ସ୍ଥାନ ସଂରକ୍ଷଣ ଅସାମ୍ବିଧାନିକ କି?

ସତ୍ୟନାରାୟଣ ସାହୁ

ଓଡିଶା ସରକାର ୨୧ ଡ଼ିସେମ୍ବର ୨୦୨୦ରେ ଏକ ସିଦ୍ଧାନ୍ତମୂଳକ ଘୋଷଣା କଲେ ଯେ ରାଜ୍ୟର ମେଡିକାଲ ଓ ଇଂଜିନିୟରିଂ କଲେଜମାନଙ୍କରେ ଆସନ୍ତାବର୍ଷଠାରୁ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ର ଓ ଛାତ୍ରୀମାନଙ୍କ ପ୍ରବେଶ ଓ ନାଁ ଲେଖେଇବା ପାଇଁ ସ୍ଥାନ ସଂରକ୍ଷଣ କରାଯିବ। ଏହା ଏକ ଐତିହାସିକ ନିଷ୍ପତ୍ତି ଓ ଭାରତରେ ତାମିଲନାଡୁ ପରେ ଓଡ଼ିଶା ଏହି ପ୍ରକାର ଘୋଷଣା କରିବାରେ ହେଉଛି ଦ୍ବିତୀୟ ରାଜ୍ୟ। ତାମିଲନାଡୁରେ ୧୮ ନଭେମ୍ବର ୨୦୨୦ରେ ସେଠିକାର ଏଆଇଏଡିଏମକେ ସରକାର ସେହି ରାଜ୍ୟର ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଯୋଗ୍ୟ ଛାତ୍ରଛାତ୍ରୀ ପାଇଁ ମେଡିକାଲ ଓ ଇଂଜିନିୟରିଂ ପଢିବା ନିମିତ୍ତ ଶତକଡା ୭.୫ ଆସନରେ ସଂରକ୍ଷଣର ବ୍ୟବସ୍ଥା ବିଧାନସଭାରେ ଏକ କାନୁନ ଜରିଆରେ ସୁନିଶ୍ଚିତ କରିଛନ୍ତି। ଓଡ଼ିଶା ସରକାରଙ୍କ ସିଦ୍ଧାନ୍ତମୂଳକ ଘୋଷଣାର ସାତଦିନ ପରେ ୨୮ ଡ଼ିସେମ୍ବର ୨୦୨୦ରେ ଓଡ଼ିଶା କ୍ୟାବିନେଟରେ ନିଷ୍ପତ୍ତି ନିଆଗଲା ଯେ ସେହି ଘୋଷଣାକୁ ରୂପରେଖ ଦେବାକୁ ଓ ତାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଏକ ଅବସରପ୍ରାପ୍ତ ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେବ ଏବଂ ସେଥିରେ ଜଣେ ବିଶେଷ ଶିକ୍ଷାବିତ୍‌ ଓ ପ୍ରଖ୍ୟାତ ବ୍ୟକ୍ତି ସଦସ୍ୟ ଭାବେ ରହି ଏକ ରିପୋର୍ଟ ପ୍ରସ୍ତୁତ କରିବେ। ସେଥିରେ ସେମାନେ ଦର୍ଶାଇବେ ସେହି ଘୋଷଣାକୁ କିପରି ବାସ୍ତବ କ୍ଷେତ୍ରରେ ଅମଳ କରାଯାଇ ପାରିବ।

ଓଡ଼ିଶା ସରକାରଙ୍କ ସେହି ଘୋଷଣା ଓ କ୍ୟାବିନେଟ ନିଷ୍ପତ୍ତିକୁ ରାଜ୍ୟର ବିଭିନ୍ନ ସ୍ତରରେ ସ୍ୱାଗତ କରାଯାଇଛି। ୨୧ ଡିସେମ୍ବର ୨୦୨୦ର ଘୋଷଣା ପରେପରେ ବ୍ରହ୍ମପୁରର ଗଞ୍ଜାମ ଫୋରମର ଅନ୍ୟତମ ପ୍ରତିଷ୍ଠାତା ଓ ଆବାହକ ସେହି ଘୋଷଣାକୁ ସ୍ୱାଗତ କରି ତାଙ୍କ ଟ୍ୱିଟରେ ଆଶା ପ୍ରକାଶ କଲେ ଯେ ସରକାର ତାକୁ ଶୀଘ୍ର କାର୍ଯ୍ୟରେ ପରିଣତ କରିବେ ଓ ତଦ୍ଦ୍ବାରା ସରକାରୀ ବିଦ୍ୟାଳୟରେ ଶିକ୍ଷାର ମାନଦଣ୍ଡର ଉନ୍ନତି ହେବ। ପ୍ରକାଶଥାଉ କି ଏହି ଫୋରମ୍‌ ବ୍ରହ୍ମପୁର ସହରସ୍ଥିତ ଆର୍ଯ୍ୟଭଟ୍ଟ ସଂସ୍ଥାର ସ୍ଥାପକ ଓ ସେଠାରେ ବହୁସଂଖ୍ୟାରେ ସରକାରୀ ବିଦ୍ୟାଳୟ ଓ ବେସରକାରୀ ବିଦ୍ୟାଳୟରେ ପଢିଥିବା ଗରିବ ଛାତ୍ରଛାତ୍ରୀ ଓ ଅଳ୍ପସଂଖ୍ୟକ ସମ୍ପ୍ରଦାୟର ବିଦ୍ୟାର୍ଥୀମାନଙ୍କୁ ମାଗଣାରେ ମେଡିକାଲ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ଶିକ୍ଷା ଦିଆଯାଏ। ସେମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ସଫଳତା ହାସଲ କରି ଭାରତର ଆଇଆଇଟି, ଏନ୍‌ଆଇଟି ଓ ପ୍ରସିଦ୍ଧ ମେଡିକାଲ କଲେଜଗୁଡ଼ିକରେ ଅତୀତରେ ପଢିଥିଲେ ଓ ବର୍ତ୍ତମାନ ମଧ୍ୟ ପଢୁଛନ୍ତି। ଅନ୍ୟ କେତେ ନେତା ମଧ୍ୟ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରି ଖୁସି ବ୍ୟକ୍ତ କଲେ ଓ କହିଲେ ଯେ, ସେମାନେ ନିଜେ ସରକାରୀ ବିଦ୍ୟାଳୟରେ ପଢିଥିଲେ ଏବଂ ସେହି ପ୍ରକାରର ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ପ୍ରବେଶ ପାଇଁ ସ୍ଥାନ ସଂରକ୍ଷଣ କଲେ ଗ୍ରାମାଞ୍ଚଳ ପିଲାଙ୍କ ଆଶା ଓ ସ୍ବପ୍ନ ପୂରଣ ପାଇଁ ସହାୟକ ହେବ।

ଉପରୋକ୍ତ ଟିପ୍ପଣୀରୁ ଜାଣି ହୁଏ ଯେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମେଡିକାଲ ଓ ଇଞ୍ଜିନିୟରିଂ ପଢିବା ପାଇଁ ସ୍ଥାନ ସଂରକ୍ଷଣ ଅର୍ଥ ଆର୍ଥିକ, ସାମାଜିକ ଓ ଅନ୍ୟ ଦୃଷ୍ଟିରୁ ପଛୁଆବର୍ଗର ବିଦ୍ୟାର୍ଥୀମାନଙ୍କ ପାଇଁ ସହରାଞ୍ଚଳରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇବା ଭଳି ସମାନ ସୁଯୋଗ ପ୍ରଦାନ କରିବା। ବର୍ତ୍ତମାନ ସମଗ୍ର ବିଶ୍ୱ ଓ ଭାରତରେ ବଜାର ସ୍ଥିର କରୁଛି କେଉଁ ସ୍କୁଲ ଓ କେଉଁ ଭାଷାରେ ପିଲାମାନଙ୍କୁ ପାଠ ପଢ଼ାଇବା ଠିକ ହେବ, ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ। ତାଙ୍କର ଆର୍ଥିକ ଓ ସାମାଜିକ ଦୁରବସ୍ଥା ଯୋଗୁଁ ଆମର ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ବହୁତ ବ୍ୟୟସାପେକ୍ଷ ଘରୋଇ ବିଦ୍ୟାଳୟରେ ଶିକ୍ଷା ପ୍ରାପ୍ତ କରିବା