ଯାଜପୁରରେ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେଲେ ୨ ପରୀକ୍ଷାର୍ଥୀ

ଯାଜପୁର : ଆଜି ଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ଏଥିପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ ଉତ୍କଣ୍ଠାର ସହିତ ପରିକ୍ଷା ଦେଉଥିବା ବେଳେ ଆଉ କେତେକ ପରିକ୍ଷାର୍ଥୀ ପରିକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ଯାଜପୁର ଦଶରଥପୁର ବ୍ଲକ ବଉଳେଶ୍ୱର ହାଇସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଦୁଇ ଛାତ୍ର ପରିକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଗତକାଲି ସୁଦ୍ଧା ଆଡମିଟ କାର୍ଡ ନଆସିବା ଯୋଗୁଁ ଆଜି ସେ ପରୀକ୍ଷା ଦେଇ ପାରିନାହିନ୍ତି। ଯାହାଫଳରେ ପରିକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକ ଗଭିର ମାନସିକ ଚିନ୍ତାରେ ରହିଥିବା ଜଣାପଡ଼ିଛି । ସେପଟେ ନିର୍ଦ୍ଧିଷ୍ଟ ଅଭିଯୋଗ ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ଶିକ୍ଷାଧିକାରୀ କହିଛନ୍ତି ।

ସୂଚନା ଅନୁଯାୟୀ, ଯାଜପୁର ଦଶରଥପୁର ବ୍ଲକ ବଉଳେଶ୍ୱର ହାଇସ୍କୁଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଦଶରଥପୁର ବ୍ଲକ ବଉଳେଶ୍ୱର ହାଇସ୍କୁଲର ଦୁଇ ଜଣ ଛାତ୍ର ସୌମ୍ୟ ରଞ୍ଜନ ମହାନ୍ତି ଏବଂ ସୌମ୍ୟ ରଞ୍ଜନ ବାରିକ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ଗତକାଲି ସୁଦ୍ଧା କୌଣସି ଆଡମିଟ୍ କାର୍ଡ ନ ଆସିବାରୁ ପରିକ୍ଷା ଦେବାରୁ ବଞ୍ଚିତ ହେବା ଫଳରେ ଗଭିର ମାନସିକ ଦୁଃଶ୍ଚିନ୍ତାରେ ଦିନ କାଟୁଛନ୍ତି । ପରିକ୍ଷା ପୂର୍ବରୁ ଫର୍ମ ପୁରଣ ପାଇଁ ନିର୍ଦ୍ଧାରିତ ଫି ବିଦ୍ୟାଳୟରେ ଜମା କରିଥିଲେ ହେଁ ଆଡମିଟ୍ କାର୍ଡ ଆସିନାହିଁ । ଏଥିପାଇଁ ପରିକ୍ଷାର୍ଥୀ ଓ ଅଭିଭାବକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ବିଦ୍ୟାଳୟରେ ମାଟ୍ରିକ ପରିକ୍ଷା ପାଇଁ ଆବଶ୍ୟକ ପିଂ ଜମା କରାଯାଇଥିବା ବେଳେ କାହିଁକି ଓ କିପରି ପରିକ୍ଷାର୍ଥୀଙ୍କର ଆଡମିଟ୍ କାର୍ଡ ଆସିନଥିଲା ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ମତ ଦେଇଛନ୍ତି ପରିକ୍ଷାର୍ଥୀଙ୍କ ପରିବାରଲୋକେ । ଆଡମିଟ୍ କାର୍ଡ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ହେଁ ମିଛ ପ୍ରତିଶୃତି ଦେଇ ପରିକ୍ଷାର୍ଥୀଙ୍କୁ ଭଣ୍ଡେଇ ଚାଲିଥିଲେ । ଏ ନେଇ ପରିକ୍ଷାର୍ଥୀଙ୍କ ପରିବାର ପକ୍ଷରୁ ମଂଗଳପୁର ଥାନା ଏବଂ ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇ ତୁରନ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ସେପଟେ ଏଭଳି ଅଭିଯୋଗ ସମ୍ପର୍କରେ ନିର୍ଦ୍ଧିଷ୍ଟ ଅଭିଯୋଗ ଆସିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲା ଶିକ୍ଷାଧିକାରୀ କହିଛନ୍ତି ।

 

Comments are closed.