ଅନିଶ୍ଚିତତା ମଧ୍ୟରେ ଯାତ୍ରା କଳାକାରଙ୍କ ଭାଗ୍ୟ, ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ଭୁବନେଶ୍ଵର : ମହାମାର କରୋନା ପାଇଁ ସାରା ଦେଶ ଲକ୍ ଡାଉନ ହୋଇ ରହିଛି । ଲକ୍ ଡାଉନ ଯୋଗୁଁ ଯାତ୍ରା ମଧ୍ୟ ବନ୍ଦ ହୋଇ ରହିଛି । ଦିର୍ଘଦିନ ଧରି ଯାତ୍ରା ବନ୍ଦ ରହିଥିଲେ ବି ଆଗକୁ କେବେ ଯାତ୍ରା ହେବ ତାହକୁ ନେଇ ଯାତ୍ରା କଳାକାର ମାନେ ଅନିଶ୍ଚିତତା ମଧ୍ୟର ରହିଛନ୍ତି । ସରକାର ସମସ୍ତଙ୍କ  ପାଇଁ କିଛି ନା କିଛି ସୁବିଧା କରୁଥିବା ​‌ବେଳେ ଯାତ୍ରା କଳାକାରଙ୍କୁ ସମ୍ପୁର୍ଣ୍ଣ ଭୁଲି ଯାଇଥିବା ଅଭିଯୋଗ କରିଛି ଯାତ୍ରା କଳାକାର ସଂଘ । ବର୍ତ୍ତମାନ ସମୟରେ ଯାତ୍ରା ବନ୍ଦ ରହିଥିବା କାରଣରୁ କିପରି ଯାତ୍ରା କଳାକାରଙ୍କ ପରିବାର ଚଳିବ ସେନେଇ ନିଜର ଦୁଃଖ ମୁଖ୍ୟମନ୍ତ୍ରୀଙ୍କ ଜଣାଇବା ପାଇଁ ନବୀନ ନିବାସ ଯାଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବର୍ଷ ତମାମ ଲୋକମାନଙ୍କୁ ମନୋରଞ୍ଜନର ଖୁରାକ ଯୋଗାଉଥିବା ଯାତ୍ରା କଳାକାର ବର୍ତ୍ତମାନ ଦୟନିୟ ସ୍ଥତିରେ ରହିଥିବାରୁ ତାର ପରିବାରକୁ କିଛି ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି ଯାତ୍ରା କଳାକାର ।

ନବୀନ ନିବାସରୁ ଫେରିବା ପରେ ଯାତ୍ରା କଳାକାର ସଂଘ ମନ୍ତ୍ରୀ ପ୍ରତାପ ଜେନା ଓ ବିଧାୟକ ବିଷ୍ଣୁ ଦାସଙ୍କୁ ଭେଟି ତାଙ୍କର ଦାବିପତ୍ର ପ୍ରଦାନ କରିଛନ୍ତି । ଏଥି ସହିତ ଯାତ୍ରା କଳାକାରଙ୍କ ଦୁଃଖ ବିଷୟରେ କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ସାଂସଦ ସୁଜିତ କୁମାରଙ୍କ ସହିତ ଆଲୋଚନା ହେବ ବୋଲି ସଂଘର ସମ୍ପାଦକ ରମେଶ ଚନ୍ଦ୍ର ନାୟକ ଏକ ପ୍ରେସ୍‌ ବିବୃତ୍ତିରେ ସୂଚନା ଦେଇଛନ୍ତି ।

