ଲକ୍ ଡାଉନ୍ ଆଇନ ଉଲଘଂନକାରୀଙ୍କୁ ସାବାଡ୍ କରିବା ପାଇଁ ହାତରେ ଠେଙ୍ଗା ଧରି ରାସ୍ତାକୁ ଓହ୍ଲାଇଲେ ଯାଜପୁର ଜିଲାପାଳ

ଯାଜପୁର :ଯାଜପୁରରେ ଲକ ଡାଉନକୁ ଜୋରଦାର କରିବା ପାଇଁ ରାତିରେ ରାସ୍ତାକୁ ଓହ୍ଲାଇଲେ ଯାଜପୁର ଜିଲାପାଳ । ହାତରେ ଠେଙ୍ଗା ଧରି ଆଇନ ଉଲଙ୍ଘନକାରୀଙ୍କୁ ମଧ୍ୟ ସାବାଡ କଲେ ଜିଲାପାଳ ରଂଜନ ଦାସ । ସାରା ଜିଲାରେ ଲକ୍ ଡାଉନ୍ ରହିଥିବା ବେଳେ ଅନେକ ଲୋକ ଛକ ବଜାରରେ ଅଯଥା ଗହଳି କରି କୋରୋନା ସଂକ୍ରମଣକୁ ବଢ଼ାଉଥିବା ଅଭିଯୋଗ ପାଇବା ପରେ ଜିଲାପାଳ ଓ ଉପଜିଲାପାଳ ଯାଜପୁର ସହରର ଗାନ୍ଧିଛକ,ବାଳାଶ୍ରମ ପଡିଆ, ଗରିଆପୁର,ତ୍ରିଲୋଚନେଶ୍ୱର ମନ୍ଦିର,ସାନ ବଜାର ଅଂଚଳରେ ପହଂଚି ଅଯଥା ଗହଳି ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସାବାଡ କରିଥିଲେ । ଘର ଛାଡି ପଦାକୁ ଆସୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ଚେତାବନି ଦେଇଥିଲେ । ଆସନ୍ତାକାଲି ଠାରୁ ସହରରେ କୌଣସି ମଟର ସାଇକେଲ ଚଳାଚଳ କରିବ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ହେଲେ ଚାଲି ଚାଲି ଆସିବାକୁ ପରାମର୍ଶ ଦେଇଛନ୍ତି ଜିଲାପାଳ । ଲକ ଡାଉନ ନିୟମ ଭଂଗ କରିବା ଅଭିଯୋଗରେ ଜିଲାର ୨୮ ଜଣଙ୍କ ବିରୋଧରେ ଆଜି ଫୌଜଦାରି ମୋକଦ୍ଧମା ରୁଜୁ ହୋଇଛି । ଏହିଭଳି ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।

Comments are closed.