ରାଜୀବ ଧୱନଙ୍କୁ ଅଯୋଧ୍ୟା ମାମଲାରୁ ହଟାଇଲା ଜମିୟତ ଉଲେମା ସଂଗଠନ

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁନ୍ନି ୱକଫ ବୋର୍ଡ ଏବଂ ଅନ୍ୟ ମୁସଲିମ୍‌ ପକ୍ଷଙ୍କ ତରଫରୁ ସୁପ୍ରିମକୋର୍ଟରେ ମାମଲା ଲଢୁଥିବା ବରିଷ୍ଠ ଓକିଲ ରାଜୀବ ଧୱନଙ୍କୁ ମାମଲାରୁ ହଟାଇ ଦିଆଯାଇଛି। ଫେସବୁକ୍‌ ପୋଷ୍ଟ ଜରିଆରେ ଧୱନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ପୋଷ୍ଟରେ ଲେଖିଛନ୍ତି ଯେ, ମୁସଲିମ ସଂଗଠନ ଜମିୟତର ପ୍ରତିନିଧିତ୍ଵ କରୁଥିବା ଏଜାଜ ମକବୁଲ ମୋତେ ବାବ୍ରି ମାମଲାରୁ ହଟାଇ ଦେଇଛନ୍ତି। ମୁଁ ବିନା ଆପତ୍ତିରେ ତାଙ୍କର ଏହି ନିଷ୍ପତ୍ତିକୁ ସ୍ବୀକାର କରୁଛି। ଏ ନେଇ ମୋ ତରଫରୁ ଔପଚାରିକ ପତ୍ର ପଠାଇ ଦେଇଛି। ସୂଚନାଯୋଗ୍ୟ, ଗତ ସୋମବାର ଜମିୟତ ଉଲେମା-ଏ-ହିନ୍ଦ ଅଯୋଧ୍ୟା ମାମଲାର ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପୁନର୍ବିଚାର ପିଟିଶନ ଦାଖଲ କରିଛି। ଧୱନ କହିଛନ୍ତି ଯେ, ବର୍ତ୍ତମାନ ସେ ଆଉ ପୁନର୍ବିଚାର ପିଟିଶନ କିମ୍ବା ମାମଲାରେ ଅଂଶୀଦାର ରହିବେ ନାହିଁ। ତାଙ୍କ ସ୍ବାସ୍ଥ୍ୟ ଭଲ ନ ଥିବାରୁ ମାମଲାରୁ ତାଙ୍କୁ ହଟାଯାଇଥିବା କୁହାଯାଇଛି। ଏଭଳି ଯୁକ୍ତି ଦର୍ଶାଯିବା ସମ୍ପୂର୍ଣ୍ଣ ଭାବେ ଅବାନ୍ତର ବୋଲି ସେ କହିଛନ୍ତି।

Comments are closed.