କୋରୋନା ପାଇଁ ଯାଜପୁର ଜିଲା ପରିଷଦର ସ୍ୱତନ୍ତ୍ର ବୈଠକ : ଆଇନ ଭାଙ୍ଗି ୫ ଗିରଫ

ଯାଜପୁର: କୋରୋନାର ମୁକାବିଲା ପାଇଁ ଯାଜପୁର ଜିଲା ପରିଷଦର ଏକ ସ୍ୱତନ୍ତ୍ର ବୈଠକ ଡକାଯାଇଥିଲା । ଜିଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ବୈଠକରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ ମିଶ୍ର, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୁଖ ଯୋଗ ଦେଇ କୋରୋନାର ମୁକାବିଲା କରିବା ପାଇଁ ସମସ୍ତ ଜନପ୍ରତିନିଧିଙ୍କ ସହଯୋଗ ଆବଶ୍ୟକ ବୋଲି ମତ ଦେଇଥିଲେ । ପ୍ରତ୍ୟେକ ଜନପ୍ରତିନିଧି ନିଜ ନିଜ ଅଞ୍ଚଳରେ ଜନସାଧାରଣଙ୍କୁ କୋରୋନାର ଭୟାବହତା ସଂପର୍କରେ ଅବଗତ କରିବାକୁ ନିଷ୍ପତି ହୋଇଥିଲା । ଯାଜପୁର ଜିଲାରେ ବର୍ତମାନ ସୁଦ୍ଧା ରାଜ୍ୟ ଓ ଦେଶ ବାହାରୁ ଆସିଥିବା ୪୧୯ ଜଣ ଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ସଙ୍ଗରୋଧ ରହିବାକୁ ପରାମର୍ଶ ଦିଆଯାଇଛି । ଜିଲାର ୨ ଜଣ ସନ୍ଦିଗ୍ଧଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲା କିନ୍ତୁ ଉଭୟ ରିପୋର୍ଟ ନେଗେଟିଭ ବାହାରିଛି । କୌଣସି ସ୍ଥାନରେ ଜନଗହଳି ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଆଇନକୁ ଭଙ୍ଗୁଥିବା ଅଭିଯୋଗରେ ବର୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରାଯାଇଛି ବୋଲି ଯାଜପୁର ଜିଲାପାଳ ସୂଚନା ଦେଇଛନ୍ତି ।

Comments are closed.