ବଜ୍ର ମହାକାଳୀ ପୀଠରେ ପ୍ରସିଦ୍ଧ ଝାମୁଯାତ୍ରା

ଆଠଗଡ :  ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ତିଥିରେ ଆଠଗଡ ସହର ଅନ୍ତର୍ଗତ କନ୍ତୋଲ ଅଞ୍ଚଳର ମା ବଜ୍ର ମହାକାଳୀ ପୀଠରେ ରାଜାରାଜୁଡା ଅମଳରୁ ଚାଲିଥିବା ପ୍ରସିଦ୍ଧ ଝାମୁଯାତ୍ରା ଅନୁଷ୍ଟିତ ହୋଇଯାଇଛି । ଆଠଗଡ ଗଡଜାତ ଅଞ୍ଚଳର ଦକ୍ଷିଣ ଦିଗରେ ଅବସ୍ଥିତ ଶକ୍ତିପୀଠ ମା ଦକ୍ଷିଣ ଚଣ୍ଡୀଙ୍କ ମନ୍ଦିର ପରିସରରେ ମା ବଜ୍ର ମହାକାଳୀଙ୍କ ମନ୍ଦିର ପ୍ରତିଷ୍ଠିତ। ପୂର୍ବରୁ ମାଆଙ୍କ ମନ୍ଦିର ମାଧବପୁର ସନ୍ନିକଟ ଚମ୍ପାପୁର ଜଙ୍ଗଲରେ ରହିଥିଲା। ପରବର୍ତ୍ତୀ ସମୟରେ ଆଠଗଡ ତତ୍‍କାଳୀନ ଆଠଗଡ ରାଜ୍ୟର ପାଟ୍ଟମହାଦେଇ ଲକ୍ଷ୍ମୀପ୍ରିୟା ଦେବୀ ମାଆଙ୍କ ପ୍ରତିମାକୁ ଏଠାକୁ ସ୍ଥାନାନ୍ତରିତ କରି ଦକ୍ଷିଣ ଚଣ୍ଡୀ ମନ୍ଦିର ପରିସରରେ ମାଆଙ୍କ ପାଇଁ ସ୍ୱତନ୍ତ୍ର ମନ୍ଦିର ନିର୍ମାଣ କରି ସେଠାରେ ମାଆଙ୍କୁ ପ୍ରତିଷ୍ଠା କରିଥିଲେ। ସେହି ଦିନଠାରୁ ପ୍ରତ୍ୟକ୍ଷ ଦେବୀ ମା ବଜ୍ର ମହାକାଳୀଙ୍କ ନିକଟରେ ମାନସିକ ରଖି ଚୈତ୍ରମାସରେ ଶ୍ରଦ୍ଧାଳୁମାନେ ନିଆଁରେ ଝାମୁ ଚାଲିଥାନ୍ତି। ଏଠାରେ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ଶ୍ରଦ୍ଧାଳୁ ଝାମୁ ଯାତ୍ରାର ପରମ୍ପରାକୁ ମିଳିତ ଭାବେ ପରିଚାଳନା କରି ଏକ ନିଆରା ଭାଇଚାରାର ନିଦର୍ଶନ ପ୍ରଦର୍ଶନ କରିଆସୁଛନ୍ତି।

ଚଳିତ ବର୍ଷ ୩୬ଜଣ ମାନସିକ ବ୍ରତଧାରୀ ୪୩ଟି ଝାମୁଗାତରେ ରଡ ନିଆଁରେ ଝାମୁ ଚାଲିଥିଲେ। ସପ୍ତାହକ ପୂର୍ବରୁ ମାନସିକଧାରୀ ଶ୍ରଦ୍ଧାଳୁ ନିଜ ପରିବାରଠାରୁ ଅଲଗା ହୋଇ ମନ୍ଦିରରେ ରହିଥିଲେ। ଦିନରେ କାଷ୍ଠା ଉପବାସରେ ରହି ଘର ଘର ବୁଲି ଭିକ୍ଷା ଗ୍ରହଣ କରିବା ସହ ରାତିରେ ପଣା ପିଇ ମାଆଙ୍କ ଆଗରେ ଗୁହାରିଆ ପଡିଥିଲେ। ମେରୁ ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ପରେ ବ୍ରତଧାରୀ ଶ୍ରଦ୍ଧାଳୁ ଆଜ୍ଞାମାଳ ପ୍ରାପ୍ତ ହୋଇଥିଲେ। ସଂକ୍ରାନ୍ତି ଦିନ ପ୍ରଚଣ୍ଡ ଖରା ସମୟରେ କାଳେସୀଙ୍କ ସହ ପାଟ ଝାମୁଆ ଓ ବ୍ରତଧାରୀ ନିକଟସ୍ଥ ବିଶ୍ୱନାଥ ସାଗର ପୋଖରୀରେ ସ୍ନାନକରି ପୀଠ ନିକଟବର୍ତ୍ତୀ ପଡିଆରେ ପ୍ରସ୍ତୁତ ହୋଇ ରହିଥିବା ଝାମୁ ଗାତର ରଡ ନିଆଁରେ ଝାମୁ ଚାଲି ବ୍ରତ ସମାପନ କରିଛନ୍ତି। ମନ୍ଦିର ପୂଜକ ସୁଶାନ୍ତ କୁମାର ମିଶ୍ର ଏବଂ ସେବକ ମହେଶ୍ୱର ମହାପାତ୍ର ଓ ହୃଷିକେଶ ମହାପାତ୍ର ମନ୍ଦିରରେ ସମସ୍ତ ନୀତିକାନ୍ତି ସଂପନ୍ନ କରିଥିଲେ। ମନ୍ଦିର ପରିଚାଳନା କମିଟି ସଭାପତି ଲକ୍ଷ୍ମୀଧର ପୃଷ୍ଟି, ସଂପାଦକ ଲଳିତ ମୋହନ ନାୟକ, ଉପନଗରପାଳ ବି ଶୁଭ୍ର ଶଙ୍କର ଜ୍ୟୋତି, ସୁନିଲ ଦଳାଇ, ଗୋଲଖ ବିହାରୀ ସାହୁ, ପଣା ସଂକ୍ରାନ୍ତି ଯାତ୍ରା କମିଟି ସଭାପତି ଅଜିତ୍‍ କୁମାର ନାୟକ, ଉପଦେଷ୍ଟା ହମିଦ୍‍ ମହମ୍ମଦ, ରମେଶ ଚନ୍ଦ୍ର ଘଡାଇ, ଶତ୍ରୁଘ୍ନ ବେହେରା, ଶରତ ଚନ୍ଦ୍ର ବାରିକ ଓ ବିଚିତ୍ରାନନ୍ଦ ଦଳେଇ ପ୍ରମୁଖ ଝାମୁଯାତ୍ରା ପରିଚାଳନା କରିଥିଲେ। ଏଥି ସହିତ ପଣାସଂକ୍ରାନ୍ତି ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ୨ଦିନ ଧରି ଏଠାରେ ମଞ୍ଚନାଟକ ପ୍ରତିଯୋଗିତା ଆୟୋଜିତ ହେଉଥିବାବେଳେ ଏଥିରେ ତିଗିରିଆ, ଚୌଦ୍ୱାର ଓ ଆଠଗଡର ଇଚ୍ଛାପୁର ଗ୍ରାମର କଳାକାରମାନେ ଅଂଶଗ୍ରହଣ କରୁଛନ୍ତି।
ଆଠଗଡର କନ୍ତୋଲସ୍ଥିତ ବଜ୍ର ମହାକାଳୀ ପୀଠ ସହିତ ଜେନାପଦା, ମେଘା, ସୁଧାଂଶୁମୋହନପୁର ସମେତ ଆହୁରି ଅନେକ ସ୍ଥାନରେ ପଣାସଂକ୍ରାନ୍ତି ଅବସରରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Comments are closed.