ଜୟଦେବ ପୀଠ ଜରାଜୀର୍ଣ୍ଣ

ଉତ୍ତରଭୁବନେଶ୍ୱର: ଖୋର୍ଦ୍ଧା ଜିଲା ବାଲିଅନ୍ତା ଥାନା ଅନ୍ତର୍ଗତ ଜୟଦେବ ପୀଠ କେନ୍ଦୁବିଲ୍ୱ ସମ୍ପୂର୍ଣ୍ଣ ନିରବ ଆଉ ନିସ୍ତବ୍ଧ। ଗତ ବାତ୍ୟାରେ ଶ୍ରୀହୀନ ହୋଇଯାଇଛି ବୃକ୍ଷରାଜି ସହ ସମସ୍ତ ଉଦ୍ୟାନ। ଅସାମାଜିକଙ୍କ ଆଡ୍ଡାସ୍ଥଳୀ ହୋଇଛି ଏହି ପୀଠ। ଯେଉଁ ଦୁଷ୍ପ୍ରାପ୍ୟ ବୃକ୍ଷ ଓ ଲତା ବିଭିନ୍ନ ସ୍ଥାନରୁ ସଂଗୃହୀତ ହୋଇ ଔଷଧୀୟ ଉଦ୍ୟାନରେ ରୋପଣ କରାଯାଇଥିଲା ତାହା ଆଜି ଆଉ ଦେଖିବାକୁ ମିଳୁ ନାହିଁ। ସେଠାରେ ସ୍ଥାପିତ ବୁନ୍ଦା ଜଳସେଚନ ପ୍ରକଳ୍ପ ଭାଙ୍ଗିଯିବା ସହ ପୋତା ହୋଇଥିବା ଯନ୍ତ୍ରାଂଶକୁ ଦୁବୃର୍ତ୍ତମାନେ ତାଡ଼ି ନେଇଯାଇଛନ୍ତିି। ବଗିଚାକୁ ପାଣି ଯୋଗାଉଥିବା ପମ୍ପ ସହ ପଡ଼ିଥିବା ପାଇପ୍‌କୁ ବି ଚୋରମାନେ ନେଇ ଯାଇଥିବା ଅଭିଯୋଗ ହୋଇଛି। ପ୍ରାୟ ୮ ଏକର ପରିମିତ ଏହି ଔଷଧୀୟ ଉଦ୍ୟାନରେ ଲାଗିଥିବା ଅଶୋକ ଗଛଗୁଡ଼ିକୁ ଦୁର୍ବୃତ୍ତମାନେ କାଟି ନେଇଛନ୍ତି। ଏ ସମ୍ପର୍କରେ ବାଲିଅନ୍ତା ପୁଲିସ ନିକଟରେ ଏକାଧିକ ଥର ଅଭିଯୋଗ କରାଯାଇଥିଲେ ମଧ୍ୟ କାର୍ୟ୍ୟାନୁଷ୍ଠାନ ହୋଇ ନାହିଁ।

ମୁଖ୍ୟ ଉଦ୍ୟାନ ମଧ୍ୟରେ ଥିବା ବଡ଼ ଗଛଗୁଡ଼ିକ ଉପରେ ଦୁର୍ବୃତ୍ତମାନେ ପ୍ରଥମେ ପେଟ୍ରୋଲ ବା ଡିଜେଲ ଢାଳି ନିଆଁ ଲଗାଇ ପୋଡ଼ି ଦେଲାପରେ ବହୁ କାଠ କାଟି ନେଇଥିଲେ ମଧ୍ୟ ଅନୁସନ୍ଧାନ କରାଯାଇ ନାହିଁ। କାଳୀୟଦଳନ ପୁଷ୍କରିଣୀରେ ମହାପ୍ରଭୁଙ୍କ ବିଗ୍ରହ ସବୁ ଉପରକୁ ଦେଖାଯାଉଥିଲେ ମଧ୍ୟ ପୁଷ୍କରିଣୀଟି ସମ୍ପୂର୍ଣ୍ଣ କଲିକତି ଦଳରେ ପୂର୍ଣ୍ଣ। ମୁମ୍ବଇର ଫିଲିପ୍ସ କମ୍ପାନୀ ଦେଇଥିବା ଶ୍ରୀଗୀତ ଗୋବିନ୍ଦର ଶବ୍ଦ ଓ ଆଲୋକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅଚଳ। ବଜାଜ୍ କମ୍ପାନୀ ପ୍ରଦତ୍ତ ହାଇମାଷ୍ଟ ଲାଇଟ୍‌ ଆଉ ଜଳୁ ନାହିଁ। ପ୍ରକଳ୍ପର ଅଳ୍ପ ଦୂରରେ ଥିବା ଖୁଣ୍ଟ ଓ ତାର ଦ୍ୱାରା ଆବଦ୍ଧ ହୋଇଥିବା ପାଞ୍ଚ ଏକର ଜମିରେ କୌଣସି ଉନ୍ନୟନ କାର୍ୟ୍ୟ ହେବା ଦେଖାଯାଉ ନାହିଁ।

