ସ୍ତ୍ରୀ ବିଧବା ଭତ୍ତା ପାଇଁ ଆବେଦନ କରୁଥିବା ବେଳେ ତାମିଲନାଡୁରୁ ଫେରିଲେ ସ୍ବାମୀ 

ଜେମାଦେଇପେଣ୍ଠ : ଜଣେ ମହିଳା ବିଧବା ଭତ୍ତା ପାଇଁ ପ୍ରଶାସନ ପାଖକୁ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହେବାପରେ ମୃତ ସ୍ବାମୀ ଜଣକ ଘରକୁ ଫେରିବା  ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ସ୍ବାମୀ ଜଣକ ଦୀର୍ଘ ବର୍ଷ ତଳେ ତାମିଲନାଡୁକୁ ସାଙ୍ଗମାନଙ୍କ ସହ କୌଣସି ଏକ କମ୍ପାନୀରେ କାମ କରୁଥିଲେ । କମ୍ପାନୀରୁ ଛୁଟି ନେଇ ସାଙ୍ଗଙ୍କ ସହ ଟ୍ରେନରେ ଫେରୁଥିବାବେଳେ ପରିସ୍ରା କରିବାକୁ ଯାଇ ଅସାବଧାନତାବଶତଃ ଟ୍ରେନରୁ ଖସି ପଡ଼ିଥିଲେ । ଅଧରାତିରେ ଖସି ପଡ଼ିଥିବା ଯୋଗୁଁ ସାଙ୍ଗରେ ଥିବା ଗ୍ରାମର ଲୋକ ଜାଣିପାରି ନ ଥିଲେ । ସକାଳ ହେବାରୁ ବହୁ ଖୋଜାଖୋଜି ପରେ ବ୍ୟକ୍ତି ଜଣକ କିଛି ଖବର ନ ମିଳିବାରୁ ବ୍ୟତିବସ୍ତ ହୋଇ କୋଚି କୋଡି ରେଳଷ୍ଟେସନରେ ଅପେକ୍ଷା କରିଥିଲେ ।

ଭାଷାଗତ ସମସ୍ୟା ଯୋଗୁଁ ନିକଟସ୍ଥ ପୁଲିସ ଷ୍ଟେସନକୁ ଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା । ଫଳରେ ନିଜ ଘରକୁ ସମସ୍ତେ ଫେରି ଆସିଥିଲେ ଓ ସ୍ତ୍ରୀ ଓ ପରିବାର ଲୋଙ୍କକୁ ଏ ବିଷୟରେ ଜଣାଇଥିଲେ। ଲକଡାଉନ ଥିବାରୁ ପରିବାର ଲୋକ ତଥା ସ୍ତ୍ରୀ ଜଣକ ଉପାୟଶୂନ୍ୟ ହୋଇପଡ଼ିଥିଲେ। ଫଳରେ ସ୍ବାମୀ ନ ଫେରିବା ଯୋଗୁଁ କିଛି ଅଘଟଣ ଘଟିଥିବା ଭାବି ଆର୍ଥିକ ଅବସ୍ଥା ଦୁର୍ବଳ ଥିବା ଯୋଗୁଁ ଗାଁ ଲୋକଙ୍କ ପରାମର୍ଶରେ ମାସିକ ବିଧବା ଭତ୍ତା ପାଇଁ ପ୍ରଶାସନ ପାଖରେ ଗୁହାରୀ କଲେ । ତା’ପରେ ପ୍ରଶାସନ ତତ୍ ସମ୍ବନ୍ଧୀୟ ଆନୁସଙ୍ଗିକ କାଗଜପତ୍ର ଓ ସ୍ୱାମୀର ମୃତ୍ୟୁ ପ୍ରମାଣପତ୍ର ଯୋଗାଡ଼ କରିବା ପାଇଁ ପରାମର୍ଶ ଦେଲେ, ଯାହା ଅସମ୍ଭବ ବୋଲି ମନେ ହୁଏ ।

ଇତିମଧ୍ୟରେ ସ୍ବାମୀ ଜଣକ ଟ୍ରେନରୁ ଖସି ପଡ଼ି ଗୁରୁତର ହୋଇଥିବା ଯୋଗୁଁ ରେଲୱେ ପୁଲିସ ଦ୍ବାରା ଉଦ୍ଧାର ହୋଇ ତାମିଲନାଡୁର ପଲ୍ ୱାଲ୍ ମେଡିକାଲରେ ଭର୍ତ୍ତି ହୋଇଥିଲେ, ତା’ ପରେ ସେଠାରୁ ଭଲ ହୋଇ କୌଣସି ଏକ ଆଶ୍ରମରେ ଦିନ ବିତାଉଥିଲେ। କିଛିଦିନ ପରେ ପାଖରେ ପଇସା ନ ଥିବାରୁ ସେ ଅଞ୍ଚଳର କିଛି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ବଳରେ ଘରକୁ ଫେରି ଆସିଥିଲେ । ଏ ପାଖେ ସ୍ତ୍ରୀ ଭତ୍ତା ପାଇଁ ଗୁହାରୀ କରୁଥିବାବେଳେ ନିଖୋଜ ସ୍ବାମୀ ଘରକୁ ହଠାତ୍ ଫେରିବା ରାୟଗଡ଼ା ବ୍ଲକ ତାଡ଼ମା ପଞ୍ଚାୟତ ନାଥିମା ଗ୍ରାମରେ ଚର୍ଚ୍ଚାର ବିଷୟ ହୋଇଛି । ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶିବ ପ୍ରସାଦ ଦାସ କହିଲେ ଯେ ସରକାରୀ ଭତ୍ତା ପାଇଁ ମୃତ୍ୟୁ ପ୍ରମାଣପତ୍ର ନିହାତି ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।

Comments are closed.