ପ୍ରଥମ ଆମେରିକୀୟ ଭାବେ ଆଇପିଏଲ୍‌ ଖେଳିବେ ଅଲୀ ଖାଁ

ଆବୁଧାବି: ଆଇପିଏଲ୍‍ ଇତିହାସରେ ପ୍ରଥମଥର ପାଇଁ ଆମେରିକାର ଜଣେ କ୍ରିକେଟର ଖେଳିବାକୁ ଯାଉଛନ୍ତି। ସେ ହେଉଛନ୍ତି କଲକାତା ନାଇଟ ରାଇଡର୍ସ (କେକେଆର୍‍)ର ଫାଷ୍ଟବୋଲର ଅଲୀ ଖାଁ। ଅବଶ୍ୟ ଅଦ୍ୟାବଧି ଅଲୀ ଖାଁ କେକେଆର୍‍ ଦଳରେ ସାମିଲ ହୋଇନାହାନ୍ତି। ଇଂଲଣ୍ଡର ପେସ୍‍ ବୋଲର ହ୍ୟାରି ଗର୍ନି ଆହତ ହୋଇ ଆଇପିଏ୍‍ଲରୁ ଓହରି ଯାଇଥିବାରୁ ତାଙ୍କ ସ୍ଥାନରେ ଅଲୀ ଖାଁଙ୍କୁ ବଦଳ ଖେଳାଳି ଭାବେ ନେବା ପାଇଁ କେକେଆର୍‍ ଆଇପିଏଲ୍‍ ପରିଚାଳନା ପରିଷଦକୁ ଅପିଲ କରିଛି। ଅବଶ୍ୟ ଅଦ୍ୟାବଧି ଏହାର ଅନୁମୋଦନ ମିଳି ନ ଥିଲେ ହେଁ ଅଲୀ ଖାଁ କେକେଆର୍‍ ପାଇଁ ଆଇପିଏଲ୍‍ର ୧୩ଶ ସଂସ୍କରଣ ଖେଳିବା ନିଶ୍ଚିତ ବୋଲି କୁହାଯାଉଛି।

୨୯ ବର୍ଷ ବୟସ୍କ ଅଲୀ ଖାଁ ଆଇପିଏଲ୍‍ ଓ ବିବିଏଲ୍‍କୁ ଛାଡ଼ି ବିଶ୍ୱର ଅନ୍ୟ ସମସ୍ତ ପେସାଦାର ଟ୍ୱେଣ୍ଟି୨୦ ଲିଗ୍‍ ଖେଳି ସାରିଛନ୍ତି। ସେ ୩୬ଟି ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳି ୩୮ଟି ୱିକେଟ ନେଇଛନ୍ତି। ଅଲୀ ଖାଁ କ୍ୟାରିବିୟାନ୍‍ ପ୍ରିମିୟର ଲିଗ୍‍ (ସିପିଏଲ୍‍)ରେ ଚଳିତବର୍ଷ ତ୍ରିନ୍‍ବାଗୋ ନାଇଟ ରାଇଡର୍ସ ପାଇଁ ଖେଳିଥିଲେ। ତ୍ରିନ୍‍ବାଗୋ ଏହି ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହି ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଛି। ଅଲୀ ଖାଁ ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ୱିକେଟ ନେଇଥିଲେ। ଗତବର୍ଷ ମଧ୍ୟ ଅଲୀ ଖାଁଙ୍କୁ ଦଳରେ ସାମିଲ କରିବା ପାଇଁ କେକେଆର୍‍ ପ୍ରୟାସ କରିଥିଲେ ହେଁ ଏହା ସମ୍ଭବ ହୋଇନଥିଲା। ୨୦୧୮ରେ କାନାଡାରେ ଖେଳା ଯାଇଥିବା ଗ୍ଲୋବାଲ ଟି୨୦ ଲିଗ୍‍ରେ ଅଲୀ ଖାଁଙ୍କ ପ୍ରତିଭା ଦେଖିଥିଲେ ଡ୍ୱେନ୍‍ ବ୍ରାଭୋ ଏବଂ ତାଙ୍କୁ ସିପିଏଲ୍‍ ଖେଳିବାକୁ ଆଣିଥିଲେ। ଗତବର୍ଷ ଅଲୀ ଖାଁ ସିପିଏଲ୍‍ର ଅଲ୍‍ଷ୍ଟାର୍‍ ଦଳ ପାଇଁ ଖେଳିଥିଲେ। ଗତବର୍ଷ ସିପିଏଲ୍‍ରେ ଅଲୀ ଖାଁ ଗାୟନା ଆମାଜନ୍‍ ୱାରିଅର୍ସ ପାଇଁ ୧୨ଟି ମ୍ୟାଚ୍‍ ଖେଳି ସର୍ବାଧିକ ୧୬ଟି ୱିକେଟ ନେଇଥିଲେ। ଅଲୀ ଖାଁ ଘଣ୍ଟାକୁ ୧୪୦ କିମିରୁ ଅଧିକ ବେଗରେ ବୋଲିଂ କରିପାରନ୍ତି ଏବଂ ୟର୍କର ପକାଇ ପାରନ୍ତି। ପୂର୍ବରୁ ରାଜସ୍ଥାନ ରୟାଲ୍‍ସ ଓ ଡେକାନ ଚାର୍ଜର୍ସ ପାଇଁ ଆଇପିଏଲ୍‍ ଖେଳିଥିବା ରଷ୍ଟି ଥେରନ୍‍ ଏବେ ଆମେରିକାର ନାଗରିକ। ତେବେ ଆଇପିଏଲ୍‍ ଖେଳିବା ବେଳେ ରଷ୍ଟି ଦକ୍ଷିଣ ଆଫ୍ରିକାର ନାଗରିକ ଥିଲେ।

Comments are closed.