ଜନ୍ମାଷ୍ଟମୀରେ ରାଧାଗୋବିନ୍ଦ ଜୀଉଙ୍କ ସୁନାବେଶ

ଆଠଗଡ :  ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆଠଗଡର ସବୁଠାରୁ ପ୍ରାଚୀନ ରାଧାଗୋବିନ୍ଦ ମନ୍ଦିରରେ ଶୁକ୍ରାବାର ସନ୍ଧ୍ୟାରେ ଶ୍ରୀ ଜୀଉଙ୍କର ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଆଠଗଡ ଉପକୋଷାଗାରରୁ ପୁଲିସ ସୁରକ୍ଷାବଳୟ ମଧ୍ୟରେ ଶ୍ରୀ ଜୀଉଙ୍କର ୧ କିଗ୍ରା ୮୪୮ଗ୍ରାମ୍‍ ଓ ୭୦୦ମିଲିଗ୍ରାମ୍‍ ଓଜନର ବିଭିନ୍ନ ସୁନା ଅଳଙ୍କାର ମନ୍ଦିରରେ ପହଞ୍ଚିବା ପରେ ଶ୍ରୀକୃଷ, ଶ୍ରୀରାଧା ଓ ଶ୍ରୀବଳରାମଙ୍କୁ ସେବାୟତମାନେ ସୁନ୍ଦର ଭାବେ ସଜାଇଥିଲେ। ଶ୍ରୀ ଜୀଉଙ୍କର ଏହି ଅପରୂପ ସୁନାବେଶ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସ୍ଥାନୀୟ କଳାକାରମାନେ ଏହି ଅବସରରେ ମନ୍ଦିର ପରିସରରେ ଭଜନ ପରିବେଷଣ କରିଥିଲେ। ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ରାଧାଗୋବିନ୍ଦ ଜୀଉଙ୍କ ସୁନାବେଶ କାର୍ଯ୍ୟକ୍ରମ ପରିଚାଳନାରେ ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ଓ ଅନ୍ୟ ସେବାୟତମାନେ ସହଯୋଗ କରିଥିଲେ। ରାତି ପ୍ରାୟ ୯.୩୦ମିନିଟରେ ପୁନର୍ବାର ଶ୍ରୀ ଜୀଉଙ୍କର ସମସ୍ତ ସୁନା ଅଳଙ୍କାର ପୁଲିସ ସୁରକ୍ଷା ବଳୟ ମଧ୍ୟରେ କୋଷାଗାରକୁ ଫେରି ଆସିଥିଲା।

Comments are closed.