ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜଗନ

ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ମାତ୍‌ ଦେଇଥିବା ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀ ଗୁରୁବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ବିଜୟୱାଡ଼ାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଜ୍ୟପାଳ ଏସ.ଏଲ. ନରସିଂହନ ଅପରାହ୍ନ ୧୨ଟା ୨୩ ମିନିଟରେ ଜଗନଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇଛନ୍ତି। ଜଗନ ରାଜ୍ୟପାଳଙ୍କୁ ଏକ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଥିଲେ। ଜଗନ ତାଙ୍କ ମନ୍ତ୍ରିମଣ୍ଡଳ ଗଠନ କରି ନ ଥିବାରୁ ଗୁରୁବାର ଏକା ଶପଥ ନେଇଥିଲେ। ଜୁନ ୭ ତାରିଖ ସୁଦ୍ଧା ଜଗନଙ୍କ ମନ୍ତ୍ରିମଣ୍ଡଳ ଗଠନ ହେବାର ସମ୍ଭାବନା ରହିଛି।

ଶପଥ ଗ୍ରହଣ ଉତ୍ସବରେ ୧୦ ହଜାରରୁ ଅଧିକ ବ୍ୟକ୍ତିବିଶେଷ ଏବଂ ଅତିଥି ଯୋଗଦେଇଥିଲେ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ତାମିଲନାଡୁର ଡିଏମକେ ଅଧ୍ୟକ୍ଷ ଏମ.କେ. ଷ୍ଟାଲିନଙ୍କ ସମେତ ଅନ୍ୟାନ୍ୟ ଦଳର ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ।

ଆନ୍ଧ୍ରପ୍ରଦେଶ ବିଭାଜନ ପରେ ଜଗନ ରାଜ୍ୟର ୨ୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରାଜ୍ୟ ବିଭାଜିତ ହୋଇ ତେଲେଙ୍ଗାନାଠାରୁ ଅଲଗା ହେବା ପରେ ଟିଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ୨ୟ ପାଳିରେ ବିଧାନସଭାର ୧୭୫ ଆସନରୁ ୱାଇଏସଆର କଂଗ୍ରେସ ୧୫୧ ଆସନରେ ବିଜୟୀ ହୋଇ ବହୁମତ ହାସଲ କରିଥିଲା। ଏହା ସହିତ ରାଜ୍ୟର ୨୫ ଲୋକସଭା ଆସନ ମଧ୍ୟରୁ ୨୨ ଆସନରେ ୱାଇଏସଆର କଂଗ୍ରେସ ବିଜୟୀ ହୋଇଛି।

Comments are closed.