ଆଫଗାନିସ୍ତାନରେ ବଢ଼ୁଛି ଆଇଏସ୍‌ ପ୍ରଭାବ

ଜଲାଲାବାଦ (ଆଫଗାନିସ୍ତାନ) : ସିରିଆ ଓ ଇରାକରେ ନିଜର ପ୍ରତିପତ୍ତି ହରାଇବା ପରେ ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ୍ ଷ୍ଟେଟ୍ (ଆଇଏସ୍‌) ଉତ୍ତରପୂର୍ବ ଆଫଗାନିସ୍ତାନରେ ନିଜ ପ୍ରଭାବ ବିସ୍ତାର କରିବାରେ ଲାଗିପଡ଼ିଛି। ଆମେରିକା ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଆକ୍ରମଣ ପାଇଁ ସେଠାରେ ନୂତନ ଆତଙ୍କବାଦୀଙ୍କୁ ଆଇଏସ୍‌ ପ୍ରଶିକ୍ଷଣ ଦେଉଥିବା ଆମେରିକା ଓ ଆଫଗାନିସ୍ତାନର ସୁରକ୍ଷା ଅଧିକାରୀମାନେ ପ୍ରକାଶ କରିଛନ୍ତି। ଆମେରିକା ନେତୃତ୍ବାଧୀନ ଅନୁପ୍ରବେଶର ଦୁଇ ଦଶନ୍ଧି ପରେ ଆଫଗାନିସ୍ତାନରେ ତାଲିବାନଠାରୁ ମଧ୍ୟ ଭୟଙ୍କର ଆଇଏସ୍‌ ଆତଙ୍କବାଦୀମାନେ ବଡ଼ ବିପଦ ପାଲଟିଛନ୍ତି, କାରଣ ସେମାନଙ୍କ ପାଖରେ ତାଲିବାନଙ୍କ ଅପେକ୍ଷା ଅଧିକ ସାମରିକ କ୍ଷମତା ରହିଛି ଓ ସେମାନେ ସାଧାରଣ ନାଗରିକଙ୍କ ଉପରେ ମଧ୍ୟ ଆକ୍ରମଣ କରୁଛନ୍ତି।
ଆଫଗାନିସ୍ତାନରେ ରହୁଥିବା ଜଣେ ଆମେରିକୀୟ ଗୁଇନ୍ଦା ଅଧିକାରୀ କହିଛନ୍ତି ଯେ ନିକଟରେ କାବୁଲ୍‌ରେ ହୋଇଥିବା ଆକ୍ରମଣ ଇଉରୋପ ଓ ଆମେରିକା ଉପରେ ଭବିଷ୍ୟତର ବଡ଼ ଆକ୍ରମଣର ‘ପୂର୍ବ ଅଭ୍ୟାସ’। ଅତୀତରେ ଆମେରିକା ଆକ୍ରମଣରେ ଆଇଏସ୍‌ର କେତେକ ପ୍ରମୁଖ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ତେବେ ୨୦୧୫ରେ ଉଜବେକିସ୍ତାନର ଇସ୍‌ଲାମିକ୍ ଆନ୍ଦୋଳନକାରୀ ଆଇଏସ୍‌ରେ ଯୋଗ ଦେବାପରେ ସେମାନେ ସେଠାରେ ପୁଣିଥରେ ଶକ୍ତିଶାଳୀ ହୋଇଉଠିଥିଲେ।
ବର୍ତ୍ତମାନ କେନ୍ଦ୍ର ଏସିଆ, ଆରବ ଦେଶସମୂହ, ଚେଚେନ୍ୟା ଓ ବାଂଲାଦେଶରୁ ଆସି ହଜାରହଜାର ଯୁବକ ସେଠାରେ ଆତଙ୍କବାଦ ପ୍ରଶିକ୍ଷଣ ନେଉଛନ୍ତି। ପାକିସ୍ତାନ ସୀମାବର୍ତ୍ତୀ ନାନଗରହର୍ ପ୍ରଦେଶ, ଉତ୍ତର ଆଫଗାନିସ୍ତାନ ଓ ପରେ ପଡ଼ୋଶୀ କୁନାର ପ୍ରଦେଶକୁ ଆଇଏସ୍‌ ଆତଙ୍କବାଦୀଙ୍କ ପ୍ରଭାବ ପରିବ୍ୟାପ୍ତ ହୋଇଛି।
କିଛି ମାସ ତଳେ ତାଲିବାନ ପକ୍ଷରୁ କୁହାଯାଇଥିଲା ଯେ ଯୁଦ୍ଧୋତ୍ତର ଆଫଗାନିସ୍ତାନରେ କ୍ଷମତାକୁ ହାତକୁ ନେବାର କୌଣସି ଯୋଜନା ତା’ର ନାହିଁ; କିନ୍ତୁ ଆଇଏସ୍‌ କାବୁଲ୍ ସରକାରଙ୍କ ପତନ ଚାହେଁ। ତାଲିବାନ ଓ ଆଇଏସ୍‌ ବୈଚାରିକ ଦୃଷ୍ଟିକୋଣରୁ ସଂପୂର୍ଣ୍ଣ ଅଲଗା। ତାଲିବାନ ପ୍ରାୟତଃ ସରକାରୀ କାର୍ଯ୍ୟାଳୟ, ଆଫଗାନ ଓ ଜାତୀୟ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ ଯୋଜନା କରିଥାଏ। ଅନ୍ୟପକ୍ଷରେ ତାଲିବାନ ଓ ଆଇଏସ୍‌ ବିଭିନ୍ନ ସମୟରେ ପରସ୍ପରକୁ ଆକ୍ରମଣ କରୁଥିବା ଖବର ମିଳୁଛି। ଏ ପର୍ଯ୍ୟନ୍ତ ତାଲିବାନମାନେ ସେହି ଅଞ୍ଚଳରେ ଅଧିକ ସଂଖ୍ୟାରେ ଅଛନ୍ତି ଓ ସେମାନଙ୍କ ପ୍ରଭାବ ଆଇଏସ୍‌ଠାରୁ ବେଶି।

Comments are closed.