ବହୁ ଚର୍ଚ୍ଚିତ ହରିଦାସପୁର ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା : ଭଙ୍ଗାହେଲା ରୂପେସ୍ ଭଦ୍ରଙ୍କ ଅତିଥିଶାଳା

ଯାଜପୁର: ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ନିଆଯାଇଛି ଏକ ବଳିଷ୍ଠ ପଦକ୍ଷେପ । ସ୍ମିତାରାଣୀ ମୃତ୍ୟୁ ଘଟଣାର ପ୍ରାୟ ୪ମାସ ପରେ ପ୍ରଶାସନ ଦ୍ବାରା ଭଙ୍ଗାଯାଇଛି ରୂପେସ୍ ଭଦ୍ରଙ୍କ ଅତିଥିଶାଳା । ଯାହା ଥିଲା ସ୍ମିତାରାଣୀଙ୍କ ରହସ୍ୟ ଜନକ ମୃତ୍ୟୁର ମୁକସାକ୍ଷୀ। ଜିଲ୍ଲା ପ୍ରଶାସନ ସ୍ଥାନୀୟ ଧର୍ମଶାଳା ତହସିଲ ଏବଂ ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହଯୋଗରେ ଆରମ୍ଭ କରିଥିଲା ଭଙ୍ଗାରୁଜା କାମ । ବୋଲଡୋଜର ଓ ହାଇଡ୍ରା ସହାୟତାରେ ଭଙ୍ଗାଯାଇଥିଲା ଦୁଇ ମହଲା କୋଠା । ପ୍ରଥମେ ସରପଞ୍ଚ ଓ ତାଙ୍କ ସମର୍ଥକଙ୍କ ଦ୍ଵାରା ଏହାକୁ ବିରୋଧ କରାଯାଇଥିଲେ ହେଁ ଏହାକୁ ଭ୍ରୁକ୍ଷେପ ନକରି ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନିଆଯାଇଥିଲା।

ଶୁକ୍ରବାର ସକାଳୁ ସକାଳୁ ଆରମ୍ଭ ହୋଇଥିଲା ଏହି ଭଙ୍ଗାରୁଜା ଅଭିଯାନ । ଚାରିଆଡେ ଛାଇଯାଇଥିଲେ ପୁଲିସ । ଭାଙ୍ଗିବା ପାଇଁ ଆଗରୁ ପ୍ରସ୍ତୁତ ହୋଇଥିଲା ଯୋଜନା । କୌଣସି ପ୍ରକାର ବିରୋଧ ଓ ଅପ୍ରିତିକର ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିଥିଲା ପୁଲିସ୍ ପ୍ରଶାସନ। ବିରୋଧିଙ୍କ ମୁହଁ ବନ୍ଦ କରିବା ପରେ ପ୍ରଥମେ ପ୍ରଶାସନ ଦ୍ବାରା ଘରର ଆସବାବ ପତ୍ର ବାହାରକୁ କାଢ଼ିନିଆଯାଇଥିଲା । ଏବଂ ଏସବୁକୁ ରୂପେସଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଏହି ଅପରେସନରେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବା ସହ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଅତିରିକ୍ତ ଏସପି ରାଜକିଶୋର ଦୋରା ଓ ଭବାନୀ ପ୍ରସାଦ ପଟ୍ଟନାୟକ, ଏସଡିପିଓ ଚିନ୍ମୟ କୁମାର ନାୟକ, ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ବଡଚଣା, କୁଆଖିଆ ଏବଂ ଜେନାପୁର ଥାନା ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳା ମଧ୍ୟରେ ଶେଷ ହୋଇଥିଲା ଭଙ୍ଗାରୁଜା ଓ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ । ରୂପେସ୍ ଭଦ୍ରଙ୍କ ଦ୍ବାରା ବେଆଇନ ଭାବେ ନିର୍ମାଣ ହୋଇଥିବା ଗେଷ୍ଟହାଉସ ଭାଙ୍ଗିବା ପାଇଁ ଘଟଣା ଦିନରୁ ହିଁ ଦାବି ହୋଇଆସୁଥିଲା । ଲମ୍ବା ଦିନର ପ୍ରତୀକ୍ଷା ପରେ ଆଜି ଏହାର ଯବନିକା ପଡିଛି ।

Comments are closed.