ଜାମସେଦପୁର ଏଫ୍‍ସିକୁ ୨-୧ରେ ହରାଇଲା ଓଡ଼ିଶା ଏଫ୍‍ସି

ଆଇଏସ୍‍ଏଲ : କଳିଙ୍ଗରେ ଓଡ଼ିଶାର ଚମକ; ଆରିଡାନଙ୍କ ଡବଲ୍‌ ଗୋଲ୍‌

ଭୁବନେଶ୍ୱର : ଘରୋଇ ଓଡ଼ିଶା ଏଫ୍‍ସି କଳିଙ୍ଗ ଷ୍ଟାଡ଼ିୟମରେ ବିଜୟରୁ ଆରମ୍ଭ କରିଛି ଅଭିଯାନ। ଶୁକ୍ରବାର ସନ୍ଧ୍ୟାରେ ଖେଳା ଯାଇଥିବା ମ୍ୟାଚରେ ସ୍ପେନ୍‌ର ଫରୱାର୍ଡ ଆରିଡାନ ସାଣ୍ଟାନାଙ୍କ ଡବଲ ଗୋଲ ବଳରେ ଓଡ଼ିଶା ଏଫ୍‍ସି ୨-୧ ଗୋଲରେ ଜାମସେଦପୁର ଏଫ୍‍ସିକୁ ପରାସ୍ତକରି ୩ୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ୧-୨ରେ ପରାଜିତ ହୋଇଥିବା ଓଡ଼ିଶା ଏଫ୍‍ସି ଏହି ବିଜୟ ସହ ପ୍ରତିଶୋଧ ନେଇଛି। ଏହି ବିଜୟ ସହ ଓଡ଼ିଶା ଏଫ୍‍ସି ୩ ପଏଣ୍ଟ ପାଇଛି।
ଘରୋଇ ଓଡ଼ିଶା ଏଫ୍‍ସି ପ୍ରାରମ୍ଭରୁ ଆକ୍ରମଣାତ୍ମକ ଫୁଟ୍‌ବଲ ଖେଳିଥିଲା। ୩ ମିନିଟ୍‍ରେ ଓଡ଼ିଶା ଏଫ୍‍ସି ଖେଳାଳି ଡାନିଏଲ ଲାଲ୍‍ହିମ୍‍ପୁଇଆ ବିପକ୍ଷ ଗୋଲପୋଷ୍ଟକୁ ଆକ୍ରମଣ କରିଥିଲେ ମଧ୍ୟ ଜାମସେଦପୁର ଏଫ୍‍ସି ଗୋଲକିପର ସୁବ୍ରତ ପାଲ୍‍ ଏହାକୁ ରୋକି ଦେଇଥିଲେ। ଘରୋଇ ପଡ଼ିଆରେ ଓଡ଼ିଶା ଏଫସି ଦର୍ଶକଙ୍କ ସମର୍ଥନରେ ଘନଘନ ଆକ୍ରମଣ କରିଥିଲା। ୨୮ ମିନିଟ୍‍ରେ ଡାନିଏଲ ଲାଲ୍‍ହିମ୍‍ପୁଇଆଙ୍କ ସୁନ୍ଦର ପାସ୍‍କୁ ସ୍ପେନିଶ ଫରୱାର୍ଡ ଆରିଡାନ ସାଣ୍ଟାନା ​ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ପରେ ଜାମସେଦପୁର ଗୋଲ ସୁଝାଇବାର ପ୍ରୟାସ କରିଥିଲା। ୩୨ ମିନିଟ୍‍ରେ ଦଳକୁ ଏକ ଫ୍ରିି କିକ୍‍ ମିଳିଥିଲେ ମଧ୍ୟ ଏହା ବେକାର ହୋଇଥିଲା। ୩୮ ମିନିଟ୍‍ରେ ଜାମସେଦପୁର ଏଫ୍‍ସିକୁ ପେନାଲ୍‌ଟି ମିଳିିଥିଲା। ଏଥିରୁ ବ୍ରାଜିଲ ମିଡ୍‍ଫିଲ୍‍ଡର ଏମରସନ୍ ଗୋମ୍‌ସ ମୁରା ଗୋଲରେ ପରିଣତ କରି ମ୍ୟାଚକୁ ୧-୧ ସ୍ତରକୁ ଆଣିଥିଲେ। ୪୫ ମିନିଟ୍‍ରେ ଓଡ଼ିଶା ଏଫ୍‍ସି ପକ୍ଷରୁ ଆରିଡାନ ସାଣ୍ଟାନା ୨ୟ ଗୋଲ ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧରେ ଘରୋଇ ଓଡ଼ିଶା ଏଫ୍‍ସି ୨-୧ ଗୋଲରେ ଆଗୁଆ ଥିଲା। ଦ୍ୱିତୀୟାର୍ଦ୍ଧରେ ଜାମସେଦପୁର ଏଫ୍‍ସି ଗୋଲ ବରାବର କରିବା ନେଇ ଆକ୍ରମଣାତ୍ମକ ଖେଳ ଆପଣାଇଥିଲା। ଓଡ଼ିଶା ଏଫ୍‍ସି ସତର୍କତାର ସହିତ ଖେଳି ବିପକ୍ଷ ଦଳର ଆକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିଲା। ଖେଳର ୭୦ ମିନିଟ୍‍ରେ ଜାମସେଦପୁର ଏଫ୍‍ସି ଗୋଲ ଦେବା ନେଇ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଆରିଡାନ ସାଣ୍ଟାନା ପ୍ଲେୟର ଅଫ ଦି ମ୍ୟାଚ ଓ ଓଡ଼ିଆ ଖେଳାଳି ଶୁଭମ ଷଡଙ୍ଗୀଙ୍କୁ ଏମର୍ଜିଂ ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ମିଳିଥିଲା।
ଓଡ଼ିଶା ଏଫ୍‍ସି ୧୦ଟି ମ୍ୟାଚରୁ ୩ଟି ବିଜୟ, ୪ଟି ପରାଜୟ ଓ ୩ଟି ଡ୍ର ସହ ୧୨ ପଏଣ୍ଟ ପାଇ ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ଜାନୁଆରୀ ୬ରେ କଳିଙ୍ଗ ଷ୍ଟାଡ଼ିୟମରେ ଚେନ୍ନଇୟିନ୍‍ ଏଫ୍‍ସି ବିପକ୍ଷରେ ଖେଳିବ। ଜାମସେଦପୁର ଏଫ୍‍ସି ୧୦ଟି ମ୍ୟାଚରୁ ୩ଟି ବିଜୟ, ୪ଟି ଡ୍ର ଓ ୩ଟି ପରାଜୟ ସହ ୧୩ ପଏଣ୍ଟ ପାଇଥିବା ବେଳେ ଜାନୁଆରୀ ୨ରେ ନର୍ଥ ଇଷ୍ଟ ୟୁନାଇଟେଡ୍‍ ଏଫ୍‍ସି ବିପକ୍ଷରେ ଖେଳିବ।

Comments are closed.