ଟ୍ରମ୍ପଙ୍କ ଚେତାବନୀ ପରେ ଇରାନର ଜବାବ- ଯୁଦ୍ଧ କରିବାକୁ ଆମେରିକାର ସାହସ ନାହିଁ

ୱାଶିଂଟନ: ଇରାନ ସେନା କୁଦ୍ସ ଫୋର୍ସର ମୁଖ୍ୟ କମାଣ୍ଡର କାସିମ ସୋଲେମାନିଙ୍କୁ ଆମେରିକା ହତ୍ୟା କରିବା ପରେ ଦୁଇଦେଶ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ ପାଇବାର ନାଁ ନେଉନାହିଁ। ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟ୍‌ କରି ୨ୟ ଥର ଲାଗି ଆକ୍ରମଣ ନ କରିବାକୁ ଇରାନକୁ ଚେତାବନୀ ଦେଇଛନ୍ତି। ତେବେ ଏହାର କଡ଼ା ଜବାବ ଦେଇଛି ଇରାନ। ଯୁଦ୍ଧ କରିବାକୁ ଆମେରିକାର ସାହସ ନାହିଁ ବୋଲି ଇରାନ କହିଛି।

ଟ୍ରମ୍ପ ଟ୍ବିଟ୍‌ କରି କହିଛନ୍ତି ଯେ, ଇରାନ ଆମ ଉପରେ ଆକ୍ରମଣ କଲା ଏବଂ ଆମେ ତାହାର ଜବାବ ଆକ୍ରମଣରେ ଦେଲୁ। ଯଦି ସେ ପୁଣି ଥରେ ଆକ୍ରମଣ କରିବ, ତେବେ ମୁଁ ତା’କୁ ପରାମର୍ଶ ଦେଉଛି ଏଭଳି ନ କରୁ। ନଚେତ ଏତେ ଜୋରଦାର ଆକ୍ରମଣ କରିବୁ, ଯାହାକୁ ଇରାନ କେବେ ସାମ୍ନା କରି ନ ଥିବ। ଆଉ ଏକ ଟ୍ବିଟ୍‌ରେ ଟ୍ରମ୍ପ କହିଛନ୍ତି, ଆମେରିକା ସୈନ୍ୟ ଉପକରଣରେ ୨ ଟ୍ରିଲିୟନ ଡଲାର ଖର୍ଚ୍ଚ କରିଛି। ଆମେ ବିଶ୍ଵରେ ସବୁଠୁ ବଡ଼ ଦେଶ ଏବଂ ବର୍ତ୍ତମାନ ସୁଦ୍ଧା ସବୁଠାରୁ ଭଲ ଦେଶ। ଯଦି ଇରାନ ଏକ ଆମେରିକା ଘାଟି କିମ୍ବା କୌଣସି ନାଗରିକଙ୍କ ଉପରେ ଆକ୍ରମଣ କରିବ, ତେବେ ଆମେ ଇରାନ ଉପରେ କିଛି ନୂଆ ସୁନ୍ଦର ଅସ୍ତ୍ରରେ ବିନା ଦ୍ବିଧାରେ ଆକ୍ରମଣ କରିବୁ। ଆକ୍ରମଣ ପାଇଁ ଆମେରିକା ଟାର୍ଗେଟରେ ଇରାନର ୫୨ଟି ସ୍ଥାନ ରହିଛି। ଏସବୁ ସ୍ଥାନ ଇରାନ ଏବଂ ତାହାର ସଂସ୍କୃତି ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ। ଆମେ ଗୋଟିଏ ଝଟ୍‌କାରେ ଏସବୁ ସ୍ଥାନକୁ ଧ୍ଵସ୍ତ କରିଦେବୁ ବୋଲି ଟ୍ରମ୍ପ କହିଛନ୍ତି।

Comments are closed.