ସ୍ଥାନୀୟ ଯୁବକଙ୍କ ଅଭିନବ ପ୍ରୟାସ : ରାସ୍ତା ମରାମତି ପାଇଁ ହେଲମେଟ୍ ପିନ୍ଧି ରାସ୍ତାରେ ଶୋଇଲେ

ଯାଜପୁର: ଯାଜପୁର ଜିଲା କଳିଙ୍ଗନଗର ଥାନା ୫୩ ନଂ ଜାତୀୟ ରାଜପଥର ବଙ୍ଗଳା ଛକ ନିକଟରେ ଜାତୀୟ ରାଜପଥ ମରାମତି ଦାବିରେ ସ୍ଥାନୀୟ ଯୁବକ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ହେଲମେଟ୍ ପିନ୍ଧି ରାସ୍ତା ଉପରେ ଶୋଇ ରାସ୍ତା ମରାମତି ଦାବି କରିଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ,  ଚଣ୍ଡିଖୋଲରୁ କଳିଙ୍ଗନଗର, ସୁକିନ୍ଦା ଖଣି ଅଞ୍ଚଳ ଓ ତାଳଚେରକୁ ସଂଯୋଗ କରୁଥିବା ଏହି ୫୩ ନଂ ଜାତୀୟ ରାଜପଥର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ମରାମତି ଅଭାବରୁ ରାସ୍ତା ସାରା ଖାଲ ଖମାରେ ଭର୍ତ୍ତି। ଫଳରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି। ତେବେ ଏହି ରାସ୍ତାର ମରାମତି ଦାବିରେ ପୂର୍ବରୁ ବହୁବାର ଆନ୍ଦୋଳନ କରାଯାଇଛି। ହେଲେ କୌଣସି ସୁଫଳ ମିଳି ନାହିଁ। ତେଣୁ ଆଜି ସଚେତନ ନାଗରିକ ମଞ୍ଚ ପକ୍ଷରୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏଭଳି ଅଭିନବ ପ୍ରତିବାଦ କରିଥିଲେ। ବହୁ ସମୟ ଧରି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ପରେ ପୁଲିସ ଆସି ବୁଝାସୁଝା କରିବାରୁ ଯୁବକମାନେ ଆନ୍ଦୋଳନରୁ ଓହରିଥିଲେ।

 

Comments are closed.