ହାଇଦରାବାଦ ପରାସ୍ତ, ପ୍ଲେଅଫ୍‌ରେ ଚେନ୍ନଇ

ଶାରଜା: ଚଳିତ ଆଇପିଏଲ୍‌ରେ ପ୍ରଥମ ଦଳ ଭାବେ ପ୍ଲେଅଫ୍ ଖେଳିବା ନିଶ୍ଚିତ କରିଛି ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)। ଗୁରୁବାରର ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦରାବାଦକୁ ୬ ୱିକେଟରେ ସିଏସ୍‌କେ ପରାସ୍ତ କରିଛି। ଋଦ୍ଧିମାନ ଶାହାଙ୍କ ୪୪ ରନ୍ ବଳରେ ପ୍ରଥମେ ବ୍ୟାଟିଂକରି ସନ୍‌ରାଇଜର୍ସ ୨୦ ଓଭରେ ୭ ୱିକେଟ ହରାଇ ୧୩୪ ରନ୍‌ କରିଥିଲା। ପରେ ଋତୁରାଜ ଗାଏକ୍‌ୱାଡ୍ ଓ ଫାଫ୍ ଡୁ ପ୍ଲେସିଙ୍କ ଉପଯୋଗୀ ଇନିଂସ ବଳରେ ୨ଟି ବଲ୍‌ ବାକିଥାଇ ୬ ୱିକେଟ ହରାଇ ଚେନ୍ନଇ ବିଜୟୀ ହୋଇଥିଲା। ୧୧ଶ ମ୍ୟାଚ୍‌ରେ ୯ମ ବିଜୟ ପରେ ସର୍ବାଧିକ ୧୮ ପଏଣ୍ଟ ସହ ଚେନ୍ନଇ ସୁପର କିଙ୍ଗ୍‌ସ ପ୍ଲେଅଫ୍‌ରେ ପହଞ୍ଚିଛି। ପ୍ଲେଅଫ୍ ଦୌଡ଼ରୁ ବାଦ୍‌ ପଡ଼ି ସାରିଥିବା ସନ୍‌ରାଇଜର୍ସ ୧୧ଶ ମ୍ୟାଚ୍‌ରେ ୯ମ ପରାଜୟ ଭୋଗିଛି।

ଫର୍ମରେ ଥିବା ଚେନ୍ନଇ ସୁପର କିଙ୍ଗ୍‌ସ ଦୃଢ଼ତାର ସହ ୧୩୫ ରନ୍ ଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ସିଏସ୍‌କେର ଦୁଇ ଓପ୍‌ନର ଫାଫ୍ ଡୁ ପ୍ଲେସି ଓ ଋତୁରାଜ ଗାଏକ୍‌ୱାଡ୍‌ ୧୦ ଓଭରରେ ୭୫ ରନ୍‌କରି ବିଜୟର ମୂଳଦୁଆ ପକାଇଥିଲେ। ଶେଷ ୧୦ ଓଭରରୁ ଚେନ୍ନଇ ୬୦ ରନ୍ ଆବଶ୍ୟକ କରୁଥିଲା। ଋତୁରାଜ ୪୫ ରନ୍‌, ମୋଇନ୍ ୧୭ ରନ୍, ଫାଫ୍ ଡୁ ପ୍ଲେସି ୪୧, ଅମ୍ବତି ରାୟୁଡୁ ୧୭ ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୧୪ ରନ୍ କରି ଅପରାଜିତ ରହି ଦଳକୁ ଜିତାଇଥିଲେ।

ଟସ୍ ଜିତି ଚେନ୍ନଇ ସୁପର କିଙ୍ଗ୍‌ସ ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। କେନ୍ ୱିଲିୟମ୍‌ସନ ୧୧, ପ୍ରିୟମ୍ ଗର୍ଗ ୭, ଋଦ୍ଧିମାନ ଶାହା ୪୪, ରସିଦ୍ ଖାଁ ୧୭ ରନ୍‌ କରିଥିଲେ।

Comments are closed.