ନିର୍ଦେଶନାରେ ପାଦ ଦେଲେ ଅମିରଙ୍କ ଝିଅ ଇରା

ବଲିଉଡର ଶ୍ରୀମାନ୍ ପରଫେକ୍ସନିଷ୍ଟ ଭାବେ ଜଣାଯାଉଥିବା ଅମୀର ଖାନ୍‌‌ଙ୍କ ଝିଅ ଇରା ଖାନ୍ ଇତିମଧ୍ୟରେ ନିର୍ଦେଶନା କ୍ଷେତ୍ରକୁ ଓହ୍ଲାଇଛନ୍ତି। ତାଙ୍କ ନିର୍ଦେଶିତ ପ୍ରଥମ ନାଟକ ପୃଥ୍ବୀ ଥିଏଟରରେ ପ୍ରଦର୍ଶିତ ହେବାକୁ ଯାଉଛି। ଝିଅ ଇରାଙ୍କ ଏହି ସଫଳତାକୁ ନେଇ ଅମୀର ଖୁବ୍ ଖୁସି। ସୋସିଆଲ ସାଇଟ୍‌ରେ ଇରାଙ୍କୁ ସେ ଅଭିନନ୍ଦନ ଜଣାଇବା ସହ ଜଣେ ଗର୍ବିତ ପିତା ଭାବେ ଉଲ୍ଲେଖ କରିଛନ୍ତି। ନାଟକର ନାମ ‘ୟୁରିପାଇଡସ୍ ମେଡିୟା’, ଏଥିରେ ଅଭିନେତ୍ରୀ ହାଜେଲ୍ କିଚ୍ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ବଲିଉଡର ନାମୀଦାମୀ କଳାମାରମାନେ ଏହି ନାଟକକୁ ଦେଖିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି। ବାପା ଅମୀରଙ୍କ ଗେହ୍ଲୀ ଇରା ପାଠପଢ଼ାରେ ମଧ୍ୟ ଖୁବ୍ ଆଗୁଆ। ତେବେ କଲେଜ ପାଠ୍ୟକ୍ରମ ସମୟରେ ଇରା ପରିବାରଲୋକଙ୍କୁ ଅବଗତ କରାଇଥିଲେ ସେ ଅଭିନୟ ଜଗତ ସହ ସଂଶ୍ଲିଷ୍ଟ ହେବାକୁ ଚାହୁଁଛନ୍ତି। ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ପ୍ରାରମ୍ଭିକ ପର୍ୟ୍ୟାୟରେ ସେ ନିର୍ଦେଶନା ହିଁ ଦେବେ। ବିନା ସଙ୍କୋଚରେ ଅମୀର ଝିଅକୁ ସମର୍ଥନ କରିଥିଲେ। ଅମୀର ଓ ତାଙ୍କ ପ୍ରଥମ ପତ୍ନୀ ରୀନାଙ୍କ ସନ୍ତାନ ହେଉଛନ୍ତି ଝିଅ ଇରା ଖାନ୍, ପୁଅ ଜୁନୈଦ୍ ଖାନ୍।

Comments are closed.