ଅପହୃତ ମା’ ଓ ପୁଅ ଛତିଶଗଡ଼ରୁ ଉଦ୍ଧାର

ଯାଜପୁର: ସ୍ୱାମୀଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ କୌଣସି କାରଣରୁ ଶାଶୁଘର ଲୋକଙ୍କ ସହିତ ବିବାଦ ହେବା ଯୋଗୁଁ ବାପଘରେ ଆସି ରହୁଥିବା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କୃଷ୍ଣପୁର ଶାସନ ଗ୍ରାମର ସରୋଜ କୁମାର ମିଶ୍ରଙ୍କ ଝିଅ ୩୨ ବର୍ଷୀୟା ଶୁଭ୍ରଲକ୍ଷ୍ମୀ ମିଶ୍ର ଓ ତାଙ୍କ ପୁଅ ୧୫ବର୍ଷୀୟ ଅଂଶୁମାନଙ୍କୁ ଗତ ୧୨ତାରିଖ ସନ୍ଧ୍ୟାରେ ବାଲିଚନ୍ଦ୍ରପୁର ବଜାରରୁ କେହି ଅପହରଣ କରି ନେଇଥିବା ନେଇ ଥାନାରେ ଶୁଭ୍ରଲକ୍ଷ୍ମୀଙ୍କ ବାପା ସରୋଜ କୁମାର ମିଶ୍ର ଅଭିଯୋଗ କରିଥିଲେ। ମାତ୍ର ଅତି ଆଶ୍ଚର୍ଯ୍ୟ ଚକିତ କରି ଆଜି ଲଣ୍ଡିତ ମସ୍ତକ ଏବଂ ମୁହଁରେ କଳା ବୋଳା ଯାଇଥିବା ସହିତ ମାଆ ଓ ପୁଅଙ୍କୁ ଅଚେତ ଅବସ୍ଥାରେ ଛତିଶଗଡ଼ ରାଜ୍ୟର ଏକ ନିଛାଟିଆ ସ୍ଥାନରେ ପଡ଼ିଥିବା ଅବସ୍ଥାରେ ସ୍ଥାନୀୟ ପୋଲିସ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଏକ ହସ୍ପିଟାଲରେ ଭର୍ତ୍ତି କରିଛି।

ଛତିଶଗଡ଼ର ମହାସମୁଦ ଜିଲ୍ଲା ସରାଇପାଲ୍ଲୀ ଥାନା ପୁଲିସଠାରୁ ଖବର ପାଇବା ପରେ ବାଲିଚନ୍ଦ୍ରପୁର ପୁଲିସର ଏକ ଟିମ ସେଠାକୁ ଯାଇଥିବା ସୂଚନା ମିଳିଛି। ଶୁଭ୍ରଲକ୍ଷ୍ମୀ ନିଜ ସ୍କୁଟିରେ ପୁଅକୁ ନେଇ ସେଦିନ ବାଲିଚନ୍ଦ୍ରପୁର ବଜାରକୁ ସଉଦା କିଣିବାକୁ ଯାଇଥିଲେ; କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ଉଭୟେ ଘରକୁ ନ ଫେରିବାରୁ ସରୋଜ ଝିଅର ମୋବାଇଲକୁ ଫୋନ୍ କରିଥିଲେ। ମାତ୍ର ଫୋନ୍ ବାରମ୍ବାର ରିଂ ହେବା ସତ୍ତ୍ୱେ ଝିଅ ଫୋନ୍ ରିସିଭ୍ ନ କରିବାରୁ ସେ ବଜାରକୁ ଆସି ଦୁହିଁଙ୍କୁ ଖୋଜାଖୋଜି କରିବା ପରେ ଏକ ଗ୍ୟାରେଜରୁ ସ୍କୁଟିଟି ମିଳିଥିଲା ଓ ଶୁଭ୍ରଲକ୍ଷ୍ମୀଙ୍କ ମୋବାଇଲଟି ସ୍କୁଟି ଡିକିରେ ରହିଥିବା ବେଳେ ଝିଅ ଓ ନାତିଙ୍କ ସନ୍ଧାନ ନ ପାଇ ଦୁହିଁଙ୍କ ଅପହରଣ ହୋଇଥିବା ସନ୍ଦେହ କରି ଥାନାରେ ଅଭିଯୋଗ କରିଥିଲେ। ତେବେ ଦୁହିଁଙ୍କୁ କେହି ଅପହରଣ କରିନେଇ ସେମାନଙ୍କୁ କାହିଁକି ଲଣ୍ଡା କରି ଉଭୟଙ୍କ ମୁହଁରେ କଳା ବୋଳି ଦେଇଛନ୍ତି ଅବା ଦୁହିଁଙ୍କ ଅଙ୍ଗୁଳିରେ ଯେହେତୁ କଳା ରଙ୍ଗ ଲାଗିଛି ତେଣୁ ଦୁହେଁ କୌଣସି କାରଣରୁ ପଳାଇ ଯାଇ ନିଜର ମୁଣ୍ଡନ୍ କରାଇ ମୁହଁରେ କଳା ବୋଳି ଦେଇଛନ୍ତି କି ଏବଂ ଉଭୟ କେମିତି ଯାଇ ବେହୋସ୍ ହୋଇ ସେଠାରେ ପଡ଼ିଲେ; ବାଲିଚନ୍ଦ୍ରପୁର ପୁଲିସ ସେଠାରେ ପହଞ୍ଚି ଦୁହିଁଙ୍କୁ ପଚରାଉଚରା କରିବା ପରେ ସମସ୍ତ ସନ୍ଦେହ ଓ ପ୍ରଶ୍ନବାଚୀ ଉପରୁ ପର୍ଦ୍ଦା ହଟି ପାରିବ ବୋଲି ଆଶା କରାଯାଉଛି।

Comments are closed.