ସମ୍ପାଦକ ଶ୍ରୀ ନାୟକ କହିଛନ୍ତି, ବର୍ଷ ସାରା ରାଜ୍ୟର କୋଣ ଅନୁକୋଣରେ ଯାତ୍ରା ପରିବେଷଣ କରି ଲୋକମାନଙ୍କୁ ମନୋରଞ୍ଜନ କରି ଆସିଛୁ । ବର୍ତ୍ତମାନ କରୋନା କଟକଣା ଯୋଗୁ ସରକାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଯାତ୍ରା ବନ୍ଦ କଲେ । ଫଳରେ ପ୍ରଯୋଜକ ଓ ପରିଚାଳକମାନେ ଘୋର ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଯେଉଁଥିପାଇଁ ସେମାନେ କଳାକାରଙ୍କୁ ବେତନ ଦେବାକୁ ସକ୍ଷମ ନାହାନ୍ତି । ଏଣୁ ୬୫ଟି ଯାତ୍ରା ପାର୍ଟିର ସମସ୍ତ କଳାକାର ଓ କର୍ମଚାରୀ ଓ ପାଖାପାଖି ୧୦ହଜାର ପରିବାରର ଗୁଜୁରାଣ ମେଣ୍ଟାଇବା କଷ୍ଟକର ହୋଇପଡ଼ିଛି । ଫଳରେ ସମସ୍ତେ ଭୋକ ଓପାସରେ କାଳ କାଟୁଛନ୍ତି । ଏଣୁ ସରକାର ଯାତ୍ରା କଳାକାରଙ୍କ କଥାକୁ ବୁଝନ୍ତୁ ଏବଂ କିପରି ତାଙ୍କ ପରିବାର ଚଳିବ ସେନେଇ କିଛି ସହାୟତା ପ୍ରଦାନ କରନ୍ତୁ । ଏଥି ସହିତ ଯାତ୍ର କଳାକାର ସଂଘ ସମ୍ପାଦନ ରମେଶ ଚନ୍ଦ୍ର ନାୟକ କହିଛନ୍ତି ଯାତ୍ରା କଳାକାର, ଟେକ୍ନିସିଆନମାନେ ନିର୍ମାଣ ଶ୍ରମିକ ଭାବେ ପଞ୍ଜିକୃତ ହୋଇନଥିବାରୁ ସରକାରୀ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏଣୁ ସରକାର ଏମାନଙ୍କୁ ନିର୍ମାଣ ଶ୍ରମିକ ଭାବେ ଗଣନା କରନ୍ତୁ ।

ବର୍ତ୍ତମାନ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ଓଡ଼ିଶାରେ ୧୦ହଜାର କଳାକାର ଓ କର୍ମଚାରୀ ଅଛନ୍ତି । ସରକାର ସେମାନଙ୍କୁ ସହାୟତା ଦିଅନ୍ତୁ, ଯେବେଠାରୁ କ୍ରୀଡ଼ା, ସଭା ଓ ଅଧିକ ଲୋକ ଯୋଗ ଦେଉଥିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନିମନ୍ତେ ଅନୁମତି ଦିଆଯିବ ସେବେଠାରୁ ଯାତ୍ରା ପରିବେଷଣ ଲାଗି ଅନୁମତି ଦିଆଯାଉ । ଯାତ୍ରା ପ୍ରଯୋଜକମାନଙ୍କୁ ସବ୍‌ସିଡିରେ ଲୋନ୍‌ ପ୍ରଦାନ କରାଯାଉ । ଯାତ୍ରା କଳାକୁ ଲୋକକଳାର ମାନ୍ୟତା ଦିଆଯାଉ । ପୂର୍ବରୁ ସରକାରଙ୍କୁ ଦିଆଯାଇଥିବା ୧୨ଦଫା ଦାବି ମଧ୍ୟରୁ ୯ଟି ଦାବି ଉପରେ ସରକାର ଆଲୋଚନା କରିବା ନିମନ୍ତେ ପ୍ରସ୍ତୁତ ଥିଲେ । ସେଗୁଡ଼ିକର ଯଥାଶୀଘ୍ର ଆଲୋଚନା କରାଯାଇ ସମାଧାନ କରାଯାଇ ବୋଲି ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି ।

 

Comments are closed.