ଯବାନଙ୍କ ଅଭିନବ ପ୍ରୟାସ ସଡ଼କ ସୁରକ୍ଷା ବାର୍ତ୍ତା ନେଇ ଦୌଡ଼ିଲେ

ଭୁବନେଶ୍ବର : ସାଧାରଣ ଲୋକ ଏବଂ ଚାଳକମାନେ ସଚେତନ ହେଲେ ଓଡ଼ିଶା ଦୁର୍ଘଟଣା ମୁକ୍ତ ହୋଇପାରିବ। ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାକୁ ଅନେକ ମାତ୍ରାରେ କମ୍‌ କରାଯାଇପାରିବ। ଏନେଇ ଲୋକଙ୍କୁ ସଚେତନ କରାଇବା ପାଇଁ ଅବସରପ୍ରାପ୍ତ ଯବାନ କରିଛନ୍ତି ନିଆରା ପ୍ରୟାସ। ଏନେଇ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ବିଭାଗର ରୋଡ଼ ସେଫ୍ଟି ସୋସାଇଟି ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ‌େ‌ର ସେନା ଯବାନ ଜଣକ ପାଖାପାଖି ୫୦୦ କିମି ଦୌଡ଼ିବେ। ୧୦ ଦିନରେ ୨୪ଟି ସ୍ଥାନ ବୁଲି ଲୋକଙ୍କୁ ସଡ଼କ ସୁରକ୍ଷା ବିଷୟରେ ସଚେତନ କରାଇବେ। ଏନେଇ ଢେଙ୍କାନାଳ ଅଞ୍ଚଳର ଯବାନ ସିଦ୍ଧାର୍ଥ ଶଙ୍କର ଦାସ ଗୁରୁବାର ସକାଳୁ କଳିଙ୍ଗ ଷ୍ଟାଡିୟମ ନିକଟରୁ ଦୌଡ଼ିବା ଆରମ୍ଭ କରିଛନ୍ତି। ଏହି ଅବସରରେ ପରିବହନ କମିସନର ସଞ୍ଜୀବ ପଣ୍ଡା, ଆରଟିଓ-୧ ପ୍ରଦୀପ କୁମାର ମହାନ୍ତି, ଭୁବନେଶ୍ବର ସାଇକଲିଂ ଏଣ୍ଡ ଆଡଭେଞ୍ଚର୍‌ କ୍ଲବର ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ। ୩୨ ତମ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଯବାନଙ୍କ ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି। ଆସନ୍ତା ୨୦ ତାରିଖରେ ତାଙ୍କ ଅଭିଯାନ ଶେଷ ହେବ। ପ୍ରତ୍ୟେକ ଦିନ ସେ ପାଖାପାଖି ୫୦ କିଲୋମିଟର ଦୌଡ଼ିବେ। ଏହି ଅବସରରେ ସେ ଭୁବନେଶ୍ବର, ପୁରୀ, ଜଗତସିଂହପୁର, କଟକ,ଚଣ୍ଡିଖୋଲ, ଢେଙ୍କାନାଳ ଦେଇ ଭୁବନେଶ୍ବର ଫେରିବେ। ବିଭିନ୍ନ ସ୍ଥାନରେ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ହେଉଥିବା କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କୁ ସଡ଼କ ସୁରକ୍ଷା ନିୟମ ସମ୍ପର୍କରେ ସଚେତନ କରୁଛନ୍ତି।

Comments are closed.