ରେଳ ଷ୍ଟେସନ ଓ ଡାକ୍ତରଖାନାରେ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ଯାଜପୁର ଜିଲାପାଳ

ଯାଜପୁର : ଯାଜପୁରରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଗେଇ ଆସିଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳ ନିଜେ ମାସ୍କ ପିନ୍ଧି ଯାଜପୁର ରୋଡ, ରେଳଷ୍ଟେସନ ଓ ଡାକ୍ତରଖାନା ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। କୌଣସି ସ୍ଥାନରେ ମେଳି ହୋଇ ନ ରହିବାକୁ ପରାମର୍ଶ ଦେବା ସହ ଲୋକଙ୍କୁ ତାଗିଦ୍ ମଧ୍ୟ କରୁଛନ୍ତି। ଏଥିସହ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅନ୍ୟ ପ୍ରଶାସନିକ ଅଧିକାରୀ ମଧ୍ୟ କରୋନା ମୁକାବିଲାରେ ପ୍ରାଣମୂର୍ଚ୍ଛା ଲାଗିପଡିଛନ୍ତି। କେବଳ ରେଳଷ୍ଟେସନ ନୁହେଁ ବିଭିନ୍ନ ଡାକ୍ତରଖାନା ଓ କଳିଙ୍ଗନଗର ଶିଳ୍ପ କାରଖାନା ବୁଲି ପଦାଧିକାରୀମାନଙ୍କୁ ସଜାଗ୍ ରହିବାକୁ ପରାମର୍ଶ ଦେଉଛନ୍ତି। ଏଥିପାଇଁ ବିଭିନ୍ନ ପ୍ରଶାସନିକ ଅଧିକାରୀମାନଙ୍କୁ ମଧ୍ୟ କରୋନା ମୁକାବିଲା ପାଇଁ ଦାୟିତ୍ବ ବାଣ୍ଟିଛନ୍ତି। ଏଥିପାଇଁ ଦିନରାତି ଏକ କରି ପ୍ରାଣମୂର୍ଚ୍ଚା ଲାଗିପଡିଛନ୍ତି ଅଧିକାରୀ ଓ କର୍ମଚାରୀ। ଏହିକ୍ରମରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ବିଭିନ୍ନ ସପିଂମଲ୍ ଓ ରେଷ୍ଟୁରାଣ୍ଟ ବୁଲି ଆସନ୍ତା ମାସ ୧୫ତାରିଖ ପର୍ଯ୍ୟନ୍ତ ଏସବୁକୁ ବନ୍ଦ ରଖିବାକୁ ତାଗିଦ୍ କରିଛନ୍ତି। ଏହି ସଚେତନତା କାର୍ଯ୍ୟକ୍ରମରେ କଳିଙ୍ଗ ନଗର ଅତିରିକ୍ତ ଜିଲାପାଳ ସନ୍ତୋଷ ମିଶ୍ର ମଧ୍ୟ ସାମିଲ ହୋଇ ଲୋକମାନଙ୍କୁ ସଚେତନ କରାଇଥିଲେ।

Comments are closed.