MEllora 950×100

ବାଲେଶ୍ବରରେ ଜାମତାରା ଗ୍ୟାଙ୍ଗ ସକ୍ରିୟ

୩ ଗିରଫ, ୫୭ ସିମକାର୍ଡ, ଏଟିଏମ୍‌କାର୍ଡ, ଲାପ୍‌ଟପ୍‌ ଓ ବାଇକ ଜବତ

ବାଲେଶ୍ବର : ଅନଲାଇନରେ ଟଙ୍କା ନେଣଦେଣ ଏବେ ବିପଦପୂର୍ଣ୍ଣ ହେବାରେ ଲାଗିଛି। ସାଇବର ଠକାମି ପାଇଁ କୁଖ୍ୟାତ ଜାମତାରା ଅଞ୍ଚଳର ଗ୍ୟାଙ୍ଗ ସହ ପଶ୍ଚିମବଙ୍ଗର ସଦସ୍ୟମାନେ ମିଶି ଓଡ଼ିଶା ତଥା ନିକଟସ୍ଥ ବାଲେଶ୍ବରରେ ନେଟୱାର୍କ ବିଛାଇ ଚାଲିଛନ୍ତି। ଯାହାର ଉଦାହରଣ ଦେଖିବାକୁ ମିଳିଥିଲା ଶନିବାର ସନ୍ଧ୍ୟାରେ। ଅନଲାଇନ ଠକେଇରେ ଶିକାର ହୋଇଥିବା ମୋବାଇଲ ଦୋକାନୀ ସେକ ମନୱର ଖାନ (୨୭) ଏବେ ଅଡ଼ୁଆରେ ପଡ଼ିଛନ୍ତି। ନିଜେ କୌଣସି ଦୋଷ କରିନଥିଲେ ବି ଏବେ ପୁଲିସ ଜେରାର ସମ୍ମୁଖୀନ ହେବା ସହିତ ନିଜେ ଠକେଇର ଶିକାର ହୋଇଥିବା ସାଇବର ଥାନାରେ ଅଭିଯୋଗ କରିଛନ୍ତି। ତା ସହିତ ପ୍ରଥମ ଅଭିଯୁକ୍ତକୁ ଧରି ନିଜେ ହିଁ ସାଇବର ଥାନାରେ ପହଞ୍ଚିଥିବା ଜଣାଯାଇଛି। ଏହି ଠକେଇ ନେଇ ସାଇବର ଥାନାରେ ୨/୨୧.୧.୨୦୨୩ ମୂଳେ ମାମଲା ରୁଜୁ ହୋଇଛି। ପୁଲିସ ବାଲିଆ ଅଞ୍ଚଳରେ ଚଢ଼ଉ କରି ଅନ୍ୟ ଦୁଇଜଣଙ୍କୁ ଧରି, ମୋଟ ତିନି ଜଣଙ୍କୁ ଗିରଫ କରିଛି।
ପୁଲିସଠାରୁ ମିଳିଥିବା ସୂଚନାରୁ ଜଣାଯାଇଛି ଯେ ରେମୁଣା ଥାନା କଁରାଳି ଅଞ୍ଚଳର ସେକ ମନୱର ନୂଆସାହିରେ ଏହି ମୋବାଇଲ ଦୋକାନ କରିଛନ୍ତି। ତାଙ୍କ ନିକଟକୁ ପଶ୍ଚିମବଙ୍ଗ ମନୋହରପୁର ଅଞ୍ଚଳର ବିଜୟ ସେନ ମୋବାଇଲ ରିଚାର୍ଜ କରିବା ପାଇଁ କିଛି ଦିନ ହେଲା ଆସୁଥିଲେ। ଦିନେ ଗୋଟିଏ ନୂଆ ମୋବାଇଲ କିଣିବା ପାଇଁ ଆଗ୍ରହ ପ୍ରକାଶ କରି ଅନ୍ୟ ବ୍ୟାଙ୍କରୁ ଜଣେ ବ୍ୟକ୍ତି ଟଙ୍କା ପଠାଇବ ବୋଲି କହି ଦୋକାନୀଙ୍କ ଆକାଉଣ୍ଟ ନମ୍ବର ନେଇଥିଲେ। କିଛି ସମୟ ପରେ ଦୋକାନୀଙ୍କ ଆକାଉଣ୍ଟକୁ ୧୯ ହଜାର ଟଙ୍କା ଆସିଥିଲା। ଦୋକାନୀ ମୋବାଇଲ ଅର୍ଥ କାଟିବା ପୂର୍ବରୁ ବଙ୍ଗୀୟ ଯୁବକ ଜଣକ ଚାଲାକି