ଅସ୍ପୃଶ୍ୟ ଅଭିଯାନ : ଜନତା କର୍ଫ୍ୟୁକୁ ଅଭୂତପୂର୍ବ ଜନସମର୍ଥନ

କୌଣସି ଏକ ଧାରଣା/ମାନସିକତାର ସକାରାତ୍ମକ ଚେତନା ବା ଆତ୍ମାନୁଶୀଳନ କେତେ ସୁଦୂରବିସ୍ତାରୀ ହୋଇପାରେ ତାହା ‘ଜନତା କର୍ଫ୍ୟୁ’ରେ ପ୍ରମାଣିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୪ ଘଣ୍ଟିଆ ସ୍ୱତଃସ୍ଫୂର୍ତ୍ତ ବନ୍ଦ ଡାକରାକୁ ଯେଉଁ ଭଳି ଭାବେ ସମର୍ଥନ ଓ ଉତ୍ସାହ ମିଳିଛି ତାହା ଅଭୂତପୂର୍ବ ଓ ଅବର୍ଣ୍ଣନୀୟ। ରବିବାର ସକାଳ ୭ଟାରୁ ବିଳମ୍ବିତ ସନ୍ଧ୍ୟା ୯ଟା ପର୍ଯ୍ୟନ୍ତ ଦେଶବାସୀଙ୍କ ଜନଜୀବନର ଗତିଶୀଳତା, ମାନସିକତା ଓ ଉତ୍ସାହକୁ ଅନୁଶୀଳନ କଲେ ଏହାକୁ ବିଗତ ୧୦୦ ବର୍ଷ ମଧ୍ୟରେ ଇତିହାସର ପୁନରାବୃତ୍ତି ବୋଲି କୁହାଯାଇପାରେ। ‘ଜନତା କର୍ଫ୍ୟୁ’ରେ ଦେଶବାସୀଙ୍କ ସ୍ୱତଃସ୍ଫୂର୍ତ୍ତ ଯୋଗଦାନ, ଉତ୍ସାହ ଓ ଉତ୍ସର୍ଗୀକୃତ ମନୋଭାବ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ‘ସତ୍ୟାଗ୍ରହ’, ‘ଅସହଯୋଗ’ ଓ ‘ଭାରତ ଛାଡ଼’ ଆନ୍ଦୋଳନର ସ୍ମୃତିକୁ ପୁନର୍ଜୀବିତ କରୁଛି।
ପରିବର୍ତ୍ତିତ ସାମାଜିକ ଚାଲିଚଳଣି ଓ ସ୍ୱାଧୀନ ଚିନ୍ତାଚେତନାର ପୃଷ୍ଠଭୂମିରେ ଯେକୌଣସି ‘ବନ୍ଦ ଡାକରା’(ସରକାରୀ କିମ୍ବା ବିରୋଧୀ ଦଳ) କ୍ରମଶଃ ଜନସମର୍ଥନ ହରାଉଥିବା ପରିଲକ୍ଷିତ ହେଉଛି। କେବଳ ହିଂସା ଓ ଉତ୍ତେଜନାଜନିତ ଭୟ ଯୋଗୁଁ ଦେଶବାସୀ(ସମ୍ପୃକ୍ତ ଦଳ ବା ସଂଗଠନକୁ ଛାଡ଼ି) ଅନିଚ୍ଛା ସତ୍ତ୍ବେ ‘ବନ୍ଦ ଡାକରା’ର ଏକ ଅଂଶ ହେବାକୁ ବାଧ୍ୟ ହେଉଥିଲେ ମଧ୍ୟ ଅଧିକାଂଶ ଅଞ୍ଚଳରେ ‘ବନ୍ଦ’ ପ୍ରଭାବଶୂନ୍ୟ ହେଉଛି। ଏହି ପୃଷ୍ଠଭୂମିରେ ତୁଳନା କଲେ ‘ଜନତା କର୍ଫ୍ୟୁ’ ଯେ ଅସାଧାରଣ, ଐତିହାସିକ ଓ ଅଶ୍ରୁତପୂର୍ବ ପଦବାଚ୍ୟ, ତାହା ନିଃସନ୍ଦେହ। ‘ଜନତା କର୍ଫ୍ୟୁ’ର ବ୍ୟତିକ୍ରମ ହେଲା ନରେନ୍ଦ୍ର ମୋଦୀ କୌଣସି ଦଳୀୟ ନେତା ଭାବରେ ନୁହେଁ, ସରକାର/ଶାସନ ମୁଖ୍ୟ ଭାବେ ବନ୍ଦ ଡାକରା ଦେଇ ଇତିହାସ ସୃଷ୍ଟି କରିଛନ୍ତି। ଅନ୍ୟ ବନ୍ଦ ଡାକରା ତୁଳନାରେ ‘ଜନତା କର୍ଫ୍ୟୁ’ର ଆଉ ଏକ ଉଲ୍ଳେଖନୀୟ ଉଦାହରଣ ହେଲା – ସମସ୍ତ ସରକାରୀ ଓ ଘରୋଇ ଗାଡ଼ି, ଟ୍ରେନ୍‍, ଏପରିକି ବିମାନ ଉଡ଼ାଣ ବନ୍ଦ ରଖିବାକୁ ସମ୍ପୃକ୍ତ ସଂଘ ଓ କର୍ତ୍ତୃପକ୍ଷ ସ୍ୱତଃ ନିଷ୍ପତ୍ତି ନେଇଛନ୍ତି। ବିପୁଳ ବ୍ୟାବସାୟିକ କ୍ଷତି ସତ୍ତ୍ବେ ଦୋକାନ ବଜାର ଓ କାରବାର ବନ୍ଦ ରଖିବାକୁ ବ୍ୟାବସାୟିକ ସଂଘ ଘୋଷଣା କରିଛି। ଏଥିରେ ବୃହତ୍‍ ଓ କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନ, ଛୋଟବଡ଼ ଦୋକାନୀ, ବୁଲାବିକାଳି, କର୍ମଚାରୀ ଅପୂର୍ବ ଉତ୍ସାହରେ ସାମିଲ୍‍ ହୋଇଛନ୍ତି।
ଜାତୀୟ ସ୍ୱାର୍ଥ, ଦେଶ ଓ ଦେଶବାସୀଙ୍କ ସାମୂହିକ କଲ୍ୟାଣ ପାଇଁ ଦଳମତ ଓ ସ୍ୱାର୍ଥ ନିର୍ବିଶେଷରେ ଭାରତବାସୀ ପ୍ରଦର୍ଶନ କରିଥିବା ଏକତା ଓ ସଂହତି ଆଜି ସମଗ୍ର ବିଶ୍ୱକୁ ଚମତ୍କୃତ ଓ ଆଶ୍ଚର୍ଯ୍ୟଚକିତ କରିଛି। ବିବିଧତା ମଧ୍ୟରେ ଏକତା ହିଁ ଭାରତର ଶକ୍ତି ଓ ସଂସ୍କୃତି। ଜାତିଆଣ ଓ ସାମ୍ପ୍ରଦାୟିକ ଭଳି ନକାରାତ୍ମକ ତତ୍ତ୍ୱ ଭାରତର ସେହି ଶକ୍ତି ଆଗରେ କେତେ ନିଷ୍ପ୍ରଭ ତାହା ବିଶ୍ୱବାସୀ ଦେଖିଛନ୍ତି। ଏହାସହିତ ଭାରତର ସଭ୍ୟତା ଓ ମାନସିକତା କେତେ ଉନ୍ନତ ତାହା ମଧ୍ୟ ପ୍ରମାଣିତ ହୋଇଛି। ବିଶ୍ୱର ସର୍ବଶକ୍ତିମାନ, ଅତ୍ୟାଧୁନିକ ଶକ୍ତିସମ୍ପନ୍ନ, ଉନ୍ନତ ଚେତନା ସମୃଦ୍ଧ ଆମେରିକାବାସୀ ଓ ପାଶ୍ଚାତ୍ୟ ସଭ୍ୟତା କରୋନା ଭଳି ବିଶ୍ୱ ମହାମାରୀ ବିରୋଧୀ ଯୁଦ୍ଧରେ ଯାହା କରିପାରିନାହାନ୍ତି ତାହା ଭାରତବାସୀ କରି ଦେଖାଇପାରିଛନ୍ତି। ଗଣତାନ୍ତ୍ରିକ ରାଷ୍ଟ୍ରର ଚରିତ୍ର ଆଧାରରେ ଗତାନୁଗତିକ ଭାବେ ‘ଜନତା କର୍ଫ୍ୟୁ’ର ସଫଳତା, କାର୍ଯ୍ୟକାରିତା, ଉପାଦେୟତା ଓ ବୈଜ୍ଞାନିକ ଯୌକ୍ତିକତାକୁ ନେଇ ପ୍ରଶ୍ନ ଉଠିଛି। ଫଳାଫଳ ଯାହା ହେଉନା କାହିଁକି ଜାତୀୟ ସ୍ୱାର୍ଥ ପାଇଁ ଭାରତବାସୀଙ୍କ ଦେଶପ୍ରୀତି ଓ ଜାତୀୟତାବୋଧ ‘କ୍ରିକେଟ୍‍’ ଓ ‘ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ’ ପରେ ପୁଣି ଥରେ ଯେ ଦେଖିବାକୁ ମିଳିଛି ତାହା ଅସ୍ୱୀକାର କରିହେବ ନାହିଁ।
