ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ପଞ୍ଚମ ଦିନ ପାଇଁ ଯାତାୟାତ ବନ୍ଦ

୨୭୦ କିଲୋମିଟର ଦୀର୍ଘ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ଆଜି ପଞ୍ଚମ ଦିନ ପାଇଁ ଯାନବାହାନ ଚଳାଚଳ ଲାଗି ବନ୍ଦ ରହିଛି। ପ୍ରବଳ ଭୂସ୍ଖଳନ ଓ ରାଜପଥ ଦବିଯିବା ଯୋଗୁଁ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଗତ ମଙ୍ଗଳବାର ସକାଳୁ ଦଲୱାଲ ନଶରୀ ଓ ପିଧାଠାରେ ଜାତୀୟ ରାଜପଥ ଦବିଯାଇଛି। ଗୁରୁବାର ଦିନ ରାଜପଥର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି। ଦେଶର ଅନ୍ୟାନ୍ୟ ଭାଗ ସହ କାଶ୍ମୀର ଉପତ୍ୟକାକୁ ସଂଯୋଗ କରୁଥିବା ଏହି ଜାତୀୟ ରାଜପଥ ଏପର୍ଯ୍ୟନ୍ତ ଯାନବାହାନ ଚଳାଚଳ ପାଇଁ ବନ୍ଦ ରହିଛି। ଦଲାସଠାରେ ଏକ ବଡ଼ ଭୂସ୍ଖଳନ ହେବା ଓ ଜାତୀୟ ରାଜପଥର ୫୦ମିଟର ଅଞ୍ଚଳ ଦବିଯିବା ଯୋଗୁଁ ରାଜପଥର ବ୍ୟାପକ କ୍ଷତି ଘଟିଛି।

ଏହା ବ୍ୟତୀତ ଗୁରୁବାର ସକାଳୁ ଲଗାଣ ବର୍ଷା ଯୋଗୁଁ ପନ୍ଥିଆଲ, ମୋମ୍‍ପାସି, ବ୍ୟାଟେରୀ ଚସ୍‍ମସ୍‍, ମରୋଗ ଟାଫେଡ ଏରିଆ
ମୋଡଠାରେ ସାନି ଭୂସ୍ଖଳନ ହୋଇଛି। ଏହାଯୋଗୁଁ ରାଜପଥର ପରିସ୍ଥିତି ଆହୁରି ଅଧିକ ଖରାପ ହୋଇପଡ଼ିଛି। ଅତ୍ୟାବଶ୍ୟକ ସାମଗ୍ରୀ ବହନ କରି ଯାଉଥିବା ଶହଶହ ଟ୍ରକ୍‍ ଓ ଅନ୍ୟାନ୍ୟ ଯାନବାହାନ ରାଜପଥରେ ଅଟକି ରହିଛି। ରାଜପଥକୁ ସଫା କରିବା ପାଇଁ ବଡ଼ବଡ଼ ଯନ୍ତ୍ରପାତି ସହ ଲୋକମାନଙ୍କୁ ପଠାଯାଇଛି। ଝିପ୍‍ଝିପ୍‍ ବର୍ଷା ଓ ରାଜପଥ ଦବିବା ଜାରି ରହିଥିବାରୁ ସଫା କରିବା କର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଜାତୀୟ ରାଜପଥକୁ ଯାନବାହାନ ଚଳାଚଳ ପାଇଁ ଆଜି ସନ୍ଧ୍ୟା ସୁଦ୍ଧା ଖୋଲିବା ସକାଶେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି।

Comments are closed.