ଜହ୍ନି ଓଷା ବ୍ରତ ପାଳିଲେ ଶତାଧିକ କୁଆଁରୀ କନ୍ୟା

ପାତ୍ରପୁର: ଦୁହିତା ଦୁଇ କୂଳର ହିତା ଏଥିପାଇଁ ନାରୀକୁ ବହୁ କାଳରୁ ସଂମ୍ମାନ ମିଳିବା ସହିତ ଚିର ବନ୍ଦନୀୟ। ତେବେ ନାରୀ ଜାତି ବିଭିନ୍ନସମୟରେ ବହୁ ପୂଜାର୍ଚ୍ଚନା କରିବା ସହିତ ଜଗତ ମଙ୍ଗଳ ପାଇଁ ବ୍ରତ ଓଷା ପାଳନ କରି ଥାଆନ୍ତି। ତେବେ ଧୀରେ ଧୀରେ କିଛିପୂଜା ପରମ୍ପରା କମିବାକୁ ଲାଗିଥିବା ବେଳେ କୁଆଁରୀ ଝିଅମାନଙ୍କ ଜହ୍ନି ଓଷା ପାଳନ ଜାରି ରହିଛି। ପ୍ରତି ଗ୍ରାମ ମାନଙ୍କରେ ଆଶ୍ୱିନ ମାସରେ କୁମାରୀ ଝିଅ ମାନେ ଏହି ଓଷା ପାଳନ କରି ଥାଆନ୍ତି। ତେବେ ପାତ୍ରପୁର ବ୍ଳକ ତାଳପଡା ଗ୍ରାମରେ ସତୁରି ରୁ ଉର୍ଦ୍ଧ କୁମାରୀ ଝିଅ ଏକତ୍ର ଏହି ଓଷା ପାଳନ କରିବା ପରିବେଶ କୁ ମୁଖରିତ କରୁଛି। ଏହି ଓଷା ପାଳନ ପାଇଁ ଗ୍ରାମ ବାସୀଙ୍କ ସହାୟତା ମିଳୁଛି। ଗତବର୍ଷ କେରୋନା ଯୋଗୁଁ ବିଭିନ୍ନ କଟକଣା ସାଙ୍ଗକୁ ମୃତ୍ୟୁ ଫଳରେ ଓଷା ପାଳନ ଫିକା ପଡିଥିଲା। ଚଳିତ ବର୍ଷ ସ୍କୁଲପାଧୁଆ ପିଲାଙ୍କଠାରୁ ମହାବିଦ୍ୟାଳୟରେ ପାଠ ପଢୁଥିବ ଏବଂ ପାଠ ଛାଡି ଥିବା ଝିଅ ମାନେ ଓଷା କରୁଛନ୍ତି। ଦଳ ଦଳ (ଭାଗ ଭାଗ)ହୋଇ ଗ୍ରାମରେ ଥିବା ଦାଣ୍ଡ ବାଡ଼ି ତୁଳସୀ ଚଉରା ରେ ଏହି ପୂଜା ଜାରି ରଖିଛନ୍ତି।ମାସ ତମାମ ନିଷ୍ଠା ସହକାରେ ଆମିଷ ଜହ୍ହି ନଖାଇ ରହି ଥାଆନ୍ତି। ନିୟମିତ ସକାଳୁ ବିଭିନ୍ନପ୍ରକାରର ଫୁଲ ସଂଗ୍ରହକରିବା ପରେ ସ୍ନାନକରି ତୁଳସୀଚଉରା ଲିପା ପୋଛା କରି ଧୂପ ଦୀପ ଫୁଲ ଦୁସିଚାଉଳ ଦେଇ ଭୋଗ କରି ଥାଆନ୍ତି।ସେହି ପରି ସନ୍ଧ୍ୟା ସମୟରେ ପୁଣି ଚଉରା ନିକଟରେ ଜଂହ୍ହି ଓଷା ବହି ପଢିବା ସହିତ ବହୁ ଗୀତ ବିଭିନ୍ନ ତାଳରେ ଗାନ କରି ଥାଆନ୍ତି।

 

ଏହି ସମୟରେ ଗ୍ରାମରେ ବିଭିନ୍ନ ସ୍ଥାନରେ ପୂଜା କୁମାରୀଙ୍କ ସମ୍ବଳିତ ସଙ୍ଗୀତ ଗାନ ପରିବେଶକୁ ଉତ୍ସବ ମୁଖରିତ କରୁଛି। ତେବେ ପୂର୍ଣ୍ଣିମା ପୂର୍ଵରୁ ଏହି ଓଷା କରୁଥିବା ସମସ୍ତ କୁମାରୀ ଏକତ୍ରିତହୋଇ ଗ୍ରାମଠାରୁ ଅନତି ଦୂରରେ ଥିବା ମାଆ ଭବାନୀଙ୍କ ପୀଠ ନିକଟରେ ପ୍ରବାହିତ ନାଳରୁ ବାଉଁଶ ଚାଙ୍ଗୁଡ଼ିରେ ବାଲି ସଂଗ୍ରହ କରନ୍ତି। ଏହି ଗ୍ରାମ ସହିତ ଗ୍ରାମକୁ ଲାଗିରହିଥିବା ଏସ ନୂଆଗାଁ ଗ୍ରାମର ଶତାଧିକ କୁମାରୀ ଏହି ବାଲି ସଂଗ୍ରହକାର୍ଯ୍ୟରେ ବାହାରି ଥାଆନ୍ତି। ଗ୍ରାମରୁ ମୃଦଙ୍ଗ ତାଳ ବଜାଇ ଏହି ନାଳ ପାଖରେ ପହଞ୍ଚିବା ପରେ ପୂଜା ପାଠ ସହ ବାଲି ସଂଗ୍ରହ କରି ଥାଆନ୍ତି। ଏହାପରେ ସଂକୀର୍ତ୍ତନ ସହକାରେ ବାଲି ଆଣି ପୂଜା କରୁଥିବା ଚଉରା ନିକଟରେ ପାଞ୍ଚ ବୁରିୟା ମୁଗ ବିରି ଧାନ କୋଲଥ ପ୍ରଭୁତି ଗଜା ପକା ଯାଏ। କାର୍ତ୍ତିକ ପୂର୍ଣ୍ଣିମା ଦିନ ନିର୍ଜଳ ଉପବାସ ରହିବାପରେ ସନ୍ଧ୍ୟାରେ ପୂଜା ଶେଷ ପରେ ଗଜାଚାଙ୍ଗୁଡ଼ିକୁ ପୋଖରୀ ପାଣିରେ ବିଷର୍ଜନ କରୁଥାନ୍ତି। ହାଇଟେକ ଯୁଗରେ ବିଭିନ୍ନ ପରମ୍ପରା ଲୋପ ହେବାକୁ ବସିଥିବା ବେଳେ ତାଳପଡ଼।, ନୂଆଗାଁ ଗ୍ରାମ ସହିତ ଅଞ୍ଚଳର ପ୍ରାୟ ପ୍ରତ୍ୟେକ ଗ୍ରାମରେ କୁଆଁରୀ ଝିଅ ମାନେ ଦୁଇ କୂଳର ମଙ୍ଗଳସହିତ ନିଜର ସ୍ୱାସ୍ଥ୍ୟ ଆରୋଗ୍ୟ ପାଇଁ ଏହି ପୂଜା ପାଳନ ଜାରି ରଖି ଗ୍ରାମ ରେ ଏକତ୍ର ଭାବ ସୃଷ୍ଟିକରିବା ନିର୍ଦଶନ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି।

Comments are closed.