ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛି ଆଇଏସ୍‍ଆଇ

ନୂଆଦିଲ୍ଲୀ : ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ (ଆଇଏସଆଇ) ଅଯୋଧ୍ୟାର ରାମ ଜନ୍ମଭୂମିରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଛି। ଅଗଷ୍ଟ ୧୫ ତାରିଖରେ ଏହି ଆକ୍ରମଣ କରିବା ଲାଗି ଆଇଏସଆଇ ଯୋଜନା କରିଥିବା ଭାରତର ଗୁଇନ୍ଦା ଏଜେନ୍ସି ର’ ପକ୍ଷରୁ ସୂତର୍କ ସୂଚନା ଦିଆଯାଇଛି। ଆକ୍ରମଣ ପାଇଁ ଆଇଏସଆଇ ଲସ୍କର-ଇ-ତୋଇବା ଓ ଜୈସ-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ଆଫଗାନିସ୍ତାନରେ ପ୍ରଶିକ୍ଷଣ ଦେଉଛି। ଆଯୋଧ୍ୟାରେ ଆକ୍ରମଣ ପାଇଁ ଆଇଏସଆଇ ୩ରୁ ୫ଟି ଆତଙ୍କବାଦୀ ଗୋଷ୍ଠୀକୁ ପଠାଇବା ଯୋଜନା କରିଛି। ପାକିସ୍ତାନ ଆଇଏସଆଇ ଏହି ଆକ୍ରମଣକୁ ଏପରି ଭାବେ ଯୋଜନା କରିଛି ଯେ ଏହା ଭାରତର ଆଭ୍ୟନ୍ତରୀଣ କାର୍ଯ୍ୟ ବୋଲି ବିବେଚିତ ହେବ। ଅଯୋଧ୍ୟା ବିଭିନ୍ନ ସ୍ଥାନରେ ଏହି ଆକ୍ରମଣ କରାଯିବ। ଆକ୍ରମଣ ସମୟରେ ଭିଭିଆଇପିମାନେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିବେ। ଯଦ୍ୱାରା ଆକ୍ରମଣର ପ୍ରଭାବ ଅଧିକ ଅନୁଭୂତ ହେବ। ର’ ସତର୍କ ସୂଚନା ପରେ ଦିଲ୍ଲୀ, ଅଯୋଧ୍ୟା ଓ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଅଗଷ୍ଟ ୫ରେ ଅଯୋଧ୍ୟା ରାମମନ୍ଦିର ଶିଳାନ୍ୟାସ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ। ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହିତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜନ କରିଥିଲେ।

Comments are closed.