୧୦ ହଜାରକୁ ବୃଦ୍ଧି ପାଇବ ଜନ ଔଷଧୀ କେନ୍ଦ୍ର

ଆସନ୍ତା ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧୀ କେନ୍ଦ୍ର ସଂଖ୍ୟା ୧୦ହଜାରକୁ ବୃଦ୍ଧି ପାଇବ। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଦେଶର ୭୩୬ଟି ଯାକ ଜିଲ୍ଲାରେ ଜନଔଷଧୀ କେନ୍ଦ୍ର ଏବେ ୮ହଜାର ୩୬୬କୁ ବୃଦ୍ଧି ପାଇଛି। ୨୦୦୮ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନାର ଶୁଭାରମ୍ଭ କରାଯାଇଥିଲା। ସମସ୍ତଙ୍କ ପାଇଁ ଶସ୍ତାରେ ଉଚ୍ଚମାନର ଜେନେରିକ୍‍ ଔଷଧ ଉପଲବ୍ଧ କରିବା ଲକ୍ଷ୍ୟରେ ଏଇ ଯୋଜନାର ଶୁଭାରମ୍ଭ କରାଯାଇଥିଲା।

ମନ୍ତ୍ରଣାଳୟ କହିଛି, ନାମି କମ୍ପାନୀଗୁଡ଼ିକର ଔଷଧ ଗୁଡ଼ିକ ଉପରେ ଶତକଡ଼ା ୫୦ରୁ ୯୦ ଭାଗ ଶସ୍ତାରେ ଜନଔଷଧୀ କେନ୍ଦ୍ରଗୁଡ଼ିକରେ ଔଷଧ ଉପଲବ୍ଧ ହେଉଛି। ଦେଶର କୋଣଅନୁକୋଣରେ ସମସ୍ତଙ୍କୁ ଶସ୍ତାରେ ଔଷଧ ଯୋଗାଇଦେବା ଲକ୍ଷ୍ୟ ପୂରଣ ହେବ ବୋଲି ଆଶା କରାଯାଉଛି। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା ଅଧୀନରେ ୧ହଜାର ୪୫୧ ପ୍ରକାରର ଔଷଧ ଏବଂ ୨୪୦ ପ୍ରକାରର ଡାକ୍ତରୀ ସରଞ୍ଜାମ ଉପଲବ୍ଧ କରାଯାଉଛି।

ଗତ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ର ଗୁଡ଼ିକରେ ୬୬୫ କୋଟି ଟଙ୍କାର ଔଷଧ ବିକ୍ରି ହୋଇଥିବାର ରେକର୍ଡ କରାଯାଇଛି। ଏହାଦ୍ୱାରା ଦେଶର ସାଧାରଣ ଲୋକମାନଙ୍କର ୪ହଜାର କୋଟି ଟଙ୍କା ସଂଚୟ କରାଯାଇ ପାରିଛି।

Comments are closed.