ଓଟିଡିସି ପରେ ଆଇଟିଡିସି ଠକେଇ

ଭୁବନେଶ୍ବର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଜାଲ୍ କାର୍ଯ୍ୟାଦେଶ ଦେଇ ଜଣେ ସ୍ବତନ୍ତ୍ର ଶ୍ରେଣୀର ଠିକାଦାରଙ୍କୁ ୩ କୋଟି ଟଙ୍କା ଚୂନ ଲଗାଇଥିବା ଆତ୍ମଘୋଷିତ ବାବା ବିଜୟାନନ୍ଦଜୀ ମହାରାଜ ତଥା ବିଜୟାନନ୍ଦ ଚୌଧୁରୀ ଓ ଯନ୍ତ୍ରୀ ଚନ୍ଦନ ଆକାଶ ମହାନ୍ତିଙ୍କ ଆଉ ଏକ ଗୁମର ଫିଟିଛି। ଚନ୍ଦନ ପୁରୀର ବ୍ୟବସାୟୀ ତପନ ମହାନ୍ତିଙ୍କୁ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ(ଆଇଟିଡିସି)ର ନୀଳାଚଳ ଅଶୋକ ହୋଟେଲ୍‌ ବିକ୍ରି କରିବା ବାହାନାରେ ୫୦ ଲକ୍ଷ ଟଙ୍କା ଠକି ଥିଲେ। ଅନ୍ୟ ଏକ ମାମଲା ରୁଜୁ କରି ଚନ୍ଦନର ଅନ୍ୟତମ ସହଯୋଗୀ ଅନିକେଶ ସାହୁକୁ ଅର୍ଥନୈତିକ ଅପରାଧ ଶାଖା ଶନିବାର ଗିରଫ କରି ଅଦାଲତ ଚାଲାଣ କରିଛି। ଏହି ଠକେଇ ମାମଲାର ମୂଳ ସୂତ୍ରଧର ଚନ୍ଦନ ଓ ବିଜୟାନନ୍ଦ ବୋଲି ଅର୍ଥନୈତିକ ଅପରାଧ ଶାଖାର ଅଧୀକ୍ଷକ ଦିଲୀପ କୁମାର ତ୍ରିପାଠୀ କହିଛନ୍ତି। ଗତ ଅଗଷ୍ଟ ୨୨ରେ ଗିରଫ ହୋଇ ଏବେ ସୁଦ୍ଧା ଉଭୟ ଜେଲରେ ଅଛନ୍ତି। ସେମାନଙ୍କୁ ଜିମାରେ ଅଣାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଅଭିଯୁକ୍ତ ଚନ୍ଦନ ଓଟିଡିସିରେ ଚୁକ୍ତିଭିତ୍ତିକ ଜଣେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ତେଣୁ ସେ ଏହାର ସୁଯୋଗ ନେଇ ପର୍ଯ୍ୟଟନ ବିଭାଗ ନାମରେ ଜାଲିଆତି କରି କୋଟିକୋଟି ଟଙ୍କା ଠକେଇ କରିଛି। ଆଇଟିଡିସିର ପୁରୀରେ ବନ୍ଦ ପଡ଼ିଥିବା ନୀଳାଚଳ ଅଶୋକ ହୋଟେଲ୍‌କୁ ୧୫ କୋଟି ଟଙ୍କାରେ ବିକ୍ରି କରିବା ଲାଗି ଚାହୁଁଛି। ଏଭଳି ଏକ ଷଡଯନ୍ତ୍ରର ଯୋଜନା ତିଆରି କରିଥିଲା ଚନ୍ଦନ। ଏଥିରେ ଆତ୍ମଘୋଷିତ ବାବା ବିଜୟାନନ୍ଦଙ୍କ ସମ୍ପୃକ୍ତିକୁ ନେଇ ଅର୍ଥନୈତିକ ଅପରାଧ ଶାଖା ଖୋଳତାଡ ଚଳାଇଛି। ଅଭିଯୋଗ ଅନୁସାରେ ଚନ୍ଦନ ନିଜକୁ ଆଇଟିଡିସିର ଜଣେ ବରିଷ୍ଠ ଅଧିକାରୀ ଓ ଗିରଫ ହୋଇଥିବା ଅନିକେଶ ଜଣେ ଠିକାଦାର ବୋଲି ପରିଚୟ ଦେଇଥିଲେ। ଅନିକେଶ ଅନ୍ୟ ଜଣଙ୍କୁ ଏହି ଷଡଯନ୍ତ୍ରରେ ସାମିଲ୍‌ କରିଥିଲା। ଯିଏ ନିଜକୁ ଆଇଟିଡିସିର ଜଣେ କିରାଣି ବୋଲି କହୁଥିଲା। ଏହି ଦୁଇ ଜଣ ପୁରୀର ଅଣ୍ଡା ଓ କୁକୁଡା ମାଂସ ବ୍ୟବସାୟୀ ତପନ ମହାନ୍ତିଙ୍କୁ ତାଙ୍କ ଜାଲ୍‌ରେ ଫସାଇ ଥିଲେ। ୨୦୨୦ ଜାନୁଆରୀରେ ଏନେଇ ତାଙ୍କ ସହିତ କଥାବାର୍ତ୍ତା ହୋଇଥିଲା। ଫେବୃଆରୀରେ ଆଇଟିଡିସିର ଅଧିକାରୀ ଭାବେ ଚନ୍ଦନ ତପନଙ୍କ ସହିତ ଏକ ଚୁକ୍ତିିନାମା ସ୍ବାକ୍ଷର କରିଥିଲେ। ଏପରିକି ତପନଙ୍କର ବିଶ୍ବାସ ଜନ୍ମାଇବା ଲାଗି ଆଇଟିଡିସିର ଏକ ଜମାଖାତାରେ ୨୦ ଲକ୍ଷ ଟଙ୍କା ଜମା କରିବାକୁ କହିଥିଲେ। ଉକ୍ତ ହୋଟେଲ୍‌ ବାବଦରେ ଆଇଟିଡିସି ୧୫ କୋଟି ଟଙ୍କା ନେବ ଏବଂ ୩ କୋଟି ଟଙ୍କା ତାଙ୍କୁ ଲାଞ୍ଚ ଦେବାକୁ ତପନଙ୍କୁ କୁହାଯାଇଥିଲା। ତେଣୁ ଏହି ହୋଟେଲ୍‌ ବିକ୍ରି ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ଲାଗି ୩୦ ଲକ୍ଷ ଟଙ୍କା ଚନ୍ଦନ ନେଇଥିଲେ। ହେଲେ ଏପର୍ଯ୍ୟନ୍ତ ଆଇଟିଡିସି ପକ୍ଷରୁ ତାଙ୍କ ସହିତ କୌଣସି ଯୋଗାଯୋଗ ନ ହେବାରୁ ସେ ଏନେଇ ଠକାମିର ଶିକାର ହୋଇଥିବା ସନ୍ଦେହ କରିଥିଲେ। ନିଜ ତରଫରୁ ଖୋଳତାଡ଼ କରିବା ବେଳେ ସେ ଅଭିଯୁକ୍ତଙ୍କ ଜାଲରେ ପଡିଥିବା ଜାଣିବାକୁ ପାଇଥିଲେ। ଉକ୍ତ ଟଙ୍କା ଫେରସ୍ତ କରି ଦେବା ଲାଗି ଚନ୍ଦନ ଓ ଅନିକେଶକୁ ଯୋଗାଯୋଗ କରିଥିଲେ। ସେମାନେ ବିଭିନ୍ନ ବାହାନା ଦେଖାଇଥିଲେ। ଠକାମିର ସମ୍ମୁଖୀନ ହୋଇଥିବା ନେଇ ମାନସିକ ସ୍ତରରେ ଶକ୍ତ ଆଘାତ ପାଇଥିବା ତପନଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧି ଯାଇଥିଲା। ଫଳରେ ସେ ପକ୍ଷାଘାତରେ ଶିକାର ହୋଇ ବାକ୍‌ ଶକ୍ତି ହରାଇଥିଲେ। ତାଙ୍କର କିଛି ମନେ ରହିଲା ନାହିଁ। ପରେ ଚନ୍ଦନର ଠକାମି ଘଟଣା ନେଇ ଅବଗତ ହେବା ପରେ ତପନଙ୍କ ପତ୍ନୀ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଥିଲେ।
ଓଟିଡିସିର ଅଭିଯୋଗକ୍ରମେ ଅର୍ଥ‌େ‌ନୖତିକ ଅପରାଧ ଶାଖା ଏହା ପୂର୍ବରୁ ଏକ ମାମଲା ରୁଜୁ କରିଥିଲା। ସ୍ବତନ୍ତ୍ର ଶ୍ରେଣୀର ଠିକାଦାର ଧନୁର୍ଦ୍ଧର ଚମ୍ପତ୍ତିରାୟଙ୍କୁ ପର୍ଯ୍ୟାୟକ୍ରମେ ବହୁ କୋଟି ଟଙ୍କାର ପ୍ରାୟ ୨୩ଟି କାର୍ଯ୍ୟାଦେଶ ଦେଇ ୩ କୋଟି ଟଙ୍କା ଚୂନ ଲଗାଇଥିଲା ଚନ୍ଦନ ଓ ଆତ୍ମଘୋଷିତ ବାବା ବିଜୟାନନ୍ଦ। କଟକ ସିଡିଏ ଅଞ୍ଚଳରେ ରହୁଥିବା ବିଜୟାନନନ୍ଦ ନିଜକୁ ଓଟିଡିସିର ଅଧ୍ୟକ୍ଷ ଭାବେ ପରିଚୟ ଦେଇଥିବା ତଦନ୍ତ ବେଳେ ଜଣାପଡିଥିଲା। ଏପରିକି ଭାରତୀୟ ପର୍ଯ୍ୟଟନ ନିଗମର ମଧ୍ୟ ସେ ସଦସ୍ୟ ଥିବା କହିଥିଲେ। ପୁରୀ ଆଇଟିଡିସିର ହୋଟେଲ୍‌ ସହିତ ଓଟିଡିସି ମିଳିତ ଭାବେ ପରିଚାଳନା କରୁଥିଲା।

Comments are closed.