ଯାଜପୁର ଦିନିକିଆ ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଯାଜପୁର : ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବୁଧବାର ଦିନିକିଆ ଯାଜପୁର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ପ୍ରଥମେ ବଡ଼ଚଣା ବ୍ଲକ ଅଣକା ପଞ୍ଚାୟତ କୃଷ୍ଣପୁର ଶାସନ ଗ୍ରାମର ଜଗନ୍ନାଥ ସରକାରୀ ବିଦ୍ୟାପୀଠରେ ପହଞ୍ଚି ସ୍କୁଲର ପ୍ରତିଷ୍ଠାତା ସ୍ବର୍ଗତ ଜଗନ୍ନାଥ ଶତପଥୀଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ। ଏହି ଉତ୍ସବରେ ସ୍ବର୍ଗତ ଶତପଥୀଙ୍କ ପୁତ୍ର ବଡ଼ଚଣାର ବିଧାୟକ ଅମର ପ୍ରସାଦ ଶତପଥୀ ଓ ଗ୍ରାମବାସୀ ଯୋଗଦେଇ ରାଜ୍ୟପାଳଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ବାଲିଚନ୍ଦ୍ରପୁର ସରକାରୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେଇଥିଲେ।

ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ ମତଲୁବ ଅଲ୍ଲୀ, ବିଧାୟକ ଅମର ପ୍ରସାଦ ଶତପଥୀ ଅତିଥି ଭାବେ ଯୋଗଦେଇଥିଲେ। ଏହାପରେ ଧର୍ମଶାଳା ବ୍ଲକ ନେଉଳପୁରସ୍ଥିତ ନୀଳସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦଘାଟନ କରିବା ସହ ଶିକ୍ଷା ହିଁ ମଣିଷକୁ ଅଜ୍ଞାନ ରୂପୀ ଅନ୍ଧକାରରୁ ଜ୍ଞାନ ରୂପୀ ଆଲୋକକୁ ଆଣିଥାଏ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଯୋଗଦେଇ ସମଗ୍ର ଅଞ୍ଚଳ ପାଇଁ ଏହି ଅନୁଷ୍ଠାନ ମଣିଷ ଗଢ଼ା କାରଖାନା ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉପଲକ୍ଷେ ପ୍ରକାଶିତ ସ୍ମରଣୀକାକୁ ଅତିଥିମାନେ ଲୋକାର୍ପିତ କରିଥିଲେ। ଏଥିସହ ଅନୁଷ୍ଠାନ ପ୍ରତିଷ୍ଠା ଦିଗରେ ଅବଦାନ ଥିବା ବ୍ୟକ୍ତିବିଶେଷ ଓ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମହାମହିମ ରାଜ୍ୟପାଳ। ଏହି ସମାରୋହରେ ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା, ସଦସ୍ୟ, ସ୍କୁଲର ଛାତ୍ରଛାତ୍ରୀ ଏବଂ ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ।

Comments are closed.