କରୋନା ଭୟ: ୫୪ ହଜାର କଏଦୀଙ୍କୁ ଛାଡ଼ିଲା ଇରାନ

ତେହରାନ: ଭୟଙ୍କର ‘କରୋନା’ ଭୂତାଣୁ ଇରାନ ସରକାରଙ୍କ ନିଦ ହଜାଇ ଦେଇଛି। କରୋନା ମୁକାବିଲା ପାଇଁ ଇରାନ ସରକାର ବିଭିନ୍ନ ଜେଲରେ ଥିବା କଏଦୀମାନଙ୍କୁ ମୁକ୍ତ କରିଛନ୍ତି। ଯେଉଁ କଏଦୀଙ୍କୁ ୫ ବର୍ଷରୁ ଅଧିକ ଦଣ୍ଡାଦେଶ ମିଳିଛି, ସେମାନଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି। ଏହି କ୍ରମରେ ସରକାର ୫୪ ହଜାର କଏଦୀଙ୍କୁ ମୁକ୍ତ କରିଥିବା ଜଣାପଡ଼ିଛି। ଯେଉଁ ଜେଲ୍‌ଗୁଡ଼ିକରେ କଏଦୀଙ୍କ ସଂଖ୍ୟା ଅଧିକ ରହିଛି ସେଠାରେ ଏହି ପଦକ୍ଷେପ ନିଆଯାଇଛି। ବିଚାର ବିଭାଗୀୟ ମୁଖପାତ୍ର ଘୋଲାମହୋସେନ ଇସମାଇଲି ଗଣମାଧ୍ୟମକୁ କହିଛନ୍ତି ଯେ, ଅନ୍ତେବାସୀମାନଙ୍କର ‘କରୋନା’ ପରୀକ୍ଷା କରାଯାଇଛି। ଯେଉଁମାନଙ୍କୁ ଛଡ଼ାଯାଇଛି ସେମାନେ କରୋନାରେ ଆକ୍ରାନ୍ତ ନାହାନ୍ତି।

ସୂଚନାଯୋଗ୍ୟ, ୨ ସପ୍ତାହ ମଧ୍ୟରେ ଇରାନରେ କରୋନା ଯୋଗୁ ପ୍ରାୟ ୭୭ ଜଣଙ୍କର ମୃତ୍ୟୁ ଘଟିସାରିଛି। ଏହା ସହିତ ବହୁ ସଂଖ୍ୟକ ଲୋକ ଆକ୍ରାନ୍ତ ହୋଇଛନ୍ତି।

Comments are closed.