ଯାଜପୁରରେ ସିଏଏ ଓ ଏନଆରସିକୁ ବିରୋଧ

ଯାଜପୁର : ନାଗରିକତା ସଂଶୋଧନ ଆଇନ ଏବଂ ଏନଆରସିକୁ ବିରୋଧ କରି ଯାଜପୁର ଜିଲା ବିଂଝାରପୁରେ ଶନିବାର ଜୋରଦାର ବିରୋଧ କରାଯାଇଛି । ସ୍ଥାନୀୟ ସଂଖ୍ୟାଲଘୁ ଗୋଷ୍ଠୀଙ୍କ ପକ୍ଷରୁ ଆୟୋଜିତ ଏହି ବିରୋଧ କାର୍ଯ୍ୟକ୍ରମରେ ବିଜେଡି, କଂଗ୍ରେସ, ସିପିଆଇ,ଏସୟୁସିଆଇ ଓ ଅନ୍ୟାନ୍ୟ ରାସିଜନୈତିକ ଦଳ ସାମିଲ ହୋଇଥିଲେ। କେନ୍ଦ୍ରସରକାର ଯେଉଁଭଳି ଭାବେ ଧର୍ମ ଆଧାରରେ ସାରା ଦେଶରେ ଏହି ଆଇନ ଆଣିବାକୁ ଚେଷ୍ଟା କରୁଛନ୍ତି ତାହା ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିବ। ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ଏହି ଆଇନକୁ କାର୍ଯ୍ୟକାରୀ କରିବାକୁ ବିଜେପି ଚାହୁଁଥିବା ଅଭିଯୋଗ କରିଥିଲେ।

ଦେଶର ଅଖଣ୍ଡତା ଓ ଧର୍ମନିରପେକ୍ଷତାକୁ ଖଣ୍ଡଖଣ୍ଡ କରି ଭୋଟ ବ୍ୟାଙ୍କ ବୃଦ୍ଧି ଲକ୍ଷ୍ୟରେ ଏପରି ଆଇନକୁ ଲାଗୁ କରିବାକୁ ବିଜେପି ସରକାର ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ସଂଖ୍ୟା ଲଘୁ ସଂପ୍ରଦାୟର ନେତା କାଦିର ଖାନଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦ ଶୋଭାଯାତ୍ରା ସମଗ୍ର ବିଂଝାରପୁର ଅଂଚଳ ପରିକ୍ରମା କରିଥିଲା । ଏଥିରେ କଂଗ୍ରେସ ନେତା ଗଣେଶ୍ୱର ବେହେରା ଅଞ୍ଚଳ ଦାସ, ସୁଦର୍ଶନ ମିଶ୍ର, ସିପିଆଇ ନେତା ସତୀଶ ମିଶ୍ର, ବିଂଝାରପୁର ବ୍ଳକ ଅଧ୍ୟକ୍ଷ ନନ୍ଦ କିଶୋର ସାମଲ,କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଏଭଳି ଜନବିରୋଧୀ ଆଇନକୁ କଡା ଭାଷାରେ ନିନ୍ଦା କରିଥିଲେ । ଏହି ଆଇନକୁ ପ୍ରତ୍ୟାହୃତ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନି ଦିଆଯାଇଛି ।

Comments are closed.