ଅର୍ଥ ହେରଫେର ମାମଲା: ବିଦେଶ ଭ୍ରମଣ ପାଇଁ ଅନୁମତି ମାଗିଥିବା ଆବେଦନ ପ୍ରତ୍ୟାହାର କଲେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ

ଡେସ୍କ: ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସ୍କାନରରେ ଥିବା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ବୁଧବାର ଦିନ ଦିଲ୍ଲୀ କୋର୍ଟରେ ଦାଖଲ କରିଥିବା ବିଦେଶ ଯାତ୍ରା ସମ୍ପର୍କିତ ଆବେଦନକୁ ପ୍ରତ୍ୟାହାର କରି ନେଇଛନ୍ତି। ସେ ଆବୁଧାବିରେ ହେବାକୁ ଥିବା ଆଇଫା ପୁରସ୍କାର ଉତ୍ସବରେ ଯୋଗଦେବା ପାଇଁ ବିଦେଶ ଯାତ୍ରା କରିବାକୁ ଅନୁମତି ନିମନ୍ତେ ନ୍ୟାୟାଳୟଙ୍କ ନିକଟରେ ଆବେଦନ କରିଥିଲେ।

ସମ୍ପ୍ରତି ଆଇଫା ପୁରସ୍କାର ପ୍ରଦାନ ଉତ୍ସବ ଜୁନ ମାସକୁ ଘୁଞ୍ଚି ଯାଇଥିବାରୁ, ସେ କାହିଁକି ଆଗୁଆ ଯିବାକୁ ଚାହୁଁଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିବା ପରେ ଫର୍ଣ୍ଣାଣ୍ଡିଜ୍ ତାଙ୍କ ଆବେଦନ ପ୍ରତ୍ୟାହାର କରିନେଇଛନ୍ତି। କିଛି ଦିନ ପରେ ଜ୍ୟାକଲିନ ଏଥିପାଇଁ ଆବେଦନ କରିବେ ବୋଲି ତାଙ୍କ ଓକିଲ କହିଛନ୍ତି।

ଅନ୍ୟପକ୍ଷରେ ଜ୍ୟାକଲିନଙ୍କ ଫ୍ରାନ୍ସ ଏବଂ ନେପାଳ ଯାତ୍ରା ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟକୁ ସୂଚନା ଦେଇଛି। ନେପାଳରେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତାଙ୍କ ପାସ୍ ବାତିଲ କରାଯାଇଛି ଏବଂ ଫ୍ରାନ୍ସ ଗସ୍ତ ନେଇ ସେ ସନ୍ତୋଷଜନକ ଦଲିଲ ଦାଖଲ କରିନଥିବାରୁ ଇଡି ତାଙ୍କ ଅନୁମତି ଆବେଦନକୁ ବିରୋଧ କରିଛି। ସୂଚନାଯୋଗ୍ୟ, ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦ କୋଟି ଟଙ୍କା ଅର୍ଥ ହେରଫେର ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଭୂମିକା ସମ୍ପର୍କରେ ଇଡି ଅନୁସନ୍ଧାନ କରୁଛି।

Comments are closed.