମ୍ପୂର୍ଣ୍ଣ ଦେଶ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଦେଇ ଗତି କରୁଛି। ଏହି ଦୁର୍ଦ୍ଦିନର ମୁକାବିଲା ପାଇଁ ସମସ୍ତେ ଆଗେଇ ଆସିବା ଦରକାର। ଲୋକନାୟକ ଜୟପ୍ରକାଶ ଯେଉଁ ସମ୍ପୂର୍ଣ୍ଣ କ୍ରାନ୍ତି ଡାକରା ଦେଇଥିଲେ ଆଜି ମଧ୍ୟ ସେହି ସମ୍ପୂର୍ଣ୍ଣ କ୍ରାନ୍ତିର ପୁନରାବୃତ୍ତି ପ୍ରାସଙ୍ଗିକତା ରହିଛି। ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଆଦର୍ଶରେ ଆଜିର ଯୁବପିଢ଼ି ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ। ଗତ କିଛିଦିନ ହେବ ପେଟ୍ରୋଲ ଓ ଡିଜେଲ ଦର ଯେଉଁଭଳି ଭାବେ ବୃଦ୍ଧି ପାଉଛି, ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ। କାରଣ ୨୭୦% ଭାଗ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଟିକସ ନେଉଛନ୍ତି। ତା’ମାନେ ତେଲ ଲିଟର ପିଛା ୫୦ରୁ ୫୫ ଟଙ୍କା ଆମେ କେବଳ ଟିକସ ଆକାରରେ ଦେଉଛୁ ବୋଲି ଲୋକନାୟକ ଜୟପ୍ରକାଶ ଆନ୍ତର୍ଜାତୀୟ ଶିକ୍ଷା ବିକାଶ କେନ୍ଦ୍ର ଜାତୀୟ ସଭାପତି ବ୍ରଜକିଶୋର ତ୍ରିପାଠୀ ପ୍ରକାଶ କରିଥିଲେ।

Comments are closed.