ପ୍ରସ୍ତାବିତ ଚିଙ୍ଗୁଡି ପ୍ରକ୍ରିୟାକରଣ ପ୍ରକଳ୍ପ ବିରୁଦ୍ଧରେ କମ୍ୟୁନିଷ୍ଟ ଓ କଂଗ୍ରେସ ଦଳର ପ୍ରତିବାଦ ସଭା

ଜଗତସିଂହପୁର : ଜଗତସିଂହପୁର ଜିଲା ଏରସମା ବ୍ଲକ ଜିରାଇଲୋ ପଞ୍ଚାୟତର କିମିଲୋ ଠାରେ ରାଜ୍ୟ ସରକାରଙ୍କର ଇଡକୋ ତରଫରୁ ଅଧିଗୃହିତ ଜମିରେ ଚିଙ୍ଗୁଡି ପ୍ରକ୍ରିୟା କରଣ ପ୍ରକଳ୍ପକୁ ନେଇ ପ୍ରତିବାଦ ଜୋର ଧରିବାରେ ଲାଗିଛି । ଗତ ଦୁଇ ଦିନ ତଳେ ଗ୍ରାମବାସୀମାନଙ୍କ ତରଫରୁ ଧାରଣା ଓ ପ୍ରତିବାଦ ସଭା କରାଯାଇଥିଲା ବେଳେ ଆଜି ଉଭୟ କମ୍ୟୁନିଷ୍ଟ ଓ କଂଗ୍ରେସ ଦଳ ତରଫରୁ ପ୍ରସ୍ତାବିତ ଚିଙ୍ଗୁଡି ପ୍ରକ୍ରିୟାକରଣ ପ୍ରକଳ୍ପ ବିରୁଦ୍ଧରେ ଏକ ପ୍ରତିବାଦ ସଭା ଜିରାଇଲୋ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ହରେକୃଷ୍ଣ ମାହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଆନ୍ଦୋଳନକାରୀ ନେତା ଅଭୟ ସାହୁ, ପୂର୍ବତନ ବିଧାୟକ ଡଃ ଲଲାଟେନ୍ଦୁ ମହାପାତ୍ର, ବିଶିଷ୍ଟ କୃଷକ ନେତା ଶଶୀ ଭୂଷଣ ସ୍ୱାଁଇ, ବ୍ଲକ କଂଗ୍ରେସ ସଭାପତି ନିତ୍ୟାନନ୍ଦ ଦାସ, କମ୍ୟୁନିଷ୍ଟ ପାର୍ଟି ଜିଲ୍ଲା ସମ୍ପାଦକ ଅଭିଜିତ୍ ସାହୁ ପ୍ରମୁଖ ବକ୍ତବ୍ୟ ରଖି ଏହି ପ୍ରଦୂଷଣ ପ୍ରକଳ୍ପ ଜନବସତି ନିକଟରେ ଓ ବିଶେଷ ଭାବେ ଜିରାଇଲୋ ନ ମଉଜି ହାଇସ୍କୁଲ ଠାରୁ ମାତ୍ର ୩୦୦ ମିଟର ନିକଟରେ ହେବା ଅନୁଚିତ୍ ବୋଲି କହିଥିଲେ । ଏହି ପ୍ରକଳ୍ପ ସଫେଇ ନାଳ ପାଖରେ ହେଉଥିବାରୁ ପାଣି ପ୍ରଦୂଷିତ ହେବା ସହିତ ଜନସାଧାରଣ ଓ ଗାଈଗୋରୁଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ଓ ଅଂଚଳର ପରିବେଶ ପ୍ରଦୂଷିତ ହବେ ବୋଲି ମତବ୍ୟକ୍ତ କରିଥିଲେ । କୌଣସି ପରିସ୍ଥିତରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଦିଆଯିବନି ଏବଂ ଏହା ବିରୁଦ୍ଧରେ ଆସନ୍ତାକାଲି ଠାରୁ ନାଉବେଲାରୀ ଛକ ଠାରେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଜାରି ରହିବା ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବୈଷ୍ଣବ ସ୍ୱାଇଁ, ବିଜୟ ସାହୁ, ରବିନ୍ଦ୍ର ମାଝି, ଜଟାଧାରୀ ସ୍ୱାଇଁ , ପରେଶ ପ୍ରଧାନ , କାଳନ୍ଦୀ ଛାଟୋଇ , ରବିନ୍ଦ୍ର ପାଇଟାଳ, ଉତମ ହାତୀ, ବାବାଜୀ ସେଠୀ, ବିଷ୍ଣୁ ସ୍ୱାଇଁ, ବିଷ୍ଣୁ ନାୟକ , ବାବାଜୀ କାବ୍ ପ୍ରମୁଖଙ୍କ ସହିତ ଶତାଧିକ ଜନସାଧାରଣ ଏହି ପ୍ରତିବାଦ ସଭାରେ ଯୋଗଦେଇଥିଲେ । ଆସନ୍ତାକାଲିଠାରୁ ପ୍ରସ୍ତାବିତ ଚିଙ୍ଗୁଡି ପ୍ରକଳ୍ପ ବିରୁଦ୍ଧରେ ଅନିଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଚେତାବନି ଦିଆଯାଇଛି ।

Comments are closed.