କଳ୍‌କୀ ଆଶ୍ରମରେ ରେଡ – ୪୦୯ କୋଟି ଟଙ୍କା, ୮୮କିଲୋ ସୁନା ଜବତ

ବେଙ୍ଗାଲୁରୁ: ଆତ୍ମଘୋଷିତ ଆଧ୍ୟାତ୍ମିକ ଗୁରୁ ‘କଳ୍‌କୀ ଭଗବାନ’ଙ୍କ ଆଶ୍ରମ ସମେତ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଚଢ଼ଉରୁ ୪୦୯ କୋଟି ଟଙ୍କାର ହିସାବ ବହିର୍ଭୂତ ଟଙ୍କା ଜବତ କରାଯାଇଛି। ଆୟକର ବିଭାଗ ପକ୍ଷରୁ ଗତ ତିନି ଦିନ ଧରି କଳ୍‌କୀ ଓ ତାଙ୍କ ପୁଅ ଏନ୍‌ଭିକେ କୃଷ୍ଣାଙ୍କ ନାମରେ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ତାମିଲନାଡ଼ୁର ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ଉପରେ ଚଢ଼ଉ ଚାଲିଥିଲା। ଚେନ୍ନଇ, ହାଇଦରାବାଦ, ଚିତ୍ତୋର ଏହାର ନିକଟ ବରଦୟାପାଲେମ୍‌ ତଥା ବେଙ୍ଗାଲୁରୁ ସମେତ ୪୦ଟି ସ୍ଥାନରେ ଏହି ଚଢ଼ଉ ହୋଇଥିଲା। କେବଳ ତାଙ୍କ ଆଶ୍ରମରୁ ନଗଦ ୯୩ କୋଟି ଟଙ୍କା ଜବତ ହୋଇଥିବା ଶୁକ୍ରବାର ଆୟକର ବିଭାଗ ପକ୍ଷରୁ ସୂଚନା​‌ ଦିଆଯାଇଛି।

ଏଥି ମଧ୍ୟରେ ବିପୁଳ ପରିମାଣ ବିଦେଶୀ ମୁଦ୍ରା ରହିଥିବା କୁହାଯାଇଛି। ପ୍ରାୟ ୧୦କୋଟି ଟଙ୍କାର ଆମେରିକୀୟ ଡଲାର ସମେତ ୨୬କୋଟି ଟଙ୍କା ମୂଲ୍ୟର ୮୮କିଲୋ ସୁନା ଓ ୫କୋଟି ଟଙ୍କା ମୂଲ୍ୟର ୧୨୭୧କରାଟ ହୀରା ଅଳଙ୍କାର ଜବତ ହୋଇଛି। ଏକାଧିକ ସ୍ଥାନରେ ଥିବା ଆଶ୍ରମରେ ଦାନ ଓ ଦକ୍ଷିଣା ଆକାରରେ ତଥା ଜମି କାରବାରରୁ ଆୟ ହେଉଥିବା ବିପୁଳ ଟଙ୍କାକୁ ବ୍ୟାଙ୍କରେ ଜମା କରା ନ ଯାଇ ଅନ୍ୟତ୍ର ଆଶ୍ରମ କର୍ମଚାରୀଙ୍କ ହେପାଜତରେ ରଖାଯାଉଥିଲା। ଅଶ୍ରମର ଅଘୋଷିତ ଆୟ ପରିମାଣ ୫୦୦କୋଟି ଟଙ୍କାରୁ ଅଧିକ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.