କୋଭିଡ୍‍-୧୯ ପାଇଁ ‘କରୋନା କବଚ’ ସ୍ୱାସ୍ଥ୍ୟବୀମା ଯୋଜନାକୁ ଆଇଆର୍‍ଡିଏଆଇର ସବୁଜ ସଙ୍କେତ

ନୂଆଦିଲ୍ଲୀ :  ଦେଶରେ କୋଭିଡ୍‍-୧୯ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଭାରତୀୟ ବୀମା ନିୟନ୍ତ୍ରଣ ଓ ବିକାଶ ପ୍ରାଧୀକରଣ(ଆଇଆର୍‍ଡିଏଆଇ) ୩୦ଟି ସାଧାରଣ ଓ ସ୍ୱାସ୍ଥ୍ୟବୀମା କମ୍ପାନିକୁ ସ୍ୱଳ୍ପମିଆଦୀ ‘କରୋନା କବଚ’ ସ୍ୱାସ୍ଥ୍ୟବୀମା ଯୋଜନା ଆରମ୍ଭ କରିବାକୁ ଅନୁମତି ପ୍ରଦାନ କରିଛି। ଏହି ବୀମା ଯୋଜନାରେ କୋଭିଡ୍‍-୧୯ରେ ସଂକ୍ରମିତମାନଙ୍କ ଚିକିତ୍ସା ବାବଦ ଖର୍ଚ୍ଚକୁ ଭରଣା କରାଯିବ।
ଆଇଆର୍‍ଡିଏଆଇ କହିଛି, ଏହା ଏକ ସାଧାରଣ କୋଭିଡ୍‍ ଭିତ୍ତିକ ବୀମା ବ୍ୟବସ୍ଥା ପ୍ରସ୍ତୁତ କରିଛି, ଯେଉଁଥିରେ ବୀମାଧାରୀଙ୍କ
ମୌଳିକ ସ୍ୱାସ୍ଥ୍ୟ ବୀମା ଆବଶ୍ୟକତା ଗୁଡ଼ିକ ପୂରଣ ହୋଇପାରିବ। ଏହି ବୀମାରେ ୫୦ ହଜାରରୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ମିଳିପାରିବ। ୧୮ରୁ ୬୫ ବର୍ଷ ବୟସ ମଧ୍ୟରେ ବ୍ୟକ୍ତିମାନେ ଏହି ବୀମା ପଲିସି ନେଇପାରିବେ। ଲୋକମାନେ ‘କରୋନା କବଚ’ ପଲିସି ନିଜ ପାଇଁ, ନିଜ ପତି କିମ୍ବା ପତ୍ନୀଙ୍କ ପାଇଁ, ପିତାମାତାଙ୍କ ଓ ଶାଶୁ ଶ୍ବଶୁର ମାନଙ୍କ ପାଇଁ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ୨୫ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ନେଇପାରିବେ।
ଆଇଆର୍‍ଡିଏ କହିଛି ଏହି ବୀମା ପଲିସିରେ କୋଭିଡ୍‍-୧୯ଯୋଗୁଁ ଅନ୍ୟ କୌଣସି ରୋଗରେ ପୀଡ଼ିତ ଥିବା ଲୋକଙ୍କର ଯଦି ସ୍ୱାସ୍ଥ୍ୟାବସ୍ଥା ଖରାପ ହୁଏ, ତା’ହେଲେ ତାଙ୍କୁ ଚିକିତ୍ସା ସମୟର ଖର୍ଚ୍ଚ ମିଳିପାରିବ। ‘କରୋନା କବଚ’ ବୀମା ଯୋଜନାକୁ ଲାଗୁ କରିବା ପାଇଁ ଆଇଆର୍‍ଡିଏଆଇ ୩୦ଟି ସାଧାରଣ ଓ ସ୍ୱାସ୍ଥ୍ୟବୀମା କମ୍ପାନିକୁ ଅନୁମତି ପ୍ରଦାନ କରିଛି। ଆଇଆର୍‍ଡିଏଆଇର ଏହି ନିର୍ଦ୍ଦେଶ ପରେ ବହୁ ବୀମା କମ୍ପାନି ‘କରୋନା କବଚ’ ବୀମା ଯୋଜନା ବିଷୟରେ ଘୋଷଣା କରିବା ଆରମ୍ଭ କରି ଦେଲେଣି। ସେହି କମ୍ପାନିମାନେ ଏହି ବୀମା ଯୋଜନାର ଅବଧି ସାଢ଼େ ୩ମାସ, ସାଢ଼େ ୬ ମାସ ଓ ସାଢ଼େ୯ ମାସ ରଖିଛନ୍ତି। ଘର ମଧ୍ୟରେ ରହି ଚିକିତ୍ସିତ ହେଉଥିବା ସମୟ ପାଇଁ ୧୪ ଦିନର ଖର୍ଚ୍ଚ ଏହି ବୀମା ଯୋଜନାରେ ମିଳିବ। ଏଥିପାଇଁ ଜଣେ ଡାକ୍ତରଙ୍କଠାରୁ ଘର ମଧ୍ୟରେ ରହି ଚିକିତ୍ସା ହେବା ଲାଗି ଅନୁମତିପତ୍ର ଦେବାକୁ ପଡ଼ିବ।

Comments are closed.