ନବରଙ୍ଗପୁର ଜିଲ୍ଲାରେ ରାଜ୍ୟର ପ୍ରଥମ ସୌର ପବନ ଚାଳିତ ଜଳସେଚନ ପ୍ରକଳ୍ପ ‌ଲୋକାର୍ପିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଖଣିଜ ପଦାର୍ଥ ଓ ପ୍ରଯୁକ୍ତି ପ୍ରତିଷ୍ଠାନ(ଆଇ.ଏମ୍.ଏମ୍.ଟି) ଭୁବନେଶ୍ୱର ପକ୍ଷରୁ ରାଜ୍ୟରେ ପ୍ରଥମ ସୌର ପବନ ଚାଳିତ ଉନ୍ନତ ଜଳସେଚନ ପ୍ରକଳ୍ପ ଲୋକାର୍ପିତ ହୋଇଛି । ଆଜି ତେନ୍ତୁଳିଖୁଣ୍ଟି ବ୍ଳକର ପାତ୍ରପୁଟ‌ ଗ୍ରାମ ଠାରେ ୧୩ଲକ୍ଷ ଟଙ୍କା ବ୍ୟୟରେ ରାଜ୍ୟର ପ୍ରଥମ ସୌର ପବନ ଚାଳିତ ଜଳସେଚନ ପ୍ରକଳ୍ପକୁ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପରେ ଦିନରେ ସୌର ଶକ୍ତି ମାଧ୍ୟମରେ ଜଳସେଚନ ହେଉଥିବା ବେଳେ ରାତିରେ ପବନ ଦ୍ବାରା ଜଳସେଚନ ହୋଇ ପାରୁଛି । ୩୪୦ ୱାଟ୍ କ୍ଷମତା ବିଶିଷ୍ଟ ସୌର ପେନେଲ୍ ଦ୍ଵାରା ସୈାର ଶକ୍ତି ମାଧ୍ୟମରେ ଗଭୀର ନଳକୂପର ଜଳସେଚନ ବ୍ୟବସ୍ଥା ରହିଥିବା ବେଳେ ୩.୫କିଲୋ ୱାଟ୍ ବେଗେ ପବନ ଟରବାଇନ୍ ଦ୍ଵାରା ଜଳସେଚନ ହୋଇପାରୁଛି । ଉନ୍ନତ ଜ୍ଞାନ କୌଶଳ ବ୍ୟବହାରରେ ରାଜ୍ୟର ପ୍ରଥମ ପ୍ରକଳ୍ପ ହୋଇ ଥିବାରୁ ନବରଙ୍ଗପୁର ଜିଲ୍ଲା ଅନ୍ୟମାନଙ୍କୁ ପ୍ରେରଣା ଦେଇ ପାରିବ ବୋଲି ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର କହିଛନ୍ତି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରକଳ୍ପ ମାଧ୍ୟମରେ ସୌର -ପବନ ଚାଳିତ ପ୍ରକଳ୍ପ ମଡେଲ ଅନେକ ଚାଷୀଙ୍କୁ ଉତ୍ସାହିତ କରିବ ବୋଲି ସାଂସଦ ଶ୍ରୀ ମାଝୀ ମତବ୍ୟକ୍ତ କରିଛନ୍ତି ।

ଏହି ଉଦଘାଟନ ସମାରୋହରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ରମାକାନ୍ତ ନାୟକ ଉଠା ଜଳସେଚନର ନିର୍ବାହୀ ଯନ୍ତ୍ରୀ ଗଙ୍ଗାଧର ତ୍ରିପାଠୀ, ବ୍ଳକ୍ ଅଧ୍ୟକ୍ଷା ଦେବକୀ ନାୟକ, ଉପାଧ୍ୟକ୍ଷ ତନୟ ସାଗର ନାୟକ, ବ୍ଳକ୍ ଉନ୍ନୟନ ଅଧିକାରୀ ପଦ୍ମନାଭ ତ୍ରିପାଠୀ, ସି.ଏସ୍.ଆର୍ ଆଇ.ଏମ୍.ଏମ୍.ଟି ଭୁବନେଶ୍ୱରର ପ୍ରଧାନ ବୈଜ୍ଞାନିକ ଡଃ ସତ୍ୟଜିତ ରଥ ଓ ସ୍ନେହାଶିଷ ବେହେରାଙ୍କ ସମେତ ପାତ୍ର ଗ୍ରାମର ଚାଷୀ ମୋହନ ରାଓ, ତ୍ରିନାଥ ଅମନାତ୍ୟ ଓ ଅନେକ ଚାଷୀ ଉପସ୍ଥିତ ଥିଲେ ।

Comments are closed.