ଅନୁମତି ନ ଥାଇ ବାହାଘର କଲେ ପୁରୋହିତଙ୍କ ନାଁରେ ରୁଜୁ ହେବ ମାମଲା

ବାହାଘରରେ ଅତିବେଶୀରେ ୫୦ ଲୋକ ଯୋଗ ଦେ​‌ବେ। ବରପକ୍ଷ ଓ କନ୍ୟାପକ୍ଷର ସଦସ୍ୟ ସଂଖ୍ୟା ୫୦ ଟପିବ ନାହିଁ । ସମସ୍ତେ ସାମାଜିକ ଦୂରତା ବଜାୟ ରଖିବେ । ମୁହଁରେ ମାସ୍କ ପିନ୍ଧିବେ ଆଉ କରୋନା ସଂକ୍ରାନ୍ତ ନିୟମ ମାନିବେ । ସବୁଠାରୁ ବଡ଼ କଥା ହେଲା ବିବାହ ଉତ୍ସବ ପାଇଁ ପ୍ରଶାସନ ଠାରୁ ଆଗୁଆ ଅନୁମତି ନେବେ । ଯଦି ଏହି ନିୟମ ପାଳନ ହେଉ  ନଥିବ ଆଉ ପୁରୋହିତ ବିବାହ କରିବେ ତେବେ ବର ଓ କନ୍ୟା ପକ୍ଷ ବିରୋଧରେ ଯାହା ତ କାର୍ଯ୍ୟାନୁଷ୍ଠାନ ହେବା କଥା ହେବ, ପୁରୋହିତଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ଜିଲାପାଳ ।  ଜିଲାରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ରାଜ୍ୟରେ ସବୁଠୁ ଅଧିକ ଥିବାରୁ ଜିଲାପାଳ କଠୋର ପଦ​‌କ୍ଷେପ ଗ୍ରହଣ କରିଛନ୍ତି ।

କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟରେ ଗଞ୍ଜାମ ଜିଲାପାଳଙ୍କ ତତ୍ପରତା ପ୍ରକୃତରେ ପ୍ରଶଂସନୀୟ । ଜିଲାରେ ଛେପ ପକାଇବା, ମାସ୍କ ପିନ୍ଧିବା, ଲକ୍ ଡ଼ାଉନ ଓ ସଟ୍ ଡ଼ାଉନ କ୍ଷେତ୍ରରେ ଗଞ୍ଜାମ ଜିଲାପାଳ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି ଓ ଅନ୍ୟ ଜିଲାଗୁଡ଼ିକ ତାହାକୁ ଅନୁକରଣ କରିଥିବା ଦେଖାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି  ବିବାହ କ୍ଷେତ୍ରରେ ମଧ୍ୟ ଗଞ୍ଜାମ ଜିଲାପାଳ କଠୋର ନିୟମ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ କରି କହିଛନ୍ତି ଯେ, ଜିଲ୍ଲାରେ କୌଣସି ବିବାହ ପାଇଁ ହେଲେ ପ୍ରଶାସନଠୁ ଅନୁମତି ଆଣିବାକୁ ପଡିବ । କମ୍ ସଂଖ୍ୟକ ଅତିଥିରେ ବିବାହ ଆୟୋଜନ କରିବା ବାଧ୍ୟତାମୂଳକ । ଯଦି ଏହାର କେହି ଖିଲାପ କରନ୍ତି ତେବେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରିକି ବିବାହ କାର୍ଯ୍ୟ ସମ୍ପାଦନ କରୁଥିବା ବ୍ରାହ୍ମଣ ଓ ପୁରୋହିତଙ୍କ ବିରୋଧରେ ମାମଲା ହେବ । ଏଫଆଇଆର ମଧ୍ୟ ରୁଜୁ ହେବ ।

Comments are closed.