ଆରମ୍ଭ ହେଲା କଳିଙ୍ଗନଗର ମହୋତ୍ସବ

ଯାଜପୁର: ଯାଜପୁର ଜିଲା କଳିଙ୍ଗନଗରରେ ତୃତୀୟ ରାଜ୍ୟସ୍ତରୀୟ କଳିଙ୍ଗନଗର ମହୋତ୍ସବ ସୋମବାର ଉଦଘାଟିତ ହୋଇଯାଇଛି । ରାଜ୍ୟ ପଞ୍ଚାୟତିରାଜ ଏବଂ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କଳିଙ୍ଗ ନଗର ଏବେ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିପାରିଛି ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ଜେନା କହିଥିଲେ। ତେଲିବାହାଳୀ ଗ୍ରାମର ମା ‘ ମହାପାଟ ପଡ଼ିଆରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ମହୋତ୍ସବ ଆୟୋଜନ କରାଯାଇଛି। ଏହି ଉତ୍ସବ ୫ ଧରି ପାଳନ କରାଯିବ। ଏହି କାର୍ଯ୍ୟକ୍ରମକୁ ଚଳିତ ବର୍ଷ ସ୍ଵତନ୍ତ୍ର ଓ ନିଆରା ଢଙ୍ଗରେ ପାଳନ କରିବା ପାଇଁ ପରିଚାଳନା କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ଦିବ୍ୟାଙ୍ଗମାନଙ୍କ ପାଇଁ ଚଳିତ ବର୍ଷ ମହୋତ୍ସବକୁ ଉତ୍ସର୍ଗ କରାଯାଇଛି। ପାଞ୍ଚ ଦିନ ଧରି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସ୍ଥାନୀୟ ଶିଳ୍ପ କାରଖାନା ପକ୍ଷରୁ ପ୍ରଦର୍ଶନୀ ମଣ୍ଡପ, ବାଲୁକା କଳା ପ୍ରଦର୍ଶନ, ଫୁଡ୍ ଷ୍ଟଲ୍, ମୀନା ବଜାର ସାଙ୍ଗକୁ ଏମ୍ ଏସ୍ ଏମ୍ ଇ ବିଭାଗର ଷ୍ଟାର୍ଟ ଅପ୍ ଷ୍ଟଲ୍, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଭା ଚୟନ, ହସ୍ତତନ୍ତ ଷ୍ଟଲ ଆୟୋଜନ କରାଯଇଛି। ଏହି ଉଦଘାଟନ ଉତ୍ସବରେ ପୂର୍ବତନ ମନ୍ତ୍ରୀ ଅମର ଶତପଥୀ, ବରୀ ବିଧାୟିକା ସୁନନ୍ଦା ଦାସ, କୋରେଇ ବିଧାୟକ ଅଶୋକ ବଳ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ,ଜିଲା ପରିଷଦ ଅଧ୍ୟକ୍ଷ ନରେଶ ମହାନ୍ତି,କଳିଙ୍ଗ ନଗର ଅତିରିକ୍ତ ଜିଲାପାଳ ସନ୍ତୋଷ ମିଶ୍ର, ଯାଜପୁର ଜିଲାର ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l  ସନ୍ଧ୍ୟାରେ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଛି।

 

Comments are closed.