ଅସମ୍ଭବ। ସେଇଥିପାଇଁ ତାଙ୍କର ବାପାମା’ମାନେ ସେମାନଙ୍କୁ ସରକାରୀ ବିଦ୍ୟାଳୟରେ ପାଠ ପଢ଼ାନ୍ତି। କାହିଁକି ନା ସରକାରୀ ବିଦ୍ୟାଳୟ ସରକାରଙ୍କ ଅର୍ଥ ସହାୟତାରେ ଚାଲେ ଓ ସେଠାରେ ସାମାନ୍ୟ କମ୍‌ ଖର୍ଚ୍ଚରେ ପିଲାମାନେ ଶିକ୍ଷା ପାଇଁ ଥା’ନ୍ତି। ବାସ୍ତବରେ ଏହି ଜଗତୀକରଣ ଓ ବଜାର ନିର୍ଦ୍ଧାରଣ କରୁଥିବା ଶିକ୍ଷା ପ୍ରଣାଳୀ ପରିପ୍ରେକ୍ଷୀରେ ଆମେ ଦେଖିବାକୁ ପାଉ ଯେ ଦଳିତ, ଆଦିବାସୀ, ଗରିବ ଓ ସାମାଜିକ କାରଣରୁ ପଛୁଆ ଶ୍ରେଣୀର ପିଲାମାନେ ସରକାରୀ ବିଦ୍ୟାଳୟରେ ପାଠ ପଢ଼ନ୍ତି ଓ ତଥାକଥିତ ଇଂରାଜୀରେ କୁହାଯାଉଥିବା ‘ପବ୍ଲିକ ସ୍କୁଲ’ରେ ସେମାନଙ୍କ ସଂଖ୍ୟା ନଗଣ୍ୟ। ସେହି ଶ୍ରେଣୀର ଛାତ୍ରଛାତ୍ରୀମାନେ ଦୂରଦୂରାନ୍ତ ଓ ଗ୍ରାମାଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟରେ ପଢ଼ିଥାନ୍ତି ଏବଂ ସେମାନଙ୍କର ପରିବାର ସେମାନଙ୍କୁ ସହର ଓ ନଗରୀମାନଙ୍କରେ ଥିବା ବ୍ୟୟବହୁଳ ପ୍ରଶିକ୍ଷଣ ବା କୋଚିଂ ସଂସ୍ଥାମାନଙ୍କରେ ପଢାଇବା ପାଇଁ ସକ୍ଷମ ହୋଇନଥାନ୍ତି। ଫଳରେ ସହରର ସ୍କୁଲ ପିଲାଙ୍କ ତୁଳନାରେ ଗ୍ରାମାଞ୍ଚଳର ପିଲାମାନେ ମେଡିକାଲ ଓ ଇଂଜିନିୟରିଂ କଲେଜରେ ପ୍ରବେଶ କରି ସ୍ଥାନ ପାଇବା ଅସମ୍ଭବ ହୋଇଯାଏ। ସମଗ୍ର ଭାରତ ପାଇଁ ଗୋଟିଏ ମେଡିକାଲ ପ୍ରବେଶିକା ପରୀକ୍ଷା ହେବା ପରେ ଦେଖାଯାଇଛି ଯେ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଗ୍ରାମାଞ୍ଚଳ ପିଲାମାନେ ଆଉ ସଫଳତା ଅର୍ଜନ କରିପାରୁନାହାନ୍ତି ଓ ମେଡିକାଲ ଏବଂ ଇଂଜିନୟରିଂ କଲେଜରେ ସେମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ବହୁ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ମେଧାବୀ ହୋଇଥିଲେ ମଧ୍ୟ ମେଡିକାଲ ଓ ଇଂଜିନିୟରିଂ କଲେଜରେ ପ୍ରବେଶ ଓ ଦାଖଲ କରି ପାରିନଥାନ୍ତି ଏବଂ ସେମାନଙ୍କର ହତାଶା ଏତେ ପରିମାଣରେ ବଢିଯିବା କାରଣରୁ ସେମାନଙ୍କ ମଧ୍ୟରୁ ଅନେକ ଆତ୍ମହତ୍ୟା ମଧ୍ୟ କରିବାର ଉଦାହରଣ ରହିଛି। ଏହି ପ୍ରକାର ସଂରକ୍ଷଣ କରିବା ଦ୍ୱାରା ବହୁ ଛାତ୍ରଛାତ୍ରୀ ଯେଉଁମାନେ ଅର୍ଥନୈତିକ ଓ ସାମାଜିକ କାରଣରୁ ବଂଚିତ ଥା’ନ୍ତି ସେମାନେ ଉପକୃତ ହୋଇପାରିବେ ଏବଂ ସମ୍ଭବତଃ ଏହି ପଦକ୍ଷେପ ଦ୍ୱାରା ସରକାରୀ ବିଦ୍ୟାଳୟର ଶିକ୍ଷା ପ୍ରଦାନ ଓ ପଢାପଢିର ମାନଦଣ୍ଡ ବୃଦ୍ଧି ହୋଇପାରିବ।

