ଟ୍ରେନରେ ପୁଣି ମିଳିବ ରନ୍ଧା ଖାଦ୍ୟ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଆହାର ଓ ପର୍ଯ୍ୟଟନ ନିଗମ (ଆଇଆରସିଟିସି) ଦେଶରେ ଚଳାଚଳ କରୁଥିବା କେତେକ ପ୍ରିମିୟମ ଟ୍ରେନରେ ରନ୍ଧାଖାଦ୍ୟ ଯୋଗାଣ ବ୍ୟବସ୍ଥାକୁ ପୁନଃ ପ୍ରଚଳନ କରିଛି । ସଂପ୍ରତି ରାଜଧାନୀ, ଶତାବ୍ଦ. ଦୂରନ୍ତ, ବନ୍ଦେ ଭାରତ, ତେଜସ ଏବଂ ଗତିମାନ ଟ୍ରେନଗୁଡିକରେ ଏହି ସୁବିଧା ଉପଲବ୍ଧ ହେବ । ରେଳବାଇ ବୋର୍ଡ ପକ୍ଷରୁ ଏ ସମ୍ପର୍କରେ ଜାରି ଏକ ଆଦେଶରେ କୁହାଯାଇଛି ଯେ ଜୋନ ରେଳବାଇଗୁଡିକ ପରଷା ଯାଉଥିବା ଖାଦ୍ୟର ମୂଲ୍ୟ ତଦାରଖ କରିବେ । ଯେଉଁ ଯାତ୍ରୀମାନେ ଏହିସବୁ ଟ୍ରେନରେ ଯାତ୍ରା କରିବାକୁ ଆଗୁଆ ଟିକେଟ ବୁକିଂ କରିସାରିଛନ୍ତି, ସେମାନଙ୍କ ପାଇଁ ଟ୍ରେନରେ ଖାଦ୍ୟ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ସେମାନଙ୍କୁ ଅବଗତ କରାଯିବ । ସେମାନେ ଚାହିଁଲେ ସେମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ ଏବଂ ଏହା ସେବା ଯୋଗାଣକାରୀଙ୍କୁ ସୂଚିତ କରାଯିବ । ଚଳନ୍ତା ଟ୍ରେନରେ କେଉଁ ତାରିଖ ଠାରୁ ଆହାର ସେବା ଆରମ୍ଭ ହେବ ତାହା ମଧ୍ୟ ଆଇଆରସିଟିସି ପକ୍ଷରୁ ରେଳବାଇ ଜୋନଗୁଡିକୁ ଜଣାଇ ଦିଆଯିବ । ଏହାପରେ ସେମାନେ ନିଜର ପିଆରଏସ ସଫ୍ଟୱେରରେ ଏ ସର୍ମ୍ପକରେ ଯାତ୍ରୀମାନଙ୍କୁ ଅବଗତ କରାଇବେ । ପୂର୍ବରୁ ଇ-ଟିକେଟ ବୁକିଂ କରିଥିବା ଯାତ୍ରୀମାନଙ୍କୁ ଏହି ସୁବିଧା ସମ୍ପର୍କରେ ଏସଏମଏସ ଏବଂ ଇ-ମେଲ ଜରିଆରେ ଅବଗତ କରାଯିବ । ସେହିଭଳି ପିଆରଏସ ଜରିଆରେ ଟିକେଟ ବୁକିଂ କରିଥିବା ଯାତ୍ରୀଙ୍କୁ ଏସଏମଏସ ଗୁଚ୍ଛ ଆକାରରେ ରେଳବାଇ ଜୋନଗୁଡିକ ଏହା ଜଣାଇବେ । ସୂଚନଯୋଗ୍ୟ ଯେ କୋଭିଡ-୧୯ ମହାମାରୀ ବ୍ୟାପିବା ପରେ ଆଇଆରସିଟିସି ପକ୍ଷରୁ ୨୦୨୦ ମାର୍ଚ୍ଚ ଠାରୁ ଯାତ୍ରୀଙ୍କୁ ରନ୍ଧା ଖାଦ୍ୟ, ବିଛଣା, କମ୍ବଳ ଆଦି ଯୋଗାଣ ବନ୍ଦ ରଖିଥିଲା । ଆହାର ଯୋଗାଣ ବନ୍ଦ ରହିବା ଦ୍ୱାରା ତାହା ଲକ୍ଷାଧିକ ଲୋକଙ୍କ ନିଯୁକ୍ତି ଉପରେ ପ୍ରଭାବ ପକାଇଥିଲା । ପରେ ଚଳିତ ବର୍ଷ ଅଗଷ୍ଟ ମାସରେ ଆଇଆରସିଟିସି ଇ-କ୍ୟାଟରିଂ ସେବା ପୁନଃ ଆରମ୍ଭ କରିଥିଲା ।

Comments are closed.