ସମସ୍ତ ଘଟଣାକ୍ରମକୁ ସୂକ୍ଷ୍ମ ଭାବରେ ଅନୁଶୀଳନ କଲେ ଆଉ ଏକ ନିଷ୍କର୍ଷ ମିଳୁଛି। ‘ଜନତା କର୍ଫ୍ୟୁ’ର ମୂଳ ଲକ୍ଷ୍ୟ ଓ ବୈଜ୍ଞାନିକ ଆଧାର ଥିଲା ଅସ୍ପୃଶ୍ୟ ମାନସିକତା ବା ସ୍ପର୍ଶ ନ କରିବାର ପ୍ରବୃତ୍ତି। ଆମେ ବ୍ୟବହାର କରୁଥିବା ସାମଗ୍ରୀ/ଉପକରଣରେ କରୋନା ଭୂତାଣୁର ଆୟୁଷ ସର୍ବାଧିକ ୧୪ ଘଣ୍ଟାରୁ ଅଧିକ ନୁହେଁ। ସେହିପରି ଗୋଟିଏ ସଂକ୍ରମିତ ଶରୀର ଦୁଇଟି ଲେଖାଏଁ ଶରୀରକୁ ସଂକ୍ରମିତ କରେ। ତେଣୁ ଯଦି କ୍ରମାଗତ ୧୪ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ସ୍ଥାନର ସାମଗ୍ରୀ/ବସ୍ତୁ/ପଦାର୍ଥ ଅସ୍ପୃଶ୍ୟ ରହେ ତେବେ ଭୂତାଣୁର ସଂକ୍ରମଣକୁ ରୋକାଯାଇ ପାରିବ। କରୋନା ଭୂତାଣୁର ଆଉ ଏକ ଲକ୍ଷଣ ହେଉଛି ୫୦% ନ ବ୍ୟାପିବା ପର୍ଯ୍ୟନ୍ତ କୌଣସି ଶରୀର କରୋନା ସଂକ୍ରମିତ ବୋଲି ସାଧାରଣତଃ ଜଣାପଡ଼େନାହିଁ। ତେଣୁ ଉପରୁ ଜଣା ପଡ଼ୁନଥିଲେ ମଧ୍ୟ ଆମମାନଙ୍କ ମଧ୍ୟରୁ ଅନେକଙ୍କ ଶରୀରରେ କରୋନା ଭୂତାଣୁ ଥିବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ। ‘ଜନତା କର୍ଫ୍ୟୁ’ ଜରିଆରେ ସ୍ୱତଃ ସଙ୍ଗରୋଧ(କ୍ୱାରେନ୍‍ଟାଇନ୍‍)ରେ ଲୋକଙ୍କ ମଧ୍ୟରେ ସଂସ୍ପର୍ଶ କମ୍‍ ହେଲେ ବା ଅସ୍ପୃଶ୍ୟତା ଅଧିକ ହେଲେ କରେନା ଭୂତାଣୁ ବିସ୍ତାରିତ ହେବା ପାଇଁ ଏତେ ସହଜରେ ଆଉ ଏକ ଶରୀର ପାଇବ ନାହିଁ।
ଆଲିଙ୍ଗନ ଓ କରମର୍ଦନ ବଦଳରେ ‘ନମସ୍କାର’କୁ ଅଭିବାଦନ ଓ ସମ୍ମାନର ପ୍ରତୀକ ରୂପେ ଗ୍ରହଣ କରିଥିବା ଭାରତୀୟ ସଂସ୍କୃତିକୁ ଏକଦା ଅସ୍ପୃଶ୍ୟ ମାନସିକତାର ପ୍ରତିଫଳନ ବୋଲି କହି ଆସୁଥିବା ପାଶ୍ଚାତ୍ୟବାସୀଙ୍କୁ ଆଜି କରୋନା ହୃଦୟଙ୍ଗମ କରିବାକୁ ବାଧ୍ୟ କରିଛି ଯେ ଅସ୍ପୃଶ୍ୟତା ଯଦି ସକାରାତ୍ମକ ହୁଏ ତେବେ ତାହାର ପ୍ରଭାବ ସୁଦୂରପ୍ରସାରୀ।