ଗତ ବହୁ ବର୍ଷ ହେଲା ଉଦାରୀକରଣ ଦ୍ୱାରା ଅର୍ଥନୀତିରେ ଯେପରି ଘରୋଇ ସଂସ୍ଥାକୁ ପ୍ରାଧାନ୍ୟ ମିଳିଲା ଓ ବଜାରୀକରଣ ବୃଦ୍ଧି ପାଇଲା ସେମିତି ଶିକ୍ଷା ସ୍ତରରେ ବ୍ୟୟବହୁଳ ଘରୋଇ ବିଦ୍ୟାଳୟର ପ୍ରାଧାନ୍ୟ ବଢ଼ିଲା ଏବଂ ସରକାରୀ ବିଦ୍ୟାଳୟମାନଙ୍କ ମାନଦଣ୍ଡ ବହୁତ କମିବାକୁ ଲାଗିଲା ଓ କ୍ରମାଗତ କମୁଛି ମଧ୍ୟ। ଏହି ପରିପ୍ରେକ୍ଷୀରେ ଭାରତର ନୂଆ ଶିକ୍ଷାନୀତି ୨୦୨୦ରେ ବ୍ୟବସ୍ଥା ରଖାଗଲା ଯେ ସରକାରୀ ବିଦ୍ୟାଳୟଗୁଡ଼ିକ ବିଶ୍ୱସନୀୟତାକୁ ଫେରାଇ ଆଣିବାକୁ ହେବ। ତେଣୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡ଼ିଶା ସରକାର ଯେଉଁ ସଂରକ୍ଷଣ ଘୋଷଣା କଲେ ତାହା ସରକାରୀ ବିଦ୍ୟାଳୟଗୁଡ଼ିକ ବିଶ୍ୱସନୀୟତାକୁ ଫେରାଇ ଆଣିବା ଦିଗରେ ସହାୟକ ହେବ ବୋଲି ଆଶା କରାଯାଏ।

ଏହା ଏକ ବିଡମ୍ବନା ଯେ ଓଡ଼ିଶାର ବିଧାନସଭାର ମୁଖ୍ୟ ବିରୋଧୀ ଦଳ ଓଡ଼ିଶା ସରକାରଙ୍କର ମେଡିକାଲ ଓ ଇଂଜିନିୟରିଂ କଲେଜରେ ସରକାରୀ ବିଦ୍ୟାଳୟ ପିଲାଙ୍କ ପାଇଁ ସ୍ଥାନ ସଂରକ୍ଷଣ ନୀତିକୁ ତୀବ୍ର ସମାଲୋଚନା କରିଛି ଏବଂ ଏହା ସେହି ଦଳର ବର୍ତ୍ତମାନ ଥିବା ସଭାପତି ଓ ଭାରତର ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ଜେ. ପି. ନଡ୍ଡାଙ୍କ ୨୦୧୭ରେ ତାମିଲନାଡୁ ସରକାରକୁ ସେହି ପ୍ରକାରର ସଂରକ୍ଷଣ କରିବା ପରାମର୍ଶର ଠିକ୍‌ ବିପରୀତ। ଓଡ଼ିଶାର ବିଜେପି ପ୍ରବକ୍ତା ସମାଲୋଚନା କରି କହିଲେ ଯେ ସ୍କୁଲ ପିଲାଙ୍କ ପାଇଁ ଇଂଜିନିୟରିଂ ଓ ମେଡିକାଲ କଲେଜରେ ସ୍ଥାନ ସଂରକ୍ଷଣ ଏକ ଉଦ୍ଭଟ ଧାରଣା କାରଣ ସମ୍ବିଧାନରେ ଏହି କାରଣରୁ ସଂରକ୍ଷଣ ଦେବାର ବ୍ୟବସ୍ଥା ନାହିଁ। ୧୫ ଏପ୍ରିଲ ୨୦୧୭ରେ ଇକୋନୋମିକ ଟାଇମ୍ସରେ ଏକ ଖବର ଛପିଥିଲା ଓ ତା’ର ଶୀର୍ଷକ ଥିଲା “ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କୁ ମେଡିକାଲ କଲେଜର