କରି ମୋବାଇଲ ପରେ କିଣିବେ ବୋଲି କହି ସମ୍ପୂର୍ଣ୍ଣ ଟଙ୍କା ମାଗିଥିଲେ। ଫଳରେ ଦୋକାନୀ ଜଣକ ଆକାଉଣ୍ଟକୁ ଆସିଥିବା ସମସ୍ତ ଅର୍ଥ ଉକ୍ତ ଯୁବକଙ୍କୁ ଦେଇଦେଲେ। ତେବେ ଏହି ଟଙ୍କା ପ୍ରଦାନର କିଛି ସମୟ ପରେ ମୁମ୍ବାଇ ପୁଲିସ ପକ୍ଷରୁ ଅନୱରଙ୍କ ଏକାଉଣ୍ଟ ଥିବା ସୂ​‌େ​‌ର୍ଯ୍ୟାଦୟ ବ୍ୟାଙ୍କକୁ ଏହି ଟଙ୍କା ଠକେଇ ଟଙ୍କା ବୋଲି ସୂଚନା ଆସିବା ସହ ଏକାଉଣ୍ଟକୁ ସିଜ୍‌ କରିବା ପାଇଁ ନିର୍ଦେଶ ଆସିଥିଲା। ଯାହାକୁ ନେଇ ବ୍ୟାଙ୍କ ପକ୍ଷରୁ ଅନୱରଙ୍କୁ ସୂଚନା ଦିଆଯାଇଥିଲା। ଠକେଇ ଟଙ୍କା ନିଜ ଏକାଉଣ୍ଟକୁ ଆସିଥିବା ଜାଣିବା ସହ ଏହି ବଙ୍ଗୀୟ ଯୁବକ ବିଜୟ ସେନଙ୍କ ଦ୍ବାରା ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ସିସିଟିଭିରୁ ଉକ୍ତ ଯୁବକଙ୍କର ଫଟୋ ଓ ମୋଟର ସାଇକେଲ ନମ୍ବର ସଂଗ୍ରହ କରିଥିଲେ। ତାଙ୍କୁ ଖୋଜି ପାଇବା ପରେ ନିଜେ ନେଇ ସାଇବର ଥାନାରେ ହାଜର କରାଇ ସେ ଠକାମିର ଶିକାର ହୋଇଥିବା ଅଭିଯୋଗ କରିଥିଲେ।
ସାଇବର ପୁଲିସ ଅଭିଯୋଗ ପାଇବା ପରେ ବିଜୟ ସେନର ଭଡ଼ା ଘରେ ପହଞ୍ଚିବା ପରେ ସେଠାରେ ଆଉ ତିନିଜଣ ରହୁଥିବା ଦେଖିବାକୁ ପାଇଥିଲା। ତେ​‌େ​‌ବ ଅନ୍ଧାରର ଫାଇଦା ନେଇ ଜଣେ ଖସି ଯିବାକୁ ସକ୍ଷମ ହୋଇଥିଲା ବେଳେ ପୁଲିସ ପଶ୍ଚିମବଙ୍ଗ ମୋହନପୁର ଅଞ୍ଚଳର ଅରୁଣ ଦାସ ଓ ତାପସ ଦାସଙ୍କୁ ମଧ୍ୟ ଗିରଫ କରିଥିଲା। ଘରୁ ଦୁଇଟି ନମ୍ବର ବିହୀନ ମୋଟର ସାଇକେଲ, ଲାପଟପ, ୫ଟି ମୋବାଇଲ ଫୋନ, ୫୭ଟି ସିମକାର୍ଡ, ବିଭିନ୍ନ ବ୍ୟାଙ୍ଗର ୬ଟି ଏଟିଏମ କାର୍ଡ ଓ ୨୦ ହଜାର ଟଙ୍କା ଜବତ କରିଥିଲା। ଏହି ଘଟଣା ଏବେ ଅନ୍‌ଲାଇନ ଟଙ୍କା ନେଣଦେଣ କରୁଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲା ବେଳେ ବାଲେଶ୍ବର ଜିଲାରେ ଯେ ଏବେ ସାଇବର ଠକଙ୍କର ଉପସ୍ଥିତି ରହିଛି ତାହା ସ୍ପଷ୍ଟ ହୋଇଛି।

Comments are closed.