ବିଡ଼ମ୍ବନା ଏହା ଯେ ବିଶ୍ୱବାସୀଙ୍କୁ ଅସ୍ପୃଶ୍ୟତାର ସକାରାତ୍ମକ ସନ୍ଦେଶ ଦେଇଥିବା ଭାରତର ସାମାଜିକ-ସାଂସ୍କୃତିକ-ଅର୍ଥନୈତିକ ଇତିହାସ ଏକଦା ଏହାର ନକାରାତ୍ମକ ପ୍ରଭାବ(ଜାତିଆଣ/ବର୍ଣ୍ଣବୈଷମ୍ୟ ବିଦ୍ୱେଷ ବା ଛୁଅାଁଅଛୁଆଁ ମନୋଭାବ)ର ମୂକସାକ୍ଷୀ ହୋଇଛି। ଅସ୍ପୃଶ୍ୟତାର ସେହି ନକାରାତ୍ମକ ପ୍ରଭାବକୁ ଆମ ଚିନ୍ତାଚେତନାରୁ ଲୋପ କରିବା ପାଇଁ ଜାତିର ପିତାଙ୍କୁ ଦିନେ ଅସ୍ପୃଶ୍ୟତା ବିରୋଧୀ ଆନ୍ଦୋଳନ ଆରମ୍ଭ କରିବାକୁ ପଡ଼ିଥିଲା। ଆଜି ଏହାର ସକାରାତ୍ମକ ପ୍ରଭାବ ଖୁବ୍‍ ଶୀଘ୍ର ବିଶ୍ୱବାସୀ ଦେଖିବାକୁ ଯାଉଛନ୍ତି, ତାହା ନିଶ୍ଚିତ। ସ୍ୱାଧୀନତାର ୭୨ ବର୍ଷ ପରେ ମହାତ୍ମା ଗାନ୍ଧୀଙ୍କ ଆନ୍ଦୋଳନ ଓ ଜୀବନ ଦର୍ଶନକୁ ଆମେ କେତେ ସାକାର କରିପାରିଛୁ ତାହା ଏକ ଭିନ୍ନ ପ୍ରସଙ୍ଗ, କିନ୍ତୁ ଆଜି ମଧ୍ୟ ସେହି ନକାରାତ୍ମକ ଭାବନା ଆମ ଭିତରେ ରହିଛି, ତାହା ଅସ୍ୱୀକାର କରାଯାଇପାରିବ ନାହିଁ। କରୋନା ଆକ୍ରାନ୍ତ ସନ୍ଦେହରେ ବ୍ୟକ୍ତି/ପରିବାରକୁ ଗାଁରେ ପୂରାଇ ନ ଦେବା, ଚଳନ୍ତା ଗାଡ଼ିରୁ ବୃଦ୍ଧଙ୍କୁ ବାହାର କରିଦେବା, ଏପରିକି ଭଡ଼ା ଘରେ ରହୁଥିବା ଡାକ୍ତର/ନର୍ସମାନଙ୍କୁ ଘର ମାଲିକ ତଡ଼ି ଦେବା ଭଳି ଅଭିଯୋଗ ଆସୁଛି। ଏଭଳି ନିନ୍ଦନୀୟ ଘଟଣା ଅସ୍ପୃଶ୍ୟତାର କୁତ୍ସିତ ମାନସିକତାକୁ ପୁଣି ଥରେ ଜନ୍ମ ଦେଉଛି ଯାହା କରୋନା ଭୂତାଣୁଠାରୁ ମଧ୍ୟ ଭୟଙ୍କର, ଦୀର୍ଘଜୀବୀ ଓ ସୁଦୂରବିସ୍ତାରୀ। ବିନା ସହଯୋଗ ଓ ସହାୟତାରେ ବିଶ୍ୱ ବିପତ୍ତିର ମୁକାବିଲା ସମ୍ଭବ ନୁହେଁ। କରୋନା ଭୂତାଣୁକୁ ସମୂଳେ ବିନାଶ ପାଇଁ ସହଯୋଗ ହିଁ ଅସ୍ତ୍ର ହେଉ – ସଂଯମ ମନ୍ତ୍ର ହେଉ ଏବଂ କରୋନା ବିରୋଧୀ ଯୁଦ୍ଧରେ ବିଜୟୀ ହେବା ପାଇଁ ଅସ୍ପୃଶ୍ୟତା କୌଶଳ ହେଉ।

Comments are closed.