ରଣଜୀ ଟ୍ରଫି ଖେଳି ଫିଟ୍‌ନେସ ପ୍ରମାଣ ଦେବେ ବୁମରା

ସୁରଟ୍‌ : ଭାରତୀୟ କ୍ରିକେଟ୍‌ ଦଳର ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରା ଘରୋଇ ଟ୍ରଫି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଖେଳି ନିଜ ଫିଟନେସ୍‌ର ପ୍ରମାଣ ଦେବେ ବୋଲି ଜଣାପଡ଼ିଛି। ସୂଚନାଥାଉକି ଆଘାତଜନିତ କାରଣରୁ ୨୬ ବର୍ଷୀୟ ବୁମରା ଗତ ସେପ୍ଟେମ୍ବରରୁ ଭାରତୀୟ ଦଳ ତରଫରୁ ଖେଳୁନଥିଲେ। ତେବେ ଆସନ୍ତା ମାସରେ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି୨୦ ଓ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ ନିମନ୍ତେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବୁମରା।
ବୁଧବାରରୁ ଗୁଜରାଟ ଦଳ ରଣଜୀ ଟ୍ରଫିର ଏକ ମ୍ୟାଚ୍‌ କେରଳ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍‌ରେ ବୁମରା ଗୁଜରାଟ ଦଳକୁ ପ୍ରତିନିଧିତ୍ବ କରିବେ ବୋଲି ଜଣାପଡ଼ିଛି। ରଣଜୀ ମ୍ୟାଚ୍‌ ଖେଳି ସେ କେତେ ଫିଟ୍‌ ଅଛନ୍ତି ତାହାର ପ୍ରମାଣ ବୁମରା ଦେବେ। ଏହି ମ୍ୟାଚ୍‌ ଦେଖିବାକୁ ମୁଖ୍ୟ ମନୋନୟନକାରୀ ଏମ୍‌ଏସ୍‌କେ ପ୍ରସାଦ ଷ୍ଟାଡ଼ିୟମରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।
ଟେଷ୍ଟ, ଦିନିକିଆ ଓ ଟ୍ବେଣ୍ଟି୨୦ ସବୁ ଫର୍ମାଟ୍‌ରେ ଭାରତୀୟ ଦଳର ପ୍ରମୁଖ ଦ୍ରୁତ ବୋଲର ଭାବେ ପରିଗଣିତ ବୁମରା ଭାରତ ଏବଂ ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳ ମଧ୍ୟରେ ବିଶାଖାପାଟଣାରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆ ନିମନ୍ତେ ଭାରତୀୟ ବ୍ୟାଟସମ୍ୟାନ୍‌ଙ୍କୁ ନେଟ୍‌ସରେ ବୋଲିଂ କରିଥିଲେ। ବୁମରା ୧୨ଟି ଟେଷ୍ଟ ଖେଳି ୬୨ଟି ୱିକେଟ୍ ହାସଲ କରିଥିବା ବେଳେ ଦିନିକିଆରେ ୧୦୩ ଓ ଟ୍ବେଣ୍ଟି୨୦ରେ ୫୧ଟି ୱିକେଟ୍ ହାସଲ କରିଥିଲେ।
ଚଳିତ ସିଜିନ୍‌ ରଣଜୀ ଟ୍ରଫିରେ ଗୁଜରାଟ ନିଜ ପ୍ରଥମ ମ୍ୟାଚରେ ହାଇଦରାବାଦ୍‌କୁ ସହଜରେ ପରାସ୍ତ କରିଥିବା ବେଳେ କେରଳ ନିଜ ଦ୍ବିତୀୟ ମ୍ୟାଚ୍‌ରେ ବେଙ୍ଗଲ ନିକଟରୁ ପରାସ୍ତ ହୋଇଛି। କେରଳ ନିଜ ପ୍ରଥମ ମ୍ୟାଚ୍ ଦିଲ୍ଲୀ ସହ ଡ୍ର ରଖିଥିଲା। କେରଳ ଦଳ ତରଫରୁ ଖେଳୁଛନ୍ତି ୱିକେଟରକ୍ଷକ ସଞ୍ଜୁ ସାମସନ୍‌।

Comments are closed.