ଜାମ୍ମୁ କାଶ୍ମୀର: ୭୨ ଦିନ ପରେ ସକ୍ରିୟ ହେଲା ୪୦ ଲକ୍ଷ ପୋଷ୍ଟପେଡ଼ ମୋବାଇଲ – ଅପେକ୍ଷାରେ ୩୦ ଲକ୍ଷ ପ୍ରିପେଡ଼ ମୋବାଇଲ

ଜାମ୍ମୁ: ୭୨ ଦିନ ବ୍ୟବଧାନରେ ଜାମ୍ମୁ କାଶ୍ମୀର ପ୍ରଶାସନ ସେଠାକାର ଅବଶିଷ୍ଟ ଅଞ୍ଚଳରେ ପୋଷ୍ଟପେଡ୍‍ ମୋବାଇଲ୍‍ ଫୋନ୍‍ ସେବା ପୁର୍ନକ୍ଷମ କରିଛନ୍ତି। ସୋମବାର ମଧ୍ୟାହ୍ନ ପରଠାରୁ ସେହିସବୁ ଅଞ୍ଚଳରେ ଫୋନ୍‍ ସେବା କାର୍ଯ୍ୟକ୍ଷମ ହୋଇଛି। ଦୀର୍ଘ ଦୁଇ ମାସ ପରେ ଜାମ୍ମୁ କାଶ୍ମୀରକୁ ପୂର୍ବ ସେବା ଉପଲବ୍ଧ ହୋଇଛି। ତେବେ ଇଣ୍ଟରନେଟ୍‍ ସେବା ପାଇବା ପାଇଁ ଗ୍ରାହକମାନଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ ବୋଲି ଜାମ୍ମୁ କାଶ୍ମୀର ପ୍ରଧାନ ସଚିବ ରୋହିତ କଂସଲ୍‍ ଶ୍ରୀନଗରଠାରେ କହିଛନ୍ତି। ଏହି ପଦକ୍ଷେପ ଫଳରେ ୪୦ ଲକ୍ଷ ପୋଷ୍ଟପେଡ଼ ମୋବାଇଲ ସେବା ପୁଣି କାର୍ଯ୍ୟକ୍ଷମ ହୋଇଛି ଓ ଏହା କାଶ୍ମୀରର ୧୦ଟି ଜିଲ୍ଲାରେ ସେବା ଯୋଗାଇ ଦେବ। ରାଜ୍ୟରେ ଆହୁରି ୩୦ ଲକ୍ଷ ପ୍ରିପେଡ଼ ମୋବାଇଲ ଏବେ ମଧ୍ୟ ସେବାରୁ ବଞ୍ଚିତ ଥିବା ଜଣାପଡିଛି।

ଅଗଷ୍ଟ ୫ ତାରିଖରେ ଜାମ୍ମୁ କାଶ୍ମୀରକୁ ମିଳିଥିବା ସ୍ୱତନ୍ତ୍ର ମର୍ଯ୍ୟାଦାକୁ ଲୋପ୍‍ କରିଦିଆଯିବା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ରାଜ୍ୟରେ କଟକଣା ଲାଗୁ କରାଯାଇଥିଲା। ଇତିମଧ୍ୟରେ ମୋବାଇଲ୍‍ ଫୋନ୍‍ ସେବା ପୁର୍ନକ୍ଷମ ହେବା ପରେ ସେହି ଅଞ୍ଚଳରେ ମୁତୟନ ହୋଇଥିବା ପୁଲିସ୍‍ ଓ ନିରାପତ୍ତା ବାହିନୀ ଯବାନମାନେ ସଜାଗ ରହିଛନ୍ତି। ଜାମ୍ମୁ କାଶ୍ମୀର ପୁଲିସ୍‍ ମହାନିର୍ଦ୍ଦେଶକ ଦିଲ୍‍ବାଗ୍‍ ସିଂ କହିଛନ୍ତି, ଉପତ୍ୟକାରେ ଯେଭଳି ଆଇନଶୃଙ୍ଖଳା ପରିସ୍ଥିତି ଖରାପ ନ ହେବ, ସେଥିପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଖବର ଅନୁସାରେ ଉତ୍ତେଜନା ସୃଷ୍ଟିହେବା ଭଳି ସନ୍ଦେଶ ପଠାଉଥିବା ବ୍ୟକ୍ତିମାନଙ୍କ ଉପରେ କଡ଼ା ନଜର ରଖାଯିବ ଓ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଅତିରିକ୍ତ ଯବାନମାନଙ୍କୁ ମୁତୟନ କରାଯିବ। ପୋଲିସ୍‍ ମଧ୍ୟ ମିଥ୍ୟା ଖବର ଓ ଗୁଜବ ଉପରେ କଡ଼ା ନଜର ରଖିବ। ପୂର୍ବରୁ ସରକାର ରାଜ୍ୟରେ ଲ୍ୟାଣ୍ଡଲାଇନ୍‍ ଫୋନ୍‍ ସେବା ସମ୍ପୂର୍ଣ୍ଣରୂପେ ପୁର୍ନକ୍ଷମ କରିଥିଲେ।

Comments are closed.