ଗୀତଗୋବିନ୍ଦ ବର୍ଣ୍ଣିତ ବାରଗୋଟି କୁଞ୍ଜ ପ୍ରାୟ ଭାଙ୍ଗିଯାଇଛି। କେବଳ ସେଥିରେ ବସାଇବା ନିମନ୍ତେ ୧୧ଟି ବ୍ରୋଞ୍ଜ ନିର୍ମିତ କୃଷ୍ଣ ବିଗ୍ରହ ଏକ ଆବଦ୍ଧ କୋଠରିରେ ଅଖା ବନ୍ଧା ଅବସ୍ଥାରେ ପଡ଼ିରହିଛି। ବନ ବିଭାଗକୁ ପ୍ରକଳ୍ପଟି ହସ୍ତାନ୍ତର ନିମନ୍ତେ ଉଚ୍ଚସ୍ତରରେ ପ୍ରାୟ ଏକମତ ହୋଇଥିଲେ ମଧ୍ୟ ପର୍ୟ୍ୟଟନ ବିଭାଗର ଉଦାସୀନତା ହିଁ ବିପର୍ୟ୍ୟୟର ମୂଳ କାରଣ ହୋଇଛି। ବନ ବିଭାଗ ଦ୍ୱାରା ପରିଚାଳିତ ୧୦୦ ଏକର ପରିମିତ ଭୁବନେଶ୍ୱର ଖଣ୍ଡଗିରି ନିକଟ ଜୟଦେବ ବାଟିକା ରାଜ୍ୟର ଏକ ଆକର୍ଷଣୀୟ ପ୍ରକଳ୍ପ ହୋଇଥିବା ବେଳେ ଜନ୍ମସ୍ଥାନରେ ପ୍ରତିଷ୍ଠିତ ଏହି ପ୍ରକଳ୍ପର ଏପରି ଶୋଚନୀୟ ଅବସ୍ଥା କାହିଁକି ହୋଇଛି ସେନେଇ ସାଧାରଣରେ ପ୍ରଶ୍ନ ଉଠୁଛି।

ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ସଭାପତି ଡ. ଅଜିତକୁମାର ତ୍ରିପାଠୀ ଓ କାର୍ୟ୍ୟନିର୍ବାହୀ ଟ୍ରଷ୍ଟି ଡ. ପ୍ରଫୁଲ୍ଲଚନ୍ଦ୍ର ତ୍ରିପାଠୀ କହିଛନ୍ତି ସାଧାରଣ ଲୋକଙ୍କ ସହଯୋଗ ମିଳିଲେ ହିଁ ସମସ୍ତ ସମସ୍ୟାର ସମାଧାନ ହୋଇପାରନ୍ତା। ସର୍ବୋପରି ପୁଲିସ ପ୍ରଶାସନର ନିଷ୍କ୍ରିୟତା ହିଁ ଜୟଦେବ ପୀଠର ଅବନତି ପାଇଁ ମୁଖ୍ୟତଃ ଦାୟୀ ବୋଲି କୁହାଯାଉଛି। ଆନ୍ତର୍ଜାତିକ ପର୍ୟ୍ୟଟନସ୍ଥଳୀ ନିମନ୍ତେ ଉଦ୍ଦେଶ୍ୟ ରଖି ସେଠାକୁ ପିଚୁରାସ୍ତା, ଫାଣ୍ଡି ଓ ଡାକ୍ତରଖାନାର ଆବଶ୍ୟକତା ରହିଥିଲେ ମଧ୍ୟ ଡାକ୍ତରଖାନା ପ୍ରତିଷ୍ଠା ହୋଇପାରିଲା ନାହିଁ। ସେଠାରେ ଗୋଟାଏ ବିଟ୍ ହାଉସ ଥିଲା। ତାହାକୁ ଉଠାଇ ନିକଟରେ ଏକ ଫାଣ୍ଡି ପ୍ରତିଷ୍ଠା କରାଯାଇଛି। ଏହି ଅନୁଷ୍ଠାନ ସହ ଜଡ଼ିତ ବହୁ ବରିଷ୍ଠ ପ୍ରଶାସକ, ପ୍ରତିଷ୍ଠିତ ରାଜନୈତିକ ବ୍ୟକ୍ତିବିଶେଷ ଆଉ ସେଠାକୁ ଯାଉ ନାହାନ୍ତି। ଏଥିନିମନ୍ତେ ପର୍ୟ୍ୟଟନ ବିଭାଗ, ବାଲିଅନ୍ତା ପୁଲିସ ଧ୍ୟାନ ଦେବା ଉଚିତ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Comments are closed.