ନାମ ଲେଖାଇବା ପାଇଁ ତାମିଲନାଡୁ ସଂରକ୍ଷଣର ବ୍ୟବସ୍ଥା କରିପାରିବ: ଜେ ପି ନଡ୍ଡା”। ବର୍ତ୍ତମାନ ଓଡିଶା ସରକାର ସରକାରୀ ସ୍କୁଲର ଛାତ୍ରଛାତ୍ରୀ ପାଇଁ ଯେଉଁ ସଂରକ୍ଷଣ ଦେବାକୁ ପଦକ୍ଷେପ ନେଉଛନ୍ତି ତାହା କରିବା ପାଇଁ ଶ୍ରୀ ନଡ୍ଡା ୨୦୧୭ରେ ତାମିଲନାଡୁ ସରକାରକୁ କହିଥିଲେ ଏବଂ ତାହା ସେହି ସରକାର ୧୮ ନଭେମ୍ବର ୨୦୨୦ ବିଧାନସଭାରେ ଆଇନ ଗୃହୀତ କରି କାର୍ଯ୍ୟରେ ପରିଣତ କଲେ। ଏହି କାରଣରୁ ଓଡ଼ିଶାରେ ବିଜେପି ଠିକ ଏହାର ବିପରୀତ କଥା କହିବା ଏକ ଆଶ୍ଚର୍ଯ୍ୟ କଥା। ତାମିଲନାଡୁର ଏଆଇଏଡିଏମକେ ସରକାର ଶତକଡା ୭.୫ ଆସନ ସରକାରୀ ବିଦ୍ୟାଳୟ ପିଲାଙ୍କ ପାଇଁ ସଂରକ୍ଷଣ କରିବା ପରେ ବି​‌େ​‌ଜପିକୁ ସମର୍ଥନ କରିବା ଡିଜିଟାଲ ମାଧ୍ୟମ ସ୍ବରାଜ୍ୟମାଗ.କମ୍‌ (swarajyamag.com)ରେ ତାମିଲନାଡ଼ୁର ବିଜେପି ସଭାପତିଙ୍କ ମନ୍ତବ୍ୟ ପ୍ରକାଶ ପାଇଲା ଓ ସେଥିରେ ସେ ସ୍ପଷ୍ଟ ଭାବେ କହିଲେ ଯେ ସେହି ରାଜ୍ୟର ସରକାର ଯାହା କଲେ ତାହା ୨୦୧୭ରେ ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ନଡ୍ଡାଙ୍କ ମତ ଉପରେ ଆଧାରିତ।

ତାମିଲନାଡୁ ସରକାର ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରୋକ୍ତ ସଂରକ୍ଷଣକୁ ଲାଗୁ କରିବା ପାଇଁ ସେହି ରାଜ୍ୟର ବିଧାନସଭାରେ ଆଇନ ଗୃହୀତ କରାଇ ପ୍ରଣୟନ କଲେ ଏବଂ ସେହି ଆଇନକୁ ସେଠାକାର ରାଜ୍ୟପାଳ ଅନୁମୋଦନ କରିବା ପୂର୍ବରୁ ଭାରତର ଏଟର୍ନି ଜେନେରାଲଙ୍କ ଆଇନଗତ ମତାମତ ନେବାପରେ ସେ ତା’କୁ ଗ୍ରହଣ କଲେ ଓ ସେଥିରେ ଦସ୍ତଖତ କରିଥିଲେ; ଅର୍ଥାତ୍‌ ସେହି ସଂରକ୍ଷଣ ସମ୍ପୂର୍ଣ ଆଇନସଂଗତ ବୋଲି ରାଜ୍ୟପାଳଙ୍କ ହୃଦ୍‌ବୋଧ ହେବାପରେ ସେ ତାକୁ ଗ୍ରହଣ କରିଥିଲେ। ଏହି ପ୍ରକାର ପୁଙ୍ଖାନୁପୁଙ୍ଖ ଆଲୋଚନା କରି ମତ ଦେଇ ସମାଲୋଚନା କଲେ ତାହାର ପ୍ରଭାବ ଜନସାଧାରଣଙ୍କ ଉପରେ ପଡିବ। ଓଡ଼ିଶା ସରକାରଙ୍କ ସଂରକ୍ଷଣ ନୀତି ସମାଲୋଚନା ଓ ତର୍ଜମାର ଊର୍ଦ୍ଧ୍ବରେ କେବେ ବି ରହିବା ଠିକ ହେବ ନାହିଁ; ତେବେ ସମାଲୋଚନା ଓ ତର୍ଜମା ଯୁକ୍ତିସଂଗତ ହେବା ଆବଶ୍ୟକ।

Comments are closed.