ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ବର୍ଷିଲେ ପୂର୍ବ ସାଥୀ ଜାଭେଦ ମିଆଁଦାଦ: କହିଲେ ତୁମକୁ ପ୍ରଧାନମନ୍ତ୍ରୀ କରିଥିଲୁ, ତୁମେ ଖୁଦା ହୋଇ ବସିଗଲ

ନୂଆଦିଲ୍ଲୀ: ପାକିସ୍ଥାନର ପୂର୍ବତନ କ୍ରିକେଟ ଅଧିନାୟକ ତଥା ପ୍ରଖ୍ୟାତ ବ୍ୟାଟ୍ସମ୍ୟାନ ଜାଭେଦ ମିଆଁଦାଦ୍ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପ​‌ରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ଇମ୍ରାନଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିଥିଲେ ସେମାନଙ୍କ ମଧ୍ୟରୁ ସେ (ମିଆଁଦାଦ୍) ଜଣେ । ମାତ୍ର ରାଜନୀତିରେ ସାମିଲ ହେବା ପରେ ଇମ୍ରାନ ନିଜକୁ ଖୁଦା (ଈଶ୍ଵର) ପରି ଭାବୁଛନ୍ତି । ସେ କହିଛନ୍ତି ଯେ ମୁଁ ରାଜନୀତିରେ ସାମିଲ ହେବି ଓ ଲୋକଙ୍କୁ ଦେଖାଇ ଦେବି ରାଜନୀତି କ’ଣ । ଇମ୍ରାନ ମୋ ଅଧିନାୟକତ୍ଵରେ କ୍ରିକେଟ୍ ଖେଳିଥିଲେ, ସେ ମୋର ଅଧିନାୟକ ନ ଥିଲେ ।

୧୯୯୨ ବିଶ୍ଵକପ୍ କ୍ରିକେଟ୍ ଦଳର ବିଜେତା ସଦସ୍ୟ ଜାଭେଦ ମିଆଁଦାଦ ଇମ୍ରାନଙ୍କ ଉପରେ ଅଭିଯୋଗ କରିଛନ୍ତି ଯେ ସେ ଦେଶକୁ ଠିକ୍ ଭାବରେ ଚଳାଇବାକୁ ଅକ୍ଷମ । ଇମ୍ରାନ ନିଜ ରାସ୍ତା ଭୂଲି ଯାଇଛନ୍ତି । ଏପରିକି ପିସିବିରେ ନିଯୁକ୍ତିରେ ମଧ୍ୟ ସନ୍ଦେହ ରହିଛି । ସେ କହିଛନ୍ତି ପାକିସ୍ଥାନ ଲୋକ ବହୁତ ସକ୍ଷମ, ବିଦେଶରୁ ଲୋକଙ୍କୁ ଆଣି ପାକିସ୍ଥାନ କ୍ରିକେଟ ବୋର୍ଡ଼ରେ ନିଯୁକ୍ତି ଦେବାର କୌଣସି ଆବଶ୍ୟକତା ନାହିଁ । କିଛି ଅଜ୍ଞାନୀ ଲୋକ ଏବେ ପିସିବି (ପାକିସ୍ଥାନ କ୍ରିକେଟ୍ ବୋର୍ଡ଼) ଚଳାଉଛନ୍ତି । ସେମାନେ ଯଦି କିଛି ଦୁର୍ନୀତି କରି ପଳାଇ ଯାଆନ୍ତି ସେମାନଙ୍କୁ ଇମ୍ରାନ କିପରି ଧରିବେ ବୋଲି ମିଆଁଦାଦ ପ୍ରଶ୍ନ କରିଛନ୍ତି । ପୂର୍ବତନ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ସହ ଯେପରି ବ୍ୟବହାର କରାଗଲା ତାହା ଅତ୍ୟନ୍ତ ଅନୁଚିତ୍ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ସର୍ଫରାଜ ଅହମ୍ମଦ ୨୦୧୯ ବିଶ୍ଵକପ​‌ରେ ଦଳର ଅଧିନାୟକ ଥିଲେ । ମାତ୍ର ବିଶ୍ଵକପ୍ ପରେ ତାଙ୍‌କୁ ଦଳରୁ ବାହାର କରି ଦିଆଯାଇଥିଲା । ଅବଶ୍ୟ ଏବେ ତାଙ୍କୁ ଇଂଲଣ୍ଡ ଗସ୍ତରେ ଦଳରେ ସାମିଲ କରାଯାଇଛି । ମାତ୍ର ପ୍ରଥମ ଟେଷ୍ଟରେ ତାଙ୍କୁ ସାମିଲ କରାଯାଇ ନ ଥିଲା । ପ୍ରଥମ ଟେଷ୍ଟ​‌ରେ ସେ ଖେଳାଳିଙ୍କ ଯୋତା ଆଣୁଥିବା ଦେଖାଯାଇଥିଲା । ଏହାପରେ ପାକ୍ କ୍ରିକେଟ୍ ଦଳର ପୂର୍ବତନ ଖେଳାଳି ରମିଜ ରାଜା, ସୋଏବ ଅଖତର ପ୍ରମୁଖ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏପରିକି ତାଙ୍କୁ କ୍ରିକେଟରୁ ସନ୍ୟାସ ନେବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।

Comments are closed.