କାମ୍ଫରଙ୍କ ହ୍ୟାଟ୍ରିକ୍‌ ; ଆୟରଲାଣ୍ଡର ସହଜ ବିଜୟ

ଆବୁଧାବି : ‌ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ର ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ସହଜ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଆୟରଲାଣ୍ଡ। କର୍ଟିସ୍ କାମ୍ଫର ୪ଟି ବଲ୍‌ରେ ୪ଟି ୱିକେଟ ନେବା ପରେ ଗାରେଥ୍ ଡିଲାନିଙ୍କ ବିସ୍ଫୋରକ ଇନିଂସ ବଳରେ ଗ୍ରୁପ୍ ‘ଏ’ର ମ୍ୟାଚ୍‌ରେ ସୋମବାର ନେଦରଲାଣ୍ଡ୍‌ସକୁ ୭ ୱିକେଟରେ ଆୟରଲାଣ୍ଡ ପରାସ୍ତ କରିଛି। ଏହି ବିଜୟ ଫଳରେ ଆୟରଲାଣ୍ଡ ୨ ପଏଣ୍ଟ ପାଇଛି। ମ୍ୟାକ୍ସ ଓ’ଡୌଡ୍‌ଙ୍କ ଅର୍ଦ୍ଧଶତକ ସତ୍ତ୍ବେ କାମ୍ଫର ୪ଟି ୱିକେଟ ନେବାରୁ ପ୍ରଥମେ ବ୍ୟାଟିଂକରି ନେଦରଲାଣ୍ଡ୍‌ସ ଶେଷ ବଲ୍‌ରେ ୧୦୬ ରନ୍‌କରି ଅଲ୍‌ଆଉଟ ହୋଇଥିଲା। ପରେ ଗାରେଥ୍ ଡିଲାନିଙ୍କ ବିସ୍ଫୋରକ ୪୪ ରନ୍‌ ବଳରେ ୧୫.୧ ଓଭରରେ ୩ ୱିକେଟ ହରାଇ ଆୟରଲାଣ୍ଡ ବିଜୟୀ ହୋଇଥିଲା।
ଆୟରଲାଣ୍ଡ ୧୦୭ ରନ୍‌ର ପିଛା ଆରମ୍ଭ କରିବା ପରେ ସହଳ ୨ଟି ୱିକେଟ ହରାଇଥିଲା। କେଭିନ୍ ଓ’ବ୍ରାଇନ୍ ୯ ଓ ଅଧିନାୟକ ଆଣ୍ଡି ବାଲ୍‌ବର୍ନି ୮ ରନ୍‌କରି ଆଉଟ ହୋଇଥିଲେ। ୩ୟ ୱିକେଟ ପାଇଁ ପରବର୍ତ୍ତୀ ୮ ଓଭରରେ ପଲ୍‌ ଷ୍ଟର୍ଲିଂ ଓ ଗାରେଥ୍ ଡିଲାନି ୫୯ ରନ୍‌ ଯୋଗକରି ଦଳର ବିଜୟ ନିଶ୍ଚିତ କରିଥିଲେ। ଷ୍ଟର୍ଲିଂ ୩୯ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୩୦ ରନ୍‌କରି ଅପରାଜିତ ଥିଲେ। ଡିଲାନି ମାତ୍ର ୨୯ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୪୪ ରନ୍‌ କରିଥିଲେ। କାମ୍ଫର ୭ ରନ୍‌କରି ଅପରାଜିତ ଥିଲେ। ନେଦରଲାଣ୍ଡ୍‌ସ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ନେଦରଲାଣ୍ଡ୍‌ସ ୨ ୱିକେଟରେ ୫୧ ରନ୍‌ କରିଥିବା ବେଳେ ୧୦ମ ଓଭରରେ କର୍ଟିସ୍ କାମ୍ଫର ୪ଟି ବଲ୍‌ରେ ୪ଟି ୱିକେଟ ନେଇଥିଲେ। ୧୭ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ଥିବା ମ୍ୟାକ୍ସ ଓ’ଡୌଡ୍‌ ୪୭ ବଲ୍‌ରୁ ୭ଟି ଚୌକା ସହ ୫୧ ରନ୍‌କରି ଆଉଟ ହୋଇଥିଲେ। ଅଧିନାୟକ ପିଟର ସିଲାର ୨୯ ବଲ୍‌ରୁ ୨ଟି ଚୌକା ସହ ୨୨ ରନ୍‌ କରିଥିଲେ। ଲୋଗାନ୍ ଭାନ୍ ବିକ୍‌ ୧୧ ରନ୍‌ କରିଥିଲେ। ଇନିଂସର ଶେଷ ୩ଟି ବଲ୍‌ରେ ନେଦରଲାଣ୍ଡ୍‌ସ ୩ଟି ୱିକେଟ ହରାଇଥିଲା। ୨୬ ରନ୍‌ଦେଇ କ୍ରମାଗତ ୪ଟି ୱିକେଟ ନେଇଥିବା କର୍ଟିସ୍ କାମ୍ଫର ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ। ମାର୍କ ଆଡାୟର ୩ଟି ୱିକେଟ ନେଇଥିଲେ।

